ସୋସିଆଲ ମିଡିଆ ପ୍ଲାଟଫର୍ମ X କୁ କର୍ଣ୍ଣାଟକ ହାଇକୋର୍ଟରୁ ମିଳିଲା ଝଟକା । ବୁଧବାର ଅର୍ଥାତ୍ ଗତକାଲି କୋର୍ଟ କେନ୍ଦ୍ର ସରକାରଙ୍କ ଟେକଡାଉନ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି X ଆବେଦନକୁ ଖାରଜ କରିଦେଇଥିଲେ । କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ‘ଭାରତରେ କାର୍ଯ୍ୟ କରିବା ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ଭାରତୀୟ ଆଇନ ପାଳନ କରିବାକୁ ପଡିବ’ ।
ନିକଟରେ କେନ୍ଦ୍ର ସରକାର Xଙ୍କୁ କିଛି ଆକାଉଣ୍ଟ ଏବଂ ପୋଷ୍ଟକୁ ଅବରୋଧ କରିବାକୁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ଏଲନ ମସ୍କଙ୍କ କମ୍ପାନୀ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି କର୍ଣ୍ଣାଟକ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା । X କୋର୍ଟରେ ଯୁକ୍ତି ଦର୍ଶାଇଥିଲେ ଯେ, ଏହା ଆମେରିକୀୟ ଆଇନ ଅନୁଯାୟୀ କାର୍ଯ୍ୟ କରେ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତାର ଅଧିକାର ରହିଛି । ତେଣୁ, ଏହାକୁ ଭାରତ ସରକାରଙ୍କ ଟେକଡାଉନ ନିର୍ଦ୍ଦେଶ ପାଳନ କରିବାକୁ ପଡିବ ନାହିଁ ।
ଏହାର ଜବାବରେ, ସରକାର କହିଥିଲେ ଯେ ଧାରା 19(2) କେବଳ ଭାରତୀୟ ନାଗରିକଙ୍କ ପାଇଁ ମତାମତ ସ୍ୱାଧୀନତା ପ୍ରଦାନ କରେ । ବିଦେଶୀ କମ୍ପାନୀ କିମ୍ବା ଅଣନାଗରିକଙ୍କ ପାଇଁ ନୁହେଁ । କେନ୍ଦ୍ର ସରକାର କହିଥିଲେ ଯେ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ଦେଶର ଆଇନ ଏବଂ ନିୟମାବଳୀ ପାଳନ କରିବା ଆବଶ୍ୟକ ।
ଜାଣିରଖନ୍ତୁ କର୍ଣ୍ଣାଟକ ହାଇକୋର୍ଟ କହିଥିଲେ ଯେ ସୋସିଆଲ ମିଡିଆ ନିୟନ୍ତ୍ରଣ ଆଜିର ସମୟରେ ନିହାତି ଜରୁରୀ । ଏଥିସହ କମ୍ପାନୀଗୁଡ଼ିକୁ ନିୟନ୍ତ୍ରଣ ବିନା କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ । ଜଷ୍ଟିସ୍ ଏମ୍. ନାଗପ୍ରସନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ରାୟ ପ୍ରଦାନ କରିବା ସମୟରେ କହିଥିଲେ, ‘ସୂଚନା ଏବଂ ଯୋଗାଯୋଗକୁ କେବେବି ଅନିୟନ୍ତ୍ରିତ କରାଯାଇନାହିଁ । ଟେକ୍ନୋଲୋଜୀ ଆଗକୁ ବଢ଼ିବା ସହିତ, ନିୟନ୍ତ୍ରଣ ଏବଂ ନିୟମାବଳୀ ମଧ୍ୟ କାର୍ଯ୍ୟକାରୀ ହୋଇଛି ।’ ଏଥିସହ କୋର୍ଟ ଆହୁରି ମଧ୍ୟ କହିଛି ଯେ, ‘ନ୍ୟାୟିକ ସୁରକ୍ଷା ଚାହୁଁଥିବା ଯେକୌଣସି ନାଗରିକଙ୍କୁ ଦେଶର ନାଗରିକ ହେବା ଜରୁରୀ’ ।