Thursday, April 9, 2026
32.4 C
Odisha

    ଏଣିକି ଭଡ଼ାରେ ଘର ଦେବେ ସରକାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସହରାଞ୍ଚଳରେ ବସବାସ କରୁଥିବା ସ୍ବଳ୍ପ ଆୟକାରୀ ବର୍ଗର ଲୋକଙ୍କୁ ସୁଲଭ ମୂଲ୍ୟରେ ମିଳିବ ଭଡ଼ା ଘର । ବିଭିନ୍ନ ଜିଲ୍ଲାରେ ଖାଲି ପଡ଼ିଥିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଘରଗୁଡ଼ିକୁ ମରାମତି କରି ଆର୍ଥିକ ଅନଗ୍ରସର ଲୋକଙ୍କୁ ରହିବା ପାଇଁ ଭଡ଼ା ସୂତ୍ରରେ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହର ୨.୦ ଅଧୀନରେ ସୁଲଭ ଭଡ଼ା ବାସଗୃହ (ଏଆରଏଚ୍‌) କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଏଥିପାଇଁ ଖାଲି ପଡ଼ିଥିବା କିମ୍ବା ଅବ୍ୟବହୃତ ଘର ଚିହ୍ନଟ କରି ତାହାର ବିବରଣୀ ପ୍ରଦାନ କରିବା ଲାଗି ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଉଷା ପାଢ଼ୀ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ଶାସନ ସଚିବଙ୍କୁ ପତ୍ର ଲେଖି ଜଣାଇଛନ୍ତି। ଏଥିରେ ଦର୍ଶାଯାଇଛି, ସହରାଞ୍ଚଳରେ ବାସ କରୁଥିବା ଗରିବ, ପ୍ରବାସୀ ଶ୍ରମିକ, ଶିଳ୍ପ କର୍ମଚାରୀ, ମହିଳା କର୍ମଜୀବୀ ମୁଣ୍ଡ ଗୁଞ୍ଜିବା ପାଇଁ ସ୍ବଳ୍ପ ମୂଲ୍ୟଯୁକ୍ତ ବାସଗୃହ ଆବଶ୍ୟକ କରିଥାନ୍ତି।

    ନିଜର ଘର ଖଣ୍ଡେ ନିର୍ମାଣ ପାଇଁ ଅସମର୍ଥ ଥିବା ଲୋକଙ୍କ ପାଇଁ ସୁଲଭ ମୂଲ୍ୟରେ ଭଡ଼ା ଘର ପାଇପାରିବେ। ଅଣସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କୁ ଅପେକ୍ଷାକୃତ କମ୍ ଭଡ଼ାରେ ବାସଗୃହ ଯୋଗାଇ ଦେବା ପାଇଁ ପିଏମଏୱାଇ (ୟୁ)-୨.୦ରେ ପ୍ରାବଧାନ ରହିଛି। ଏହି ଯୋଜନା ଦୁଇଟି ବର୍ଗରେ କାର୍ଯ୍ୟକାରୀ ହେବ। ପ୍ରଥମ ମଡେଲରେ ଖାଲି ପଡ଼ିଥିବା ସରକାରୀ ଘରକୁ ସରକାରୀ ଘରୋଇ ଭାଗୀଦାରି (ପିପିପି) ମୋଡ୍‌ରେ ମରାମତି କରାଯାଇ ବାସ ଉପଯୋଗୀ କରାଯିବ। ସେହିପରି ଦ୍ବିତୀୟ ମଡେଲରେ ସରକାରୀ/ଘରୋଇ ଅନୁଷ୍ଠାନ ଘର ନିର୍ମାଣ କରିବା ସହ ତାହାର ପରିଚାଳନା ଓ ମରାମତି ଦାୟିତ୍ବ ନେବେ। ସେହି ଘରକୁ ଭଡ଼ା ସୂତ୍ରରେ ଦେଇ ବିନିଯୋଗ ହୋଇଥିବା ଅର୍ଥ ଆଦାୟ କରାଯିବ। ଦୀର୍ଘକାଳୀନ ଭାବେ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏକ ସର୍ଭେ କରି ସ୍ଥାନୀୟ ପ୍ରଶାସନ ଘରଭଡ଼ା ନିର୍ଦ୍ଧାରଣ କରିବେ।

    ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଦୁଇ ବର୍ଷରେ ଘର ଭଡ଼ା ୮ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ପାରିବ। ତେଣୁ ସହରାଞ୍ଚଳରେ ଖାଲି ପଡ଼ିଥିବା କିମ୍ବା ଅବ୍ୟବହୃତ ଘରଗୁଡ଼ିକ ଚିହ୍ନଟ ଆବଶ୍ୟକ। ସେଗୁଡ଼ିକୁ ଭଡ଼ା ସୂତ୍ରରେ ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଶ୍ରୀମତୀ ପାଢ଼ୀ ନିଜ ପତ୍ରରେ ଦର୍ଶାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    32.4 ° C
    32.4 °
    32.4 °
    28 %
    4kmh
    100 %
    Thu
    31 °
    Fri
    37 °
    Sat
    39 °
    Sun
    41 °
    Mon
    43 °

    ସମ୍ବନ୍ଧିତ