Friday, October 2, 2026
22.9 C
Odisha

    ବିଶ୍ୱବ୍ୟାପୀ ରଥଯାତ୍ରାକୁ ନେଇ ସ୍ପଷ୍ଟୀକରଣ ରଖିଲା ଇସ୍କନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ଶାସ୍ତ୍ର ସମ୍ମତ ଏବଂ ମହାପ୍ରଭୁଙ୍କ ପ୍ରକୃତ ଭାବଧାରାରେ ସୀମିତ । ବିଶ୍ୱବ୍ୟାପୀ ରଥଯାତ୍ରାକୁ ନେଇ ସ୍ପଷ୍ଟୀକରଣ ରଖିଲା ଇସ୍କନ । ବିଶ୍ୱର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ରଥଯାତ୍ରା ଉତ୍ସବକୁ ନେଇ ସୃଷ୍ଟି ହୋଇଥିବା ପ୍ରଶ୍ନ ଓ ଚର୍ଚ୍ଚା ଉପରେ ଆଜି ଆନ୍ତର୍ଜାତୀୟ କୃଷ୍ଣଭାବନାମୃତ ସଂଘ (ଇସ୍କନ) ପକ୍ଷରୁ ଏକ ପ୍ରେସ୍ ବିବୃତ୍ତି ଜାରି କରାଯାଇଛି । ସଙ୍ଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଇସ୍କନ ଦ୍ୱାରା ଆୟୋଜିତ ସମସ୍ତ ରଥଯାତ୍ରା ସମ୍ପୂର୍ଣ୍ଣ ଭାବେ ଶାସ୍ତ୍ର ଅନୁମୋଦିତ ଏବଂ ଏହା ଶ୍ରୀଜଗନ୍ନାଥ ସଂସ୍କୃତିର ମୂଳ ଆଦର୍ଶ ସହ ଜଡ଼ିତ । ଇସ୍କନ ପକ୍ଷରୁ କୁହାଯାଇଛି ଯେ, ସଙ୍ଗଠନର ବିଦ୍ୱାନମାନେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ର ଗବେଷକ ଓ ପଣ୍ଡିତମାନଙ୍କ ସହ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଗରିଷ୍ଠ ଉପସ୍ଥିତିରେ ଆଲୋଚନା କରିଛନ୍ତି ।  ବିଭିନ୍ନ ପୁରାଣ ଓ ଶାସ୍ତ୍ରର ପ୍ରତ୍ୟକ୍ଷ ସନ୍ଦର୍ଭ ଉପସ୍ଥାପନ କରାଯାଇ ଏହା ସଫଳତାର ସହ ପ୍ରମାଣିତ କରାଯାଇଛି ଯେ, ଇସ୍କନର ରଥଯାତ୍ରା ସନାତନ ଧର୍ମର ଶାସ୍ତ୍ରୀୟ ନିୟମ ଅନୁଯାୟୀ ସମ୍ପୂର୍ଣ୍ଣ ବୈଧ ।

    ଶାସ୍ତ୍ରର ବ୍ୟାଖ୍ୟା ଅନୁଯାୟୀ, ରଥଯାତ୍ରାର ମୂଳ ଲକ୍ଷ୍ୟ ହେଉଛି ଜଗତର ନାଥ ଶ୍ରୀଜଗନ୍ନାଥ ନିଜେ ମନ୍ଦିରରୁ ବାହାରକୁ ଆସି ଜାତି, ଧର୍ମ ଓ ବର୍ଣ୍ଣର ଭେଦଭାବ ଭୁଲି ସମସ୍ତଙ୍କୁ ଦର୍ଶନ ଦେବେ ଏବଂ କୃପା ବର୍ଷଣ କରିବେ ।  ବିଗତ ପ୍ରାୟ ୬୦ ବର୍ଷ ଧରି ଇସ୍କନ ଏହି ବିଶ୍ୱଜନୀନ ଭାବକୁ ଆଗକୁ ନେଇ ଭାରତ ସମେତ ବିଶ୍ୱର ୧୦୦ରୁ ଅଧିକ ଦେଶରେ ଜଗନ୍ନାଥ ସଂସ୍କୃତିର ପ୍ରସାର କରିଆସୁଛି, ଯେଉଁଠାରେ ସନାତନ ପରମ୍ପରା ବିଷୟରେ ଲୋକେ ପ୍ରାୟ ଅଜ୍ଞ ଥିଲେ। ଇସ୍କନ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) କୁ ସର୍ବଦା ସର୍ବୋଚ୍ଚ ସମ୍ମାନ ପ୍ରଦାନ କରେ । ଏହି ସମ୍ମାନକୁ ରକ୍ଷା କରି, ନିଜର ପ୍ରଚାର କାର୍ଯ୍ୟକ୍ରମ ପ୍ରଭାବିତ ହେଉଥିଲେ ମଧ୍ୟ, ଇସ୍କନ ଅନେକ ପରିଶ୍ରମ ଓ ତ୍ୟାଗ ସ୍ୱୀକାର କରି ଭାରତ ମଧ୍ୟରେ ନିଜର ରଥଯାତ୍ରା ସମୟକୁ ଶ୍ରୀକ୍ଷେତ୍ର ନୀତି ସହ ସମନ୍ୱିତ କରିବାକୁ ପ୍ରୟାସ କରିଛି । ଭାରତରେ ରଥଯାତ୍ରା ପାଇଁ ସରକାରୀ ଅନୁମତି ପାଇବା ଯେତିକି ଆହ୍ୱାନପୂର୍ଣ୍ଣ, ବିଦେଶ ମାଟିରେ ଏହା ତା’ଠାରୁ ବହୁ ଗୁଣା କଠିନ ।  ସେଠାରେ ନିର୍ଦ୍ଦିଷ୍ଟ ତାରିଖର କଟକଣା, ପ୍ରତିକୂଳ ପାଣିପାଗ ଏବଂ ଜଟିଳ ପ୍ରଶାସନିକ ନିୟମାବଳୀ ସତ୍ତ୍ୱେ ଇସ୍କନ ସଫଳତାର ସହ ମହାପ୍ରଭୁଙ୍କ ଯାତ୍ରା ଆୟୋଜନ କରୁଛି ।

    ଏହି ପ୍ରୟାସ ଦ୍ୱାରା ଆମେରିକା, ଋଷିଆ, ଆଫ୍ରିକା ଓ ଦକ୍ଷିଣ ଆମେରିକାର ଲକ୍ଷ ଲକ୍ଷ ଲୋକ ଆଜି ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତରେ ପରିଣତ ହୋଇପାରିଛନ୍ତି । ଅନେକ ନିଷ୍ଠାପର ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରକୁ ଯାଇ ଦର୍ଶନ କରିବାରୁ ବଞ୍ଚିତ ହେଉଥିବା ବେଳେ ବହୁ ଲୋକ ପୁରୀ ରଥଯାତ୍ରାରେ ମଧ୍ୟ ସାମିଲ ହୋଇପାରନ୍ତି ନାହିଁ । ସେଭଳି ଭକ୍ତମାନଙ୍କ ପାଇଁ ଇସ୍କନର ବିଶ୍ୱବ୍ୟାପୀ ରଥଯାତ୍ରା ଭଗବାନଙ୍କ ଆଶୀର୍ବାଦ ପାଇବାର ଏକ ମାଧ୍ୟମ ସାଜିଛି । ପ୍ରବାସୀ ଭାରତୀୟଙ୍କ ସମେତ ବିଶ୍ୱର ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱ ଏହି ଉତ୍ସବକୁ ଆଦରି ନେଇଛନ୍ତି । ଅତୀତରେ ସ୍ୱୟଂ ଗଜପତି ମହାରାଜା ମଧ୍ୟ ଜର୍ମାନୀର ବର୍ଲିନଠାରେ ଆୟୋଜିତ ଇସ୍କନ ରଥଯାତ୍ରାରେ ସାମିଲ ହୋଇ ଏହାକୁ ଗୌରବାନ୍ୱିତ କରିଥିଲେ ବୋଲି ପ୍ରେସ୍ ବିବୃତ୍ତିରେ ଉଲ୍ଲେଖ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ