ଶୀତ ଋତୁରେ ଅଧିକାଂଶ ଲୋକ ସ୍ୱାସ୍ଥ୍ୟଗତ ସମସ୍ୟାର ଶିକାର ହୋଇଥାନ୍ତି । ସେଥିପାଇଁ ଶରୀର ପ୍ରତି ଧ୍ୟାନ ଦେବା ଆବଶ୍ୟକ । ସୁସ୍ଥ ଶରୀର ପାଇଁ ସୁସ୍ଥ ଜୀବନଶୈଳୀ ସହିତ ଉତ୍ତମ ଏବଂ ପୁଷ୍ଟିକର ଖାଦ୍ୟ ଅତ୍ୟନ୍ତ ଜରୁରୀ । ତେଣୁ ସକାଳ ଜଳଖିଆ ହେଲଦି ହେବା ଉଚିତ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସକାଳ ଜଳଖିଆରେ ଫଳ କିମ୍ବା ଫଳ ଜୁସ୍ ପିଇବାକୁ ପରାମର୍ଶ ଦେଇଥାଆନ୍ତି । ସମସ୍ତ ଫଳ ମଧ୍ୟରେ କମଳା ହେଉଛି ସର୍ବୋତ୍ତମ । ଯାହା ସୁସ୍ଥ ଶରୀର ପାଇଁ ଲାଭଦାୟକ ହୋଇଥାଏ । କମଳା ହେଉ ଅବା ତା’ର ଜୁସ ଉଭୟ ଆମ ସ୍ୱାସ୍ଥ୍ୟ ପାଇଁ ଫଳପ୍ରଦ ହୋଇଥାଏ । ସବୁ ଋତୁ ଅପେକ୍ଷା ଶୀତଦିନ ପାଇଁ ଏହି ଜୁସ୍ ବେଷ୍ଟ ହୋଇଥାଏ ।
କମଳା ଯେତିକି ସ୍ବାଦିଷ୍ଟ ସୁସ୍ଥ ଶରୀର ପାଇଁ ମଧ୍ୟ ସେତିକି ଫଳପ୍ରଦ । କମଳା ବଦଳରେ ଆପଣ କମଳା ଜୁସ୍ ମଧ୍ୟ ପିଇପାରିବେ । କମଳାରେ ଭିଟାମିନ ସି, ଫାଇବର, ପୋଟାସିୟମ, ମ୍ୟାଗ୍ନେସିୟମ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭଳି ପୋଷକ ତତ୍ତ୍ୱ ରହିଛି । ଯାହା ଆପଣଙ୍କ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଉଛି । ସକାଳ ଜଳଖିଆ ସହିତ ଗୋଟିଏ ଗ୍ଲାସ କମଳା ରସ ପିଇବା ଦ୍ୱାରା ଆପଣଙ୍କୁ ଏକ ଚମତ୍କାରୀ ଫାଇଦା ମିଳିଥାଏ । ଏହା ବ୍ୟତୀତ, ପ୍ରତିଦିନ ଏହାକୁ ସେବନ କରିବା ଦ୍ୱାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ଏବଂ ସଂକ୍ରମଣ ଜନିତ ରୋଗରୁ ରକ୍ଷା କରିଥାଏ । ତେବେ ଆସନ୍ତୁ କମଳା ଜୁସର ଫାଇଦା ଏବଂ ପିଇବାର ଉଚିତ୍ ସମୟ ସୀମା ସମ୍ପର୍କରେ ଜାଣିବା ।
ଶୀତଦିନେ କମଳା ଜୁସ୍ କେବଳ ସକାଳେ କିମ୍ବା ଅପରାହ୍ନରେ ପିଇବା ଉଚିତ । ଏହି ସମୟରେ ଏହି ଜୁସ୍ ପିଇବା ଦ୍ୱାରା ଅନେକ ଲାଭ ମିଳିଥାଏ । କିନ୍ତୁ କେବେବି ଖାଲି ପେଟରେ କିମ୍ବା ରାତିରେ କମଳା ଜୁସ୍ ପିଅନ୍ତୁ ନାହିଁ । କାରଣ ଏହା ଏସିଡିଟି ଏବଂ ପେଟ ସମସ୍ୟା ସୃଷ୍ଟି କରିପାରେ ।
ବିଶେଷ କରି ଶୀତ ଋତୁରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଇଥାଏ । ଏଥିରେ ଥିବା ଭିଟାମିନ୍ ସି ଗୁଣ ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ କରିବାରେ ସାହାଯ୍ୟ କରିଥାଏ । ଏଥିସହ ଥଣ୍ଡା, କାଶ ଭଳି ସଂକ୍ରମଣାତ୍ମକ ରୋଗରୁ ମଧ୍ୟ ରକ୍ଷା କରିଥାଏ । ତେଣୁ ପ୍ରତିଦିନ କମଳା ଜୁସ୍ ପିଇବା ନିହାତି ଆବଶ୍ୟକ ।
ଶୀତଦିନେ କୋଲେଷ୍ଟ୍ରୋଲ ବୃଦ୍ଧି ପାଇବାର ସମ୍ଭାବନା ଅଧିକ ଥାଏ । ଯାହା ପିଇବା ଦ୍ବାରା ଏହି ସମସ୍ୟାକୁ ନିୟନ୍ତ୍ରଣ କରାଯାଇପାରିବ । ଏଥିରେ ଥିବା ଫାଇବର ଏହି ସମସ୍ୟାକୁ ରୋକିବାରେ ସାହାଯ୍ୟ କରିଥାଏ । ହାର୍ଟ ଜନିତ ସମସ୍ୟାର ଆଶଙ୍କାକୁ ମଧ୍ୟ ହ୍ରାସ କରିଥାଏ । ଶୀତଦିନେ ସାଧାରଣତଃ ସମସ୍ତଙ୍କ ପାଣି ପିଇବା କମି ଯାଇଥାଏ । ଫଳରେ ଡିହାଇଡ୍ରେସନ୍ ଭଳି ସମସ୍ୟା ଦେଖାଦେଇଥାଏ । ସେଥିପାଇଁ କମଳା ଜୁସ୍ ପିଇବା ଉଚିତ୍ । ଏହା ସହିତ ଦୁର୍ବଳତା, ଥକ୍କାପଣ, ମୁଣ୍ଡବିନ୍ଧା ଏବଂ ମୁଣ୍ଡ ବୁଲାଇବା ଭଳି ସମସ୍ୟାକୁ ମଧ୍ୟ ଚୁଟକିରେ ଗାଏବ କରିଦେଇଥାଏ ।
ଏତିକି ନୁହେଁ ବରଂ ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଗୁଣ ଆପଣଙ୍କ ସ୍କିନର ଫ୍ରି ରାଡିକିଲସକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଯାହା ଦ୍ବାରା ଆପଣଙ୍କ ସ୍କିନରେ ଚମକ ଆଣିଥାଏ । ଏହା ବ୍ୟତୀତ ଆଖି ପାଇଁ ଏହି ଜୁସ୍ ବରଦାନ ସଦୃଶ । ଏହି ଜୁସକୁ ନିୟମିତ ସେବନ କରିବା ଦ୍ବାରା ଦୃଷ୍ଟିଶକ୍ତିକୁ ଉନ୍ନତ କରିବା ସହ ଆଖି ସମସ୍ୟାରୁ ମଧ୍ୟ ରକ୍ଷା କରେ । ତେଣୁ ଆଗକୁ ଆସୁଥିବା ଶୀତ ଋତୁରେ ଏହି ଟିପ୍ସକୁ ଫଲୋ କରନ୍ତୁ । ଯାହା ଆପଣଙ୍କୁ ଅନେକ ସମସ୍ୟାରୁ ମୁକ୍ତି ଦେବ ।