ୱାସିଂଟନ : ମଧ୍ୟ-ପ୍ରାଚ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ପରିସ୍ଥିତି ପରେ ଶେଷରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ୧୪-ଦଫା ବିଶିଷ୍ଟ ଐତିହାସିକ ସହମତି ପତ୍ର (ଏମ୍ଓୟୁ) ସ୍ୱାକ୍ଷରିତ ହୋଇଛି । ଏହା ମଧ୍ୟପ୍ରାଚ୍ୟରେ ଉତ୍ତେଜନାକୁ ହ୍ରାସ କରିବାରେ ସହାୟକ ହେବ ବୋଲି ଆଶା କରାଯାଇଛି । ଚୁକ୍ତି ପରେ ସାମୁଦ୍ରିକ ବାଣିଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ ପ୍ରଣାଳୀ ପୁଣି କାର୍ଯ୍ୟକ୍ଷମ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିଆନ ଏହି ଚୁକ୍ତିରେ ଡିଜିଟାଲ୍ ସ୍ୱାକ୍ଷର କରିଛନ୍ତି । ହର୍ମୁଜ ଖୋଲିବା, ଇରାନର ପରମାଣୁ ଅସ୍ତ୍ର ନିରସ୍ତ୍ରୀକରଣ, ଇରାନର ଉପରୁ ଆର୍ଥିକ ପ୍ରତିବନ୍ଧକ ଉଠାଇବା ଏବଂ ଆର୍ଥିକ ସହାୟତା ଆଦି ମୁଖ୍ୟ ସର୍ତ୍ତ ରହିଛି । ତେବେ ଶାନ୍ତି ଚୁକ୍ତି ପରେ ଉଭୟ ନେତା ନିଜ ନାଗରିକଙ୍କୁ ତାଙ୍କରି ଦେଶର ବିଜୟ ହୋଇଥିବା ଜଣାଇବାକୁ ଚେଷ୍ଟା କରିଛନ୍ତି । ଉଭୟ ନେତା ଯୁଦ୍ଧରେ ବିଜୟୀ ହୋଇଥିବା ଦାବି କରିଆସୁଛନ୍ତି ।
ଯୁଦ୍ଧରେ ଅକାରଣେ ଦେଶର ଅହେତୁକ ଆର୍ଥିକ କ୍ଷତି ହୋଇଥିବା ଆମେରିକାରେ ଚର୍ଚ୍ଚା ଜୋର ଧରିଛି । ସେପଟେ ଯୁଦ୍ଧ ବାବଦକୁ ଆମେରିକା ପକ୍ଷରୁ ଇରାନକୁ କ୍ଷତିପୂରଣକୁ ଦେବା ସର୍ତ୍ତରେ ଆମେରିକାବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଯୁଦ୍ଧରୁ ଆମେରିକାକୁ କୌଣସି ବାସ୍ତବିକ ଲାଭ ମିଳିନାହିଁ, ବରଂ ଇରାନ ଅଧିକ ଶକ୍ତିଶାଳୀ ହେଉଥିବା ବିରୋଧିମାନେ ଦାବି କରିଛନ୍ତି । ତେବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏସମସ୍ତ ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି । ଟ୍ରମ୍ପ କହିଛନ୍ତି ଯେ ଯୁଦ୍ଧରେ ଇରାନର ଅନ୍ତ ହୋଇସାରିଛି । ଟ୍ରମ୍ପ ଏହାକୁ ଆମେରିକାର ଶକ୍ତିର ପ୍ରଦର୍ଶନ ଏବଂ ଇରାନର ଆତ୍ମସମର୍ପଣ ଭାବେ ବର୍ଣ୍ଣନା କରିଛନ୍ତି । ଆମେରିକା ପକ୍ଷରୁ ତେହେରାନକୁ ୧୦ ଟଙ୍କା ମଧ୍ୟ ମିଳିବ ନାହିଁ । ଟ୍ରୁଥ୍ ସୋସିଆଲ୍ରେ ଏନେଇ ଟ୍ରମ୍ପ ଏକାଧିକ ପୋଷ୍ଟ କରିଛନ୍ତି । ଏହି ଯୁଦ୍ଧ ଇରାନର ସାମରିକ ଶକ୍ତିର ଅଣ୍ଟା ଭାଙ୍ଗିଦେଇଛି । ଇରାନ ପାଖରେ ବର୍ତ୍ତମାନ ବାୟୁସେନା, ନୌସେନା, ଯୁଦ୍ଧ ବିମାନ ନିରୋଧୀ ଅସ୍ତ୍ର କିମ୍ବା ରାଡାର ଭଳି କୌଣସି ପ୍ରତିରକ୍ଷା ବ୍ୟବସ୍ଥା ବଳକା ନାହିଁ । ରାଷ୍ଟ୍ରପତି ଟ୍ରମ୍ପ ବିରୋଧୀ ଡେମୋକ୍ରାଟ୍ସମାନଙ୍କୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି । ଇରାନ ପୂର୍ବ ଅପେକ୍ଷା ଭଲ ସ୍ଥିତିରେ ଅଛି ବୋଲି ଡେମୋକ୍ରାଟ୍ସମାନେ କହୁଥିବାରୁ ସେ ସେମାନଙ୍କୁ ମୂର୍ଖ ବୋଲି ଆଖ୍ୟା ଦେଇଛନ୍ତି । ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ଆମେରିକା ନିରୁପାୟ ହୋଇ ଇରାନ ସହ ଆଲୋଚନା କରୁନାହିଁ । ଇରାନ ନିଜେ ଅସହାୟ ହୋଇ ସାକ୍ଷାତ କରିବାକୁ ଚାହୁଁଛି । ସେ କହିଛନ୍ତି ଯେ \”ଆମେ ୬୦ ଦିନର ସମୟସୀମା ମଧ୍ୟରେ କାମ କରିବୁ, କିନ୍ତୁ ସେମାନଙ୍କୁ କୌଣସି ଆର୍ଥିକ ସହାୟତା ପ୍ରଦାନ କରାଯିବ ନାହିଁ ।’
ଅନ୍ୟପକ୍ଷରେ, ଇରାନର ସୁପ୍ରିମ ଲିଡର ମୋଜତାବା ଖାମେନେଇ ବିପରୀତ ଦାବି କରିଛନ୍ତି । ଯୁଦ୍ଧର ଆର୍ଥିକ କ୍ଷତିରେ ବ୍ୟାକୁଳହୋଇ ଆମେରିକା ରାଷ୍ଟ୍ରପତି ଏହି ଚୁକ୍ତି କରିଥିବା ସେ କହିଛନ୍ତି । ଖାମେନେଇ ପ୍ରଥମେ ଏହି ଚୁକ୍ତିର ବିରୋଧ କରୁଥିବା ସ୍ୱୀକାର କରିଥିଲେ । କିନ୍ତୁ ଦେଶର ସ୍ୱାର୍ଥ ରକ୍ଷା ସେ ଏଥିରେ ସମ୍ମତି ପ୍ରଦାନ କରିଥିବା କହିଛନ୍ତି । ଆମେରିକା ଶୀଘ୍ର ଚୁକ୍ତି ପାଇଁ ବିଭିନ୍ନ ପ୍ରକାରର ଚାପ ପ୍ରୟୋଗ କରିଥିଲା । ମାତ୍ର ଖାମେନେଇ ସ୍ପଷ୍ଟ କରିଛନ୍ତି ଯେ, ଆଗକୁ ହେବାକୁ ଥିବା ମୁହାଁମୁହିଁ ଆଲୋଚନାର ଅର୍ଥ ଆମେରିକାର ସର୍ତ୍ତକୁ ମାନିନେଇ ମୁଣ୍ଡ ନୁଆଁଇବା ନୁହେଁ । ଏହାପରେ ଟ୍ରମ୍ପ ଏହି ଦାବିକୁ ଖଣ୍ଡନ କରି ଇରାନ ବିରୁଦ୍ଧରେ ନିଜର କଠୋର ଆଭିମୁଖ୍ୟ ପ୍ରକାଶ କରିଛନ୍ତି ।
