Sunday, September 8, 2024
24.3 C
Odisha

    ଏକଦା ନିଶା ଅଭ୍ୟସ୍ତ ଦୁଇ ବନ୍ଧୁ; ଏବେ ନିଶା ନିବାରଣ ପାଇଁ କରୁଛନ୍ତି ସଚେତନ

    ଆଗକୁ ପଢନ୍ତୁ

    ଜଳେଶ୍ୱର ବ୍ଲକ : ନିଶା ସେବନ ଓ ନିଶା ସାମଗ୍ରୀର ଅବାଧ କାରବାର ଦ୍ୱାରା ସମାଜ ଅଧୋଗତି ଆଡକୁ ଯାଉଥିବା ବେଳେ ଦେଶର ପ୍ରଗତିରେ ମୁଖ୍ୟ ବାଧକ ସାଜୁଛି । ସରକାରୀ ସ୍ତରରେ ଦୃଢ଼ ପଦକ୍ଷେପ ଲାଗି ପ୍ରତିବଦ୍ଧତା ନ ଥିବାବେଳେ ବହୁ ସ୍ୱେଚ୍ଛାସେବୀ ସଂଗଠନ, ସଂସ୍ଥା ଓ କେତେକ ସମାଜସେବୀ ବ୍ୟକ୍ତିଗତ ସ୍ତରରେ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି । ଆମ ଦେଶରେ ପ୍ରତି ୪ ଜଣରେ ଜଣେ ନିଶାଗ୍ରସ୍ତ ରୋଗୀ ଚିକିତ୍ସା ପାଇପାରୁ ଥିବା ବେଳେ ୨୦ ଜଣରୁ ଜଣେ ହସ୍ପିଟାଲରେ ଚିକିତ୍ସିତ ହୋଇ ପାରୁଛନ୍ତି । ସହାରାଞ୍ଚଳରେ ୬୦ ଭାଗ ଅପରାଧର କାରଣ ନିଶା ଜନିତ ବୋଲି ଜଣାପଡିଛି । ବିଗତ ଦିନରେ ଜଳେଶ୍ୱର ଅଞ୍ଚଳର ଅନ୍ଧାରୀ ନିଶା ସାମ୍ରାଜ୍ୟର ବେନାମ ବାଦଶାହ ଭାବେ ଦୁଇ ଯୁବକଙ୍କ ଅନାଲୋଚିତ କାହାଣୀ ଯେତେ ରୋମାଞ୍ଚକ ଓ ସେତେ ହୃଦୟ ସ୍ପର୍ଶୀ ମଧ୍ୟ । ଜଳେଶ୍ୱର ପୈାରାଞ୍ଚଳସ୍ଥିତ ସ୍ୱର୍ଗତ ଡା. ସୁରେଶ ଚନ୍ଦ୍ର କରଣଙ୍କ ଚତୁର୍ଥ ପୁତ୍ର ସୁଜିତ କୁମାର କରଣ (ବାବାଜୀ)ପିଲାଦିନୁ ବାପା ମାଁ ଛେଉଣ୍ଡ ହେବା ସହିତ କୁସଙ୍ଗରେ ପଡ଼ି ଅନ୍ଧାରୀ ନିଶା ସାମ୍ରାଜ୍ୟକୁ ପଶି ଯାଇଥିଲେ । ବିଭିନ୍ନ ଅପରାଧିକ ମାମଲାରେ ଛନ୍ଦି ହେବା ପରେ ପରିବାର ଲୋକ ବାବାଜୀଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ସ୍ଥିତ ନିଶା ନିବାରଣ ସୁଧାର ଗୃହକୁ ପଠାଇ ଥିଲେ । ସେହିପରି ଷ୍ଟେସନ ବଜାର ମିଲ ବାଡିସ୍ଥିତ ସ୍ୱର୍ଗତ ଭୁବନ କର୍ମକାରଙ୍କ ୨ୟ ପୁତ୍ର ବାସୁଦେବ କର୍ମକାର ମଧ୍ୟ ଦୀର୍ଘ ଦିନ ଧରି ନିଶାରେ ଅଭ୍ୟସ୍ତ ହୋଇ ସମାଜର ମୁଖ୍ୟ ଧାରାରୁ ବଞ୍ଚିତ ଥିଲେ । ତାଙ୍କ ପରିବାର ଜୀବନ ରକ୍ଷା ଲାଗି କଟକ ସ୍ଥିତ ସେହି ନିଶା ସୁଧାର ଗୃହରେ ଭର୍ତ୍ତି କରିଥିଲେ । ନିଶା ନିବାରଣ ସୁଧାର ଗୃହରେ ଦୀର୍ଘ ୩ ବର୍ଷ କାଳ ୨ ବନ୍ଧୁ ଶୃଙ୍ଖଳିତ ଜୀବନ ଚର୍ଯ୍ୟାରେ ଶାରୀରିକ, ମାନସିକ ଭାବେ ସୁସ୍ଥ ହୋଇ ଘରକୁ ଫେରିଥିଲେ । କିନ୍ତୁ ଆଜିର ସମାଜ ତାଙ୍କୁ ଆଡ ଆଖିରେ ଦେଖିବା ସହିତ, ସାମାଜିକ, ଅର୍ଥନୈତିକ ଓ କେତେକାଂଶରେ ପାରିବାରିକ ପ୍ରତିବନ୍ଧକ ସୃଷ୍ଠି ହୋଇଥିଲା । ଦୁଇ ବନ୍ଧୁ ଉପାୟ ଶୁନ୍ୟ ହୋଇ କଟକ ସ୍ଥିତ ନିଶା ନିବାରଣ ସୁଧାର ଗୃହର ଗୁରୁ ସହାସ୍ୟ ପଟ୍ଟନାୟକ (ଟିମା ଭାଇ)ଙ୍କ ତତ୍ତ୍ୱାବଧାନରେ ଯୋଗ, ପ୍ରାଣାୟାମ, ବ୍ୟାୟାମ ଓ ନିଶା ନିବାରଣ ସମ୍ପର୍କିତ ସମସ୍ତ ତଥ୍ୟ ଶିକ୍ଷା ଲାଭ କରିଥିଲେ । ପରେ ୨ ବନ୍ଧୁ ଘରକୁ ଫେରି ପରିବାର ଓ ବଦ୍ୟାନ ବ୍ୟକ୍ତିଙ୍କ ସହାୟତାରେ ‘ବାସ୍ତବ\’ ନାମରେ ଏକ ନିଶା ନିବାରଣ ସୁଧାର ଗୃହ ପ୍ରତିଷ୍ଠା କରିଥିଲେ । ବିଗତ ୭ ବର୍ଷ ତଳୁ ଗୋବରଘାଟା ପଞ୍ଚାୟତ ଅଗ୍ରୱାଲା ଛକ ନିକଟ ମିଲ ବାଡିରେ ଭଡ଼ା ସୂତ୍ରରେ ନିଶା ନିବାରଣ କେନ୍ଦ୍ର ଚଳାଇ ଆସୁଛନ୍ତି । ଦୀର୍ଘ ବର୍ଷ ଧରି ପ୍ରାୟ ୩ ହଜାରରୁ ଅଧିକ ବିପଥଗାମୀ ନିଶାଗ୍ରସ୍ତ ଯୁବକଙ୍କୁ ସ୍ୱଳ୍ପ ରକ୍ଷଣାବେକ୍ଷଣ ଖର୍ଚ୍ଚରେ ନିଶା ମୁକ୍ତ କରେଇ ପାରିଛନ୍ତି । ସେମାନେ ସଂସ୍ଥା ଚଳେଇବା ପାଇଁ ବହୁ ବାଧା ବିଘ୍ନ ର ସମ୍ମୁଖୀନ ହେଉଥିଲେ ମଧ୍ୟ ଭ୍ରୁକ୍ଷେପ ନ କରି ନିଶା ମୁକ୍ତ, ସୁସ୍ଥ ସମାଜ ଗଠନରେ ଅବଦାନ ଦେଇ ଚାଲିଛନ୍ତି । ଏହା ସହିତ ନିଶାମୁକ୍ତ ୮ ଜଣ ଯୁବକଙ୍କୁ ସୁଧାର ଗୃହରେ ଆଶ୍ରା ମଧ୍ୟ ଦେଇଛନ୍ତି । ଅଧୁନା ବାବାଜୀ ବିବାହ ବନ୍ଧନରେ ବାନ୍ଧି ହେବା ସହିତ ସୁଖୀ ଦାମ୍ପତ୍ୟ ଜୀବନ ବିତାଉଛନ୍ତି । ତାଙ୍କ ବନ୍ଧୁ ବାସୁ ମଧ୍ୟ ପରିବାରକୁ ଫେରି ସ୍ତ୍ରୀ ପିଲା ଛୁଆଙ୍କ ସହିତ ହସ ଖୁସିରେ ଜୀବନ ବିତାଉଛନ୍ତି । ଜୁନ ୨୬ ବିଶ୍ୱ ନିଶା ନିବାରଣ ଦିବସ ଅବସରରେ ନିଶାସକ୍ତ ଯୁବପିଢ଼ିଙ୍କୁ ଅଭିଭାବକଙ୍କ ଉପଦେଶ ମାନିବା ସହିତ ସମସ୍ତ ପ୍ରକାର ନିଶା ଦ୍ରବ୍ୟ ଠାରୁ ଦୂରେଇ ରହିବାକୁ ନିବେଦନ କରିଛନ୍ତି । ଏହି ୨ ବନ୍ଧୁଙ୍କ ନିଶା ନିବାରଣ କ୍ଷେତ୍ରରେ ଦୃଢ଼ ପ୍ରତିବଦ୍ଧତା ଆଜିର ଯୁବପିଢ଼ିକୁ ନିଶ୍ଚିତ ପ୍ରେରଣା ଯୋଗାଇବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.3 ° C
    24.3 °
    24.3 °
    91 %
    0.9kmh
    87 %
    Sun
    29 °
    Mon
    30 °
    Tue
    27 °
    Wed
    29 °
    Thu
    30 °

    ସମ୍ବନ୍ଧିତ