କଟକ : ଦର୍ଶ୍ ଦିକ୍ଷିତ, ବୟସ ମାତ୍ର ୩ ବର୍ଷ ୬ ମାସ । କିନ୍ତୁ ପ୍ରତିଭା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ବୟସ ସାନ ସିନା କାମ କିନ୍ତୁ ବଡ । ଇଣ୍ଟରନ୍ୟାସନାଲ୍ ବୁକ୍ ଅଫ୍ ରେକର୍ଡ୍ସରେ ନିଜ ନାମ ଦର୍ଜ କରି ସୃଷ୍ଟି କରିଛନ୍ତି ବିଶ୍ୱରେକର୍ଡ । ନିଜର ବୁଦ୍ଧି ଏବଂ ଆତ୍ମବିଶ୍ୱାସ ପାଇଁ ଆଜି ଦର୍ଶ ଏକ ବଡ ରେକର୍ଡର ଅଧିକାରୀ ହୋଇପାରିଛି । ଏତେ କମ୍ ବୟସରେ ଦର୍ଶଙ୍କ ଅସାଧାରଣ ସ୍ମୃତିଶକ୍ତି ଏବଂ ପ୍ରତିଭାର ପରିଚୟ ମିଳିଛି । ସେ ୫୦ ରୁ ୧ ପର୍ଯ୍ୟନ୍ତ ପଛୁଆ କାଉଣ୍ଟିଂ ମାତ୍ର ୩୯ ସେକେଣ୍ଡରେ କରିପାରୁଛନ୍ତି । ଯାହା ନିଶ୍ଚୟ ଭାବରେ ଏକ ଚମତ୍କାରିତା କହିଲେ କମ୍ ହେବନି । କୁନି ବୟସରେ ଅନନ୍ୟ ପ୍ରତିଭାର ଅଧିକାରୀ ଦର୍ଶ । ଏହା ବ୍ୟତୀତ ଦର୍ଶଙ୍କ ଆଉ ଏକ ବିଶେଷ କ୍ଷମତା ମଧ୍ୟ ରହିଛି । ସେ ୧୦–୧୨ଟି ସଂସ୍କୃତ ଶ୍ଳୋକ ଓ ଜଗନ୍ନାଥ ଭଜନ ସ୍ପଷ୍ଟତାର ସହିତ ଏବଂ ଭକ୍ତିଭାବରେ ପାଠ କରିପାରନ୍ତି । ଏତେ ଛୋଟ ବୟସରୁ ଦର୍ଶଙ୍କ ଏହି ସଫଳତା କେବଳ ପିତାମାତାଙ୍କୁ ଗର୍ବିତ କରିନାହିଁ ବରଂ ସମଗ୍ର ଦେଶର ଶିଶୁମାନଙ୍କ ପାଇଁ ଏକ ପ୍ରେରଣା ହୋଇପାରିଛି । ତେବେ ଦର୍ଶ୍ ଦିକ୍ଷିତଙ୍କ ଏହି ସଫଳତା ପାଇଁ ବେଶ ଖୁସି ଅଛନ୍ତି ଦର୍ଶଙ୍କ ବାପା ଓ ମା । ଦର୍ଶଙ୍କ ଏଭଳି ସଫଳତା ପାଇଁ ଏବେ ସବୁଠୁ ଛୁଟୁଛି ପ୍ରସଂଶାର ସୁଅ ।
ଦର୍ଶଙ୍କ ଏଭଳି ପ୍ରତିଭା ନେଇ ସ୍ଥାନୀୟ ଅଞ୍ଚଳରେ ବି ବେଶ ଚର୍ଚ୍ଚା ହେଉଛି । ଯେଉଁ ବୟସରେ ସେ ଖେଳକୁଦ କରି ସମୟ କଟାଇବା କଥା ସେହି ବୟସରେ ଚକିତ କଲା ଭଳି ପ୍ରତିଭା ଏତେ କୁନି ପୁଅ ପାଖରେ ଦେଖିବାକୁ ମିଳିଛି । ଯାହାକୁ ନେଇ ବେଶ ଖୁସି ଅଛନ୍ତି ଦର୍ଶଙ୍କ ପରିବାର ଲୋକେ । ଆମ ରାଜ୍ୟ ପାଇଁ ଗୌରବ ଆଣିଥିବା ଦର୍ଶ୍ ଆଗାମୀ ସମୟରେ ନିଜ କ୍ୟାରିଅରରେ ଆହୁରି ସଫଳତା ସାଉଁଟିବେ ବୋଲି ପରିବାର ଆଶା ରଖିଛନ୍ତି । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଦର୍ଶଙ୍କ ସଫଳତା ଆଗକୁ ଆହୁରି ଉଜ୍ଜୀବିତ ହେଉ ଏହାହିଁ ସମସ୍ତଙ୍କ କାମନା ।