ଭୁବନେଶ୍ୱର : ରାଜ୍ୟରେ ଅଧିକାଂଶ ବସରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା । ସରକାରୀ ନିୟମ ରହିଥିଲେ ବି କେହି ଏହି ନିୟମ ପାଳୁନାହାଁନ୍ତି । ଅଗ୍ନି ନିରାପତ୍ତା ଯାଞ୍ଚ ମଧ୍ୟ ଆଦୌ ହେଉ ନାହିଁ । କୌଣସି ବସ୍ ଯାତ୍ରୀ ମଧ୍ୟ ଏଥିପାଇଁ ସଚେତନ ନୁହନ୍ତି । ଅନ୍ୟପକ୍ଷରେ ଏବେ ବ୍ୟାଟେରି ଚାଳିତ ବସି ଚଳାଚଳ ଆରମ୍ଭ ହୋଇଛି । ଯେଉଁଥିରେ ଅଗ୍ନିକାଣ୍ଡ ଘଟିବାର ଅଧିକ ସମ୍ଭାବନା ରହୁଛି । ଏହାକୁ ଗୁରୁତର ସହ ନେଇଛି ପରିବହନ ଓ ଅଗ୍ନିଶମ ବିଭାଗ । କିଭଳି ଏହି ବିପଦପୂର୍ଣ୍ଣ ଯାତ୍ରାକୁ ଏଡ଼ାଇ ହେବ, ଏଥିପାଇଁ ସ୍କୁଲ୍ ବସ୍ ଠାରୁ ଆରମ୍ଭ କରି ନାଇଟ୍ କୋଚ୍, ଏସି ବସ୍, ସ୍ଲିପର କୋଚ୍ ପର୍ଯ୍ୟନ୍ତ ସମସ୍ତ ବସ୍ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରଖିବାକୁ ବାଧ୍ୟତାମୂଳକ କରାଯାଇଛି।
। କେବଳ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରଖିଲେ ହେବନାହିଁ । ଏହାର ବ୍ୟବହାର ସମ୍ପର୍କରେ ମଧ୍ୟ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବାକୁ ହେବ । ବସ୍ରେ ଅଗ୍ନିକାଣ୍ଡ ଘଟିଲେ ଏହାକୁ କିଭଳି ନିୟନ୍ତ୍ରଣ କରାଯିବ? ବସ୍ର ପ୍ରତ୍ୟେକ୍ କର୍ମଚାରୀ ଏ ସମ୍ପର୍କରେ ଜାଣିବା ଜରୁରୀ । ଆଗାମୀ ଦିନରେ ଏହାର କଡ଼ାକଡ଼ି ଯାଞ୍ଚ ହେବ । ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଜରିମାନା ତ ଗଣିବେ, ଦରକାର ପଡ଼ିଲେ ବସ୍କୁ ଜବତ କରାଯିବ । ଏନେଇ ଆଜି ଭୁବନେଶ୍ବର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ-୧ରେ ବାଣିଜ୍ୟ ଓ ପରିବହନ ବିଭାଗ, ଅଗ୍ନିଶମ ଓ ଜରୁରିକାଳୀନ ସେବା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ବସ୍ ମାଲିକ ସଂଘକୁ ନେଇ ଅନୁଷ୍ଠିତ ଏକ ସ୍ବତନ୍ତ୍ର ବୈଠକରେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ଓ ପରିବହନ କମିସନର ଅମିତାଭ ଠାକୁର ଯୋଗଦେଇ ଏଭଳି ସୂଚନା ଦେଇଛନ୍ତି ।
ଏଥିସହିତ ପ୍ରଥମ ୪ ସପ୍ତାହ ଅର୍ଥାତ ଆଗାମୀ ୪ ଶନିବାର ବସ୍ କର୍ମଚାରୀଙ୍କୁ ତାଲିମ୍ ପ୍ରଦାନ କରାଯିବ । ବସ୍ ମାଲିକଙ୍କ ନେତୃତ୍ବରେ ପରିବହନ ଅଧିକାରୀ ଓ ଅଗ୍ନିଶମ ଅଧିକାରୀ ଉପସ୍ଥିତ ରହି ବସ୍ଷ୍ଟାଣ୍ଡରେ ବସ୍ କର୍ମଚାରୀଙ୍କୁ ତାଲିମ ଦେବେ । ସେହିପରି ପ୍ରତି ୩ ମାସରେ ଥରେ ବସ୍ ଗୁଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯିବ । ନିୟମ ଉଲ୍ଲଂଘନ କଲେ ସେମାନଙ୍କ ବିରୋଧରେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସତର୍କ କରାଇଦିଆଯାଇଛି । ସରକାରୀ ବସ୍ଗୁଡ଼ିକରେ ମଧ୍ୟ ସମାନ ନିୟମ ଲାଗୁ କରାଯାଇଛି ।

