ଭୁବନେଶ୍ବର : ଡିଜିପିଙ୍କ ନିର୍ଦ୍ଦେଶ ସମସ୍ତ ଥାନାରେ ସକାଳ ୯ଟା ପୂର୍ବରୁ ଦୈନିକ “ବ୍ରିଫିଂ ପରେଡ୍” ବାଧ୍ୟତାମୂଳକ । ଏଣିକି ପ୍ରତିଦିନ ସକାଳ ୯ଟା ପୂର୍ବରୁ ସମସ୍ତ ଥାନାରେ ବ୍ରିଫିଂ ପରେଡ୍ ଅନୁଷ୍ଠିତ ହେବ । ଅପରାଧ ନିୟନ୍ତ୍ରଣ, ସାଧାରଣ ଲୋକଙ୍କ ସହ ପୋଲିସର ସମନ୍ୱୟ ଏବଂ ପୋଲିସିଂ ବ୍ୟବସ୍ଥାକୁ ଆହୁରି ସକ୍ରିୟ ଓ ଲୋକାଭିମୁଖୀ କରିବା ପାଇଁ ପ୍ରତିଦିନ ସକାଳ ୯ଟା ପୂର୍ବରୁ ରାଜ୍ୟର ସମସ୍ତ ଥାନାରେ ନିୟମିତ ଭାବେ ବ୍ରିଫିଂ ପରେଡ୍ ହେବ । ଡିଜିପିଙ୍କ ନିର୍ଦ୍ଦେଶ ପରେ କଟକ ମଙ୍ଗଳା ବାଗ ଥାନା ରେ ସକାଳ ୯ଟାରେ ବ୍ରିଫିଂ ପରେଡ୍ ହୋଇଛି । କୌଣସି ଥାନାରୁ ଅନିୟମିତାର ଅଭିଯୋଗ ବା ଅବହେଳାର ପ୍ରମାଣ ମିଳିଲେ, କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।
ଗତକାଲି ଅପରାହ୍ଣରେ ଭୁବନେଶ୍ୱରସ୍ଥିତ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟରେ ଡିଜିପି ଶ୍ରୀ ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ, ଲୋକଙ୍କ ସହ ପୋଲିସର ସମନ୍ୱୟ ଏବଂ ପୋଲିସ ବ୍ୟବସ୍ଥାକୁ ଆହୁରି ସକ୍ରିୟ ଓ ଲୋକାଭିମୁଖୀ କରିବାକୁ ଏହି ବୈଠକରେ ସମୀକ୍ଷା କରାଯାଇଥିଲା । ବ୍ରିଫିଂ ପରେଡ୍କୁ ନେଇ ଡିଜିପି କହିଛନ୍ତି ଯେ ଏହି ପରେଡ୍ ବେଳେ ସମ୍ପୃକ୍ତ ଥାନା ଅଞ୍ଚଳର ଆଇନଶୃଙ୍ଖଳା ପରିସ୍ଥିତି, ଅପରାଧପ୍ରବଣ ଅଞ୍ଚଳ, ଅପରାଧୀଙ୍କ ଚଳନ ଏବଂ ଚାଲୁଥିବା ତଦନ୍ତ ସମ୍ପର୍କରେ ସମୀକ୍ଷା ଓ ଆଲୋଚନା କରାଯିବ । ଏହାଦ୍ୱାରା ଥାନାସ୍ତରରେ ସମନ୍ୱୟ, ସତର୍କତା ଓ ତ୍ୱରିତ ପ୍ରତିକ୍ରିୟା କ୍ଷମତା ଆହୁରି ସୁଦୃଢ ହେବ । ସେହିଭଳି ଜରୁରୀକାଳୀନ ସହାୟତା ଯାନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ବୃତ୍ତିଗତ ଓ ବ୍ୟବହାରିକ ତାଲିମ ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ଜାମିନବିହୀନ ପରୱାନା(ଏନ୍ବିଡବ୍ଲ୍ୟୁ)ଗୁଡ଼ିକର ତ୍ୱରିତ କାର୍ଯ୍ୟକାରିତା, ଦୁର୍ଦ୍ଦାନ୍ତ ଓ ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ ଏନ୍ଏସ୍ଏ ଲାଗୁ କରିବା, ନିଶା କାରବାର ରୋକିବା ପାଇଁ ଜୋର୍ଦାର ଚଢ଼ଉ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ହତ୍ୟା ଭଳି ସଂଗିନ୍ ମାମଲାଗୁଡ଼ିକୁ ବରିଷ୍ଠ ପୋଲିସ ଅଧିକାରୀମାନେ ନିୟମିତ ଭାବେ ମନିଟରିଂ କରିବେ ବୋଲି ସେ କହିଛନ୍ତି । ଅଭିଯୁକ୍ତଙ୍କ ଗିରଫଦାରୀ, ଦୃଢ଼ ତଦନ୍ତ ଓ ଦଣ୍ଡାଦେଶକୁ ସୁନିଶ୍ଚିତ କରିବା ଲାଗି ପ୍ରଭାବଶାଳୀ ପଦକ୍ଷେପ ନେବାକୁ ଡିଜିପି ଶ୍ରୀ ଖୁରାନିଆ କହିଛନ୍ତି ।
ସେହିପରି ସମସ୍ତ ଥାନା ଅଞ୍ଚଳରେ ବିଟ୍ ପାଟ୍ରୋଲିଂକୁ ଆହୁରି ସକ୍ରିୟ କରିବା, ଜାତୀୟ ରାଜପଥରେ ପାଟ୍ରୋଲିଂ ବୃଦ୍ଧି କରିବା, ଅସଦାଚରଣ ଓ ଅପରାଧପ୍ରବଣ ଘଟଣା ରୋକିବା ପାଇଁ ସ୍ୱତନ୍ତ୍ର ଅଭିଯାନ କରିବାକୁ ସେ କହିଛନ୍ତି । ଆଗାମୀ ୧୫ ଦିନ ମଧ୍ୟରେ ପୁଲିସର ସକାରାତ୍ମକ କାର୍ଯ୍ୟ, ତ୍ୱରିତ ପଦକ୍ଷେପ ଓ ଜନସେବାମୂଳକ ଭୂମିକା ସମ୍ପର୍କରେ ସାଧାରଣ ଲୋକେ ଅବଗତ ହେବା ଉଚିତ ବୋଲି ସେ ବରିଷ୍ଠ ଅଧିକାରୀମାନଙ୍କୁ କହିଛନ୍ତି । ଏହି ବୈଠକରେ ଡିଜିପି(କ୍ରାଇମ୍ବ୍ରାଞ୍ଚ୍) ବିନୟତୋଷ ମିଶ୍ର, ଗୁଇନ୍ଦା(ନିର୍ଦ୍ଦେଶକ) ଆର୍ପି କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।
