Wednesday, October 7, 2026
31.4 C
Odisha

    ଓଡ଼ିଶା ବନ୍ଦ: ସମର୍ଥନ କଲା କଂଗ୍ରେସ, ବିଜେଡିର ସାଧୁବାଦ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଧାନକିଣା ଅବ୍ୟବସ୍ଥା, ଯାନବାହନ ପ୍ରଦୂଷଣ ସାର୍ଟିଫିକେଟ୍‌ ଆଳରେ ମାତ୍ରାଧିକ ତଣ୍ଡ ଆଦାୟ, ଟାଟା କମ୍ପାନିର ମନମାନି ବିରୋଧରେ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ। ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ୮ ଘଣ୍ଟିଆ ରାଜ୍ୟବ୍ୟାପୀ ଆନ୍ଦୋଳନ ଚାଲିବ। ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ, ବାମ ଦଳ ଓ ବିଭିନ୍ନ ସାମାଜିକ ସଂଗଠନ ସମର୍ଥନ ଜଣାଇଛନ୍ତି। ବିଜେଡି ଏହାକୁ ସ୍ବାଗତ କରିଥିଲେ ହେଁ ବିଧିବଦ୍ଧ ସମର୍ଥନ ଦେଇନାହିଁ। ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି, ମଣ୍ଡିରେ ଧାନକିଣାକୁ ନେଇ ଅବ୍ୟବସ୍ଥା ଲାଗି ରହିଛି। ମନଇଚ୍ଛା କଟ୍‌ନିଛଟ୍‌ନି ଚାଲିଛି। ଚାଷୀମାନେ ଟୋକନ୍‌ ସମସ୍ୟା ଭୋଗୁଛନ୍ତି। ଏହି ସମସ୍ୟାକୁ ସରକାର ଅଗ୍ରାଧିକାର ଦେଉନାହାନ୍ତି। ସେହିପରି ଯାନବାହନର ପ୍ରଦୂଷଣ ସାର୍ଟିଫିକେଟ୍‌ ଆଳରେ ସରକାର ତଣ୍ଡ ଆଦାୟ କରୁଛନ୍ତି। ରାଜ୍ୟର ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ଟାଟା ପାୱାର ଶୋଷଣ କରୁଛି।ଏହାର ପ୍ରତିବାଦରେ ଆସନ୍ତାକାଲି ବନ୍ଦ ଡାକରା ଦିଆଯାଇଛି। ହେଲେ ଜରୁରିକାଳୀନ ସେବାକୁ ବନ୍ଦରୁ ବାଦ୍‌ ଦିଆଯାଇଛି। ଓଡ଼ିଶା କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ଦାସ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ବରେ ରାଜ୍ୟବ୍ୟାପୀ ବିଭିନ୍ନ ପ୍ରସଙ୍ଗକୁ ନେଇ କଂଗ୍ରେସର ଆନ୍ଦୋଳନ ଜାରି ରହିଛି। ମଣ୍ଡିରେ ଦେଖାଦେଇଥିବା ଚରମ ଅବ୍ୟବସ୍ଥା, ୧୫୦ କ୍ବିଣ୍ଟାଲ୍‌ରୁ ଅଧିକ ଧାନବିକା ବେଳେ ଇନ୍‌ପୁଟ୍‌ ସବ୍‌ସିଡିକୁ ସରକାର ବନ୍ଦ କରିଦେବା, ବିଜୁଳିକୁ ନେଇ ସରକାର, ଓଇଆର୍‌ସି ଓ ଟାଟା ପାୱାରର ମନମାନି ବିରୋଧରେ ଦଳ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ପ୍ରଦୂଷଣ ସାର୍ଟିଫିକେଟ୍‌ ନାଁରେ ରାଜ୍ୟବାସୀ ଯେଭଳି ତଣ୍ଡ ଗଣୁଛନ୍ତି ତା’ ବିରୋଧରେ ବି କଂଗ୍ରେସ ସ୍ବର ଉତ୍ତୋଳନ କରିଆସିଛି। ତେଣୁ ଆସନ୍ତାକାଲିର ବନ୍ଦ ଘୋଷଣାକୁ ସମର୍ଥନ କରିବାକୁ ସବୁ ଜିଲ୍ଲା କଂଗ୍ରେସ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି।
    ବାମ ଦଳ, ବିଭିନ୍ନ ସାମାଜିକ ସଂଗଠନର ସମର୍ଥନ

    ସେହିପରି ସିପିଆଇ (ମାର୍କ୍ସବାଦୀ), ରାଜ୍ୟ କମିଟି ଓଡ଼ିଶା ବନ୍ଦକୁ ସମର୍ଥନ ଘୋଷଣା କରିଛି। ରାଜ୍ୟ କମିଟି ସଂପାଦକ ସୁରେଶ ପାଣିଗ୍ରାହୀ କହିଛନ୍ତି ଯେ ରାଜ୍ୟରେ ଧାନ କ୍ରୟ ପ୍ରଣାଳୀ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ମଣ୍ଡି ଖୋଲିବାରେ ବିଳମ୍ବ, ଟୋକନ୍‌ ଅନିୟମିତତା, ଧାନକ୍ରୟ ପରେ ବି ଢେର୍ ଦିିନ ଯାଏଁ ଟଙ୍କା ନ ମିଳିବା କାରଣରୁ ଚାଷୀମାନେ ଆର୍ଥିକ ସଙ୍କଟରେ ପଡ଼ିଛନ୍ତି। କେବଳ ସେତିକି ନୁହେଁ, ମଣ୍ଡିରେ ଅନିୟମିତତା ଦୂର ସହ ଦଲାଲ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେ ଦାବି କରିଛନ୍ତି। ଅପରପକ୍ଷରେ ନବନିର୍ମାଣ କୃଷକ ସଂଗଠନ ଚାଷୀ ହିତରେ ପଦକ୍ଷେପ ନେଉଥିବାରୁ ଏହାକୁ ସାଧୁବାଦ ଜଣାଇଛି ବିଜେଡି। ମୁଖପାତ୍ର‌ ଲେନିନ ମହାନ୍ତି କହିଛନ୍ତି ଯେ ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ଚାଷୀମାନେ ବିଭିନ୍ନ ସମସ୍ୟା ପାଇଁ ବିଜେପି ସରକାର ବିରୋଧରେ ଆନ୍ଦୋଳନ କରୁଛନ୍ତି। ବିଜେଡି ପ୍ରତିଷ୍ଠା ହେବା ପରଠାରୁ ସର୍ବଦା ଚାଷୀ ସଶକ୍ତୀକରଣ ପାଇଁ ପ୍ରତିବଦ୍ଧ। ନବନିର୍ମାଣ କୃଷକ ସଂଗଠନ ଯେଉଁ ଆନ୍ଦୋଳନ ଡାକରା ଦେଇଛି ବିଜେଡି ଏହାକୁ ସାଧୁବାଦ ଜଣାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ