Thursday, April 16, 2026
42.3 C
Odisha

    ଐତିହାସିକ ଅଭିଯାନରେ ଜୟପୁର ଝିଅ: ୧୨୪ ମହିଳାଙ୍କ ସହ ଆଣ୍ଟାର୍କଟିକା ଯାତ୍ରା

    ଆଗକୁ ପଢନ୍ତୁ

    କୋରାପୁଟ : ଆସନ୍ତାକାଲି ଠାରୁ ସପ୍ତାହ ବ୍ୟାପୀ ଦକ୍ଷିଣ ମେରୁ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଆଣ୍ଟାର୍କଟିକା ଗସ୍ତ କରିବେ ବିଶ୍ବର ୧୨୪ଜଣ ମହିଳା। ଏହି ଦଳରେ ସ୍ଥାନ ପାଇଛନ୍ତି କୋରାପୁଟର ପୂର୍ବତନ ସିଡିଏମ୍‌ଓ ତଥା ଜୟପୁର ବାସିନ୍ଦା ସ୍ବର୍ଗତ ଡାକ୍ତର ଡି. ରାମଣା ରାଓଙ୍କ ଝିଅ ଡାକ୍ତର ସରିତା ଦାରା। ନ୍ୟୁଜିଲାଣ୍ଡ ସ୍ଥିତ ହୋମୱାର୍ଡ ବାଉଣ୍ଡ ପକ୍ଷରୁ ବିଶ୍ବର ୧୨୪ଜଣ ମହିଳା ବି‌ଶେଷଜ୍ଞଙ୍କୁ ଚିହ୍ନଟ କରି ଏହି ଐତିହାସିକ ଅଭିଯାନରେ ପଠାଯାଉଛି ବୋଲି ସରିତା କହିଛନ୍ତି। ଆର୍ଜେଣ୍ଟିନାର ଉଷୁଉଇଆରୁ ସ୍ବତନ୍ତ୍ର କ୍ରୁଜ୍‌ରେ ଏହି ଦଳ ବାହାରିଛନ୍ତି। ଆଣ୍ଟାର୍କଟିକାରେ ପହଞ୍ଚିବା ପରେ ୭ଦିନ ଧରି ଗବେଷଣା କରିବେ। ଏହି ଗବେଷଣା ବିଶ୍ବ କଲ୍ୟାଣ ନିମନ୍ତେ ଉପଯୋଗୀ ହେବ। ଏଥିପାଇଁ ବିଜ୍ଞାନ, ବୈଷିୟିକ, ଇଞ୍ଜିନିୟରିଂ, କଳା, ଗଣିତ, ସ୍ବାସ୍ଥ୍ୟ କ୍ଷେତ୍ରରେ କାମ କରୁଥିବା ମହିଳାଙ୍କୁ ସାମିଲ କରାଯାଇଛି। ଦଳରେ ଜିଓକେମିଷ୍ଟ, ଗଣିତଜ୍ଞ, ସାମୁଦ୍ରିକ ଜୀବବିଜ୍ଞାନୀ, ପ୍ରତିରକ୍ଷା ବିଶେଷଜ୍ଞ, ଡାକ୍ତର ରହିଛନ୍ତି। ସରିତାଙ୍କ ସହ ୟୁକେରେ ବସବାସ କରୁଥିବା ୫ଜଣ ଭାରତୀୟ ମହିଳା ବି ଆଣ୍ଟାର୍କଟିକା ଯାଉଛନ୍ତି। ସେମାନେ ହେଲେ ଇଂ. ଅଦିତି ଗୁପ୍ତା, କଳାଇୱାଣି ଜୟାସିଲାନ, ଡ.ନିଲମ ପଟେଲ, ଡ.ପଲ୍ଲବୀ ପ୍ରତିବାଦୀ, ଇଂ. ସାନିୟା ଦେଶପାଣ୍ଡେ। ଦଳରେ ସର୍ବାଧିକ ଅଷ୍ଟ୍ରେଲିଆର ୫୦ଜଣ ମହିଳା ରହିଛନ୍ତି। ଏହାସହ ୟୁଏସ୍‌ଏ, ନ୍ୟୁଜିଲାଣ୍ଡ, ଚୀନ୍‌, ସ୍ପେନ, ସାଉଦି ଆରବ, ଶ୍ରୀଲଙ୍କା ଓ ଭାରତୀୟ ମହିଳାଙ୍କୁ ସାମିଲ କରାଯାଇଛି।ସରିତା ବର୍ତ୍ତମାନ ନ୍ୟୁଜିଲାଣ୍ଡର ବେସାମରିକ ବିମାନ ଚଳାଚଳ ବିଭାଗରେ ବରିଷ୍ଠ ମେଡିକାଲ ଅଧିକାରୀ ଭାବେ କାମ କରୁଛନ୍ତି। ଏରୋସ୍ପେସ୍‌ ମେଡିସିନ୍‌ରେ ଏମ୍‌ଡି, ମହାକାଶବିଜ୍ଞାନରେ ସ୍ନାତକୋତ୍ତର କରିବା ସହ ହ୍ୟୁମାନଫ୍ୟାକ୍ଟର ଇଞ୍ଜିନିୟରିଂରେ ପିଏଚ୍‌ଡି ହାସଲ କରିଛନ୍ତି। ଜଣେ ପ୍ରଶିକ୍ଷକ ଭାବେ ଭାରତ, ଆମେରିକା, ସିଙ୍ଗାପୁର ଓ ନ୍ୟୁଜିଲାଣ୍ଡରେ ଦୁଇ ଦଶନ୍ଧି ଧରି କାମ କରିଆସୁଛନ୍ତି। ସେହିପରି ୟୁଏନ୍‌ ପକ୍ଷରୁ ତାଙ୍କୁ ମେଣ୍ଟର ଅଫ ସ୍ପେସ୍‌ ଫର ୱିମେନ୍ ଭାବେ ନିଯୁକ୍ତି ଦିଆଯାଇଛି। ଜୟପୁର ନୂଆସାହିରେ ପିଲାଦିନ ବିତାଇଥିବା ସରିତା ସ୍ଥାନୀୟ ପବ୍ଲିକ ସ୍କୁଲରୁ ମାଟ୍ରିକ୍‌ ପାସ୍‌ କରିଥିଲେ। ବିକ୍ରମ ଦେବ ମହାବିଦ୍ୟାଳୟରୁ ଯୁକ୍ତ୨ ପାସ୍‌ କରିବା ପରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ ଏମବିବିଏସ୍ ପଢ଼ିଥିଲେ। ଏହାପରେ ବେଙ୍ଗାଲୁରୁ ସ୍ଥିତ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଏରୋସ୍ପେସ୍‌ ମେଡିସିନ୍‌ରେ ଏମ୍‌ଡି କରିବା ପରେ ଫ୍ରାନ୍ସର ଷ୍ଟ୍ରାସବର୍ଗ ଇ‌ଣ୍ଟରନ୍ୟାସନାଲ ସ୍ପେସ୍ ବିଶ୍ବବିଦ୍ୟାଳୟରେ ଏମ୍‌ଏସ୍ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42.3 ° C
    42.3 °
    42.3 °
    12 %
    4.4kmh
    2 %
    Thu
    43 °
    Fri
    43 °
    Sat
    43 °
    Sun
    44 °
    Mon
    44 °

    ସମ୍ବନ୍ଧିତ