Friday, October 2, 2026
22.9 C
Odisha

    ଏଏଆଇ ହାତକୁ ଯିବ ରାଉରକେଲା ବିମାନବନ୍ଦର ‘ସେଲ’ ବୋର୍ଡରେ ଅନୁମୋଦନ

    ଆଗକୁ ପଢନ୍ତୁ

    ରାଉରକେଲା  : ରାଉରକେଲା ବିମାନବନ୍ଦରର ମାଲିକାନାକୁ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ(ଏଏଆଇ)କୁ ହସ୍ତାନ୍ତରିତ ହେବ। ‘ସେଲ୍’ ବୋର୍ଡ଼ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବିମାନବନ୍ଦର ଅଧୀନରେ ଥିବା ୧୪୦ ଏକର ଜମି ଭାରତୀୟ ବିମାନ ବନ୍ଦର ପ୍ରାଧିକରଣକୁ ପ୍ରଦାନ କରାଯିବା ପାଇଁ ‘ସେଲ’ ବୋର୍ଡ଼ ମଞ୍ଜୁର କରିଛି। ରାଉରକେଲା ବିମାନ ବନ୍ଦର ଆଧୁନିକୀକରଣ ଓ ସଂପ୍ରସାରଣ ଦିଗରେ ଏହି ପଦକ୍ଷେପକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବିବେଚନା କରାଯାଉଛି। ଜମି ହସ୍ତାନ୍ତର ପାଇଁ ଆବଶ୍ୟକ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ଅବସ୍ଥାରେ ଅବଶିଷ୍ଟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସଂପନ୍ନ କରାଯିବ ବୋଲି ରାଉରକେଲା ଇସ୍ପାତ କାରଖାନାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ବିମାନବନ୍ଦରର ଆଧୁନିକୀକରଣ ପାଇଁ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣର ଏକ ବିଶେଷଜ୍ଞ ଦଳ ବିଗତ ଦିନରେ ଦୁଇଟି ପର୍ଯ୍ୟାୟରେ ସର୍ବେକ୍ଷଣ କରିଛନ୍ତି। ସମ୍ପ୍ରସାରଣ ପାଇଁ ଆବଶ୍ୟକ ହେଉଥିବା ଜମି ବାବଦରେ ସର୍ବେକ୍ଷଣ ବାକି ଅଛି। ବିମାନ ବନ୍ଦର ସଂପ୍ରସାରଣ ପାଇଁ କେତେ ଜମି ଅଧିଗ୍ରହଣ ଦରକାର ଓ ସେଥିପାଇଁ କେତେ ଅର୍ଥ ବ୍ୟୟ ହେବ, ସେ ସମ୍ପର୍କରେ ସ୍ଥିତି ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ।

    ସୂଚନାଯୋଗ୍ୟ ଯେ ରାଉରକେଲାରେ ପୁରୁଷ ହକି ବିଶ୍ୱକପ ଆୟୋଜନ ସମୟରେ ‘ଉଡ଼ାନ’ ଯୋଜନାରେ ଆଲିୟାନ୍ସ ଏୟାର ପକ୍ଷରୁ ଏଟିଆର-୭୨ ବିମାନ ଚଳାଚଳ ଆରମ୍ଭ ହୋଇଥିଲା। କିନ୍ତୁ ଅନେକ ସମୟରେ ଏହି ସେବା ବାଧାପ୍ରାପ୍ତ ହେଉଥିଲା। କ୍ରମେ ଏହି ସେବା ବନ୍ଦ ହୋଇଗଲା। ଏବେ କେବଳ ୯ ଆସନ ବିଶିଷ୍ଟ ବିମାନ ଉଡ଼ୁଛି। କିନ୍ତୁ ଏହି ବ୍ୟବସ୍ଥା ସମୁଦ୍ରକୁ ଶଙ୍ଖେ ହୋଇଥିବାରୁ ରାଉରକେଲାର ଆବଶ୍ୟକତା ପୂରଣ କରି ପାରୁନାହିଁ। ୩୦ ହଜାର କୋଟି ଟଙ୍କାରେ ରାଉରକେଲା ଇସ୍ପାତ କାରଖାନା ସଂପ୍ରସାରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହା ସହିତ ତାଳଦେଇ ବିମାନ ବନ୍ଦର ସଂପ୍ରସାରଣ ହେଲେ ରାଉରକେଲାବାସୀ ଏକ ଉତ୍କୃଷ୍ଟ ବିମାନସେବା ପାଇବେ ବୋଲି ଆଶା କରାଯାଉଛି। ବିମାନବନ୍ଦରର ମାଲିକାନା ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆକୁ ହସ୍ତାନ୍ତର ହୋଇ ସଂପ୍ରସାରଣ ସଂପୂର୍ଣ୍ଣ ହେଲେ ଏଟିଆର-୭୨ ଭଳି ବିମାନ ଉଡ଼ାଣ ପାଇଁ ବାଟ ଫିଟିବ ବୋଲି ଆଶା କରାଯାଉଛି। ‘ସେଲ୍’ ବୋର୍ଡ଼ର ଏହି ନିଷ୍ପତ୍ତିକୁ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ସ୍ବାଗତ କରିଛନ୍ତି। ବିମାନବନ୍ଦର ସମ୍ପ୍ରସାରଣ ରାଉରକେଲାର ବିକାଶ ଓ ଆର୍ଥିକ ଅଭିବୃଦ୍ଧିରେ ବହୁତ ସହାୟକ ହେବ ବୋଲି ଜୁଏଲ ଆଶା ପ୍ରକାଶ କରିଛନ୍ତି। ସେ ‘ସମାଜ’କୁ କହିଛନ୍ତି ଯେ ସେଲ ବୋର୍ଡ଼ରେ ଏନେଇ ଅନୁମୋଦନ ପରେ ଏହା କେନ୍ଦ୍ର କ୍ୟାବିନେଟକୁ ଯିବ ଓ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ପାଇବା ପରେ ଏହାର ମାଲିକାନା ହସ୍ତାନ୍ତର ପ୍ରକ୍ରିୟା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ