Saturday, October 10, 2026
27.9 C
Odisha

    ଏବେ ପର୍ଯ୍ୟଟକ ଦେଖିବେ ଐତିହାସିକ ରଣାଙ୍ଗନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତୀୟ ସେନା ଦେଶବାସୀଙ୍କ ଆନନ୍ଦ ପାଇଁ ନୂଆ ଯୋଜନା କରିଛନ୍ତି। ଏହି ଯୋଜନାନୁସାରେ, ଦେଶର ଐତିହାସିକ ଯୁଦ୍ଧଭୂମିଗୁଡ଼ିକୁ ପର୍ଯ୍ୟଟନକ୍ଷେତ୍ର ଭାବେ ବ୍ୟବହାର କରାଯିବ ଏବଂ ସାଧାରଣ ନାଗରିକ ଏହାର ପରିଦର୍ଶନ ସହ ମଜା ଉଠାଇପାରିବେ।
    ଜାନୁଆରୀ ୧୫ ତାରିଖ, ବୁଧବାର ୭୭ତମ ସେନା ଦିବସ ଅବସରରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ‘ଭାରତ ରଣଭୂମି ଦର୍ଶନ’ ନାମରେ ଏହି ଯୋଜନା ଘୋଷଣା କରାଯାଇଛି। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ସହ ମିଶି ଭାରତୀୟ ସେନା ଏହି ପଦ​କ୍ଷେ‌ପ ଗ୍ରହଣ କରିଛନ୍ତି। ଏଥିମଧ୍ୟରେ ରହିଛି ବିଶ୍ବର ସର୍ବୋଚ୍ଚ ରଣାଙ୍ଗନ ସିଆଚେନ୍‌, କାର୍ଗିଲ, ଗଲୱାନ୍‌, ଡୋକଲାମ୍‌, ପାନ୍‌ଗଙ୍ଗ ହ୍ରଦ, ଜେ.ପି ଦତ୍ତଙ୍କ ‘ବର୍ଡର’ ସିନେମାରେ ବର୍ଣ୍ଣିତ ୧୯୭୧ର ପ୍ରସିଦ୍ଧ ରଣାଙ୍ଗନ ରାଜସ୍ଥାନର ଲଙ୍ଗେୱାଲା ଉପତ୍ୟକା, ଅରୁଣାଚଳ ପ୍ରଦେଶର ବୁମ୍‌-ଲା ଓ କିବିତୁ, ସିକିମ୍‌ର ଚୋ-ଲା ଭଳି ରୋମାଞ୍ଚକର ସ୍ଥାନ। ସୀମାନ୍ତ ସହ ରଣଭୂମି ପର୍ଯ୍ୟଟନକୁ ଲୋକପ୍ରିୟ କରିବା ଓ ଜନତାଙ୍କୁ ଭାରତୀୟ ସେନାର ଐତିହାସିକ ଘଟଣାବଳୀ ସମ୍ପର୍କରେ ଅବଗତ କରିବା ଏହାର ଉଦ୍ଦେଶ୍ୟ। ଏଥିସହ ଦେଶଭକ୍ତି ଜାଗ୍ରତ ହେବାର ସୁଯୋଗ ମଧ୍ୟ ସୃଷ୍ଟି ହେବ। ଆଗକୁ ଆଉ କେତୋଟି ସ୍ଥାନକୁ ମଧ୍ୟ ଏହି ଯୋଜନାର ଅନ୍ତର୍ଭୁକ୍ତ କରାଯିବ।
    ସେନାଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ କହିଛନ୍ତି ଯେ ଏହି ଯୋଜନାରେ ଯୁଦ୍ଧଭୂମିଗୁଡ଼ିକର ବିକାଶ କରାଯିବ। ପୂର୍ବରୁ ସୀମାନ୍ତ ଓ ସୀମାରେ ଥିବା ବଙ୍କର ଆଦି ପରିଦର୍ଶନ କରିବାର ସୁଯୋଗ ସାଧାରଣ ନାଗରିକଙ୍କୁ ମିଳୁନଥିଲା। ଏବେ ଏହି ସୁଯୋଗ ପ୍ରଦାନ କରାଯିବ। ଏହା ମାଧ୍ୟମରେ ଭିତ୍ତିଭୂମି, ଯୋଗାଯୋଗ, ପର୍ଯ୍ୟଟନ ଓ ଶିକ୍ଷାର ବିକାଶ ଘଟିବା ସହ ଲୋକଙ୍କୁ ଅନେକ ସୁଯୋଗ ମିଳିପାରିବ। ଏ ସମ୍ପର୍କିତ ସୂଚନା ପାଇଁ ସ୍ବତନ୍ତ୍ର ୱେବ୍‌ସାଇଟ୍‌ ଖୋଲାଯିବ। ଏହା ମାଧ୍ୟମରେ ପର୍ଯ୍ୟଟକଙ୍କୁ ସମସ୍ତ ତଥ୍ୟ ମିଳିପାରିବ। ସମ୍ପୃକ୍ତ ସ୍ଥାନରେ ଯୁଦ୍ଧ ଇତିହାସ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ