Thursday, October 1, 2026
28.5 C
Odisha

    ଓଡିଆ ନବବର୍ଷ ପାଇଁ ଆଜି ଭିତର ରତ୍ନଭଣ୍ଡାର ଅଳଙ୍କାର ଗଣତି ବନ୍ଦ: ୧୬ରୁ ୧୮ ପୁଣି ଗଣତି

    ଆଗକୁ ପଢନ୍ତୁ

    ପୁରୀ  : କଡ଼ା ସୁରକ୍ଷା ମଧ୍ୟରେ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ସୋମବାର ଆରମ୍ଭ ହୋଇଛି। ପ୍ରଥମ ଦିନରେ ପ୍ରାୟ ୫ଘଣ୍ଟା ୨୨ମିନିଟ ପର୍ଯ୍ୟନ୍ତ ଗଣତି ପ୍ରକ୍ରିୟା ଚାଲିଥିଲା । ୧୯୭୮ ମସିହା ଗଣତି ମେଳକ ସହ ପ୍ରଥମ କରି ଗୋଟିଏ ଆଲମିରା ଖୋଲାଯାଇ ଗଣତିମଣତି ଆରମ୍ଭ ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି।
    ସୋମବାର ଗଣତିମଣତି ପ୍ରକ୍ରିୟାର ସମସ୍ତ ସଦସ୍ୟ ସକାଳ ୧୦ଟା ୩୦ ପରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ସେଠାରେ ମହାପ୍ରଭୁ ଏବଂ ଅନ୍ୟ ପାର୍ଶ୍ବ ଦେବଦେବୀଙ୍କ ଆଶିଷ ନେବା ପରେ ୧୨ଟା ୨୫ରେ ଭିତର ରତ୍ନଭଣ୍ଡାରକୁ ଯାଇଥିଲେ। ୧୨ଟା ୪୦ରେ ଭିତର ରତ୍ନଭଣ୍ଡାର ତାଲା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଖୋଲାଯାଇଥିଲା।

    ପ୍ରଥମେ ଗୋଟିଏ ଆଲମିରାରୁ ରତ୍ନଅଳଙ୍କାର ବାହାର କରାଯାଇ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି। ମାର୍ଗଦର୍ଶିକା ଅନୁଯାୟୀ ସୁନା ଅଳଙ୍କାରଗୁଡ଼ିକ ହଳଦିଆ ମୁଣିରେ, ରୁପା ଅଳଙ୍କାରକୁ ଧଳା ଏବଂ ଅନ୍ୟାନ୍ୟ ରତ୍ନକୁ ନାଲି କନାମୁଣିରେ ବନ୍ଧାଯିବା ପରେ ଏହାକୁ ଏକ ଷ୍ଟିଲ ବାକ୍ସରେ ରଖାଯାଇଥିଲା। ପରେ ଷ୍ଟିଲ ବାକ୍ସକୁ ସିନ୍ଦୁକ ଭିତରେ ରଖାଯାଇଥିଲା। ପ୍ରତ୍ୟେକ ମୁଣିରେ ୨୦୨୬ର ନୂଆ ଟ୍ୟାଗ୍‌ ଲଗାଯାଇଥିଲା। ଗଣତି ପ୍ରକ୍ରିୟା ବେଳେ ଆହୁରି ୪ଟି ସିନ୍ଦୁକ ପ୍ରସ୍ତୁତ ହୋଇ ରହିଛି। ଓଜନ ମାପ ସହ ଅଳଙ୍କାରର ଚିହ୍ନଟ ବଣିଆ ଏବଂ ରତ୍ନ ବିଷାରଦଙ୍କ ଦ୍ୱାରା କରାଯାଉଛି। ଚିହ୍ନଟ ସମ୍ପୂର୍ଣ୍ଣ ପରେ ଏହାକୁ ୧୯୭୮ ମସିହା ତାଲିକା ଅନୁଯାୟୀ କ୍ରମିକ ସଂଖ୍ୟା ସହ ମେଳକ କରାଯାଇ ସିନ୍ଦୁକରେ ରଖାଯାଉଛି।

    ଏସବୁର ଫଟୋଗ୍ରାଫି, ଭିଡ଼ିଓଗ୍ରାଫି ଏବଂ ୩ଡି ମ୍ୟାପିଂକୁ ବ୍ୟବସ୍ଥିତ କରିବା ପାଇଁ ପ୍ରାୟ ୨ରୁ ୨ଘଣ୍ଟା ୩୦ ମିନିଟ ସମୟ ଲାଗିଥିଲା।
    ଆଜି ଓଡ଼ିଆ ନବବର୍ଷ ପାଇଁ ଗଣତି ମଣତି କାର୍ଯ୍ୟ ବନ୍ଦ ରହିବ। ଆସନ୍ତା ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ପୁଣି ଥରେ ଭିତର ରତ୍ନଭଣ୍ଡାର ଗଣତି କାର୍ଯ୍ୟ ଆରମ୍ଭ ହେବ। ପରେ ଭିତର ଚନ୍ଦନ ଯାତ୍ରା ପାଇଁ ଏହି ପ୍ରକ୍ରିୟା ବନ୍ଦ ରହିବା ସହ ବାହାର ଚନ୍ଦନଯାତ୍ରା ଲାଗି ଶ୍ରୀମନ୍ଦିର ନୀତିକାନ୍ତିକୁ ଲକ୍ଷ୍ୟ ରଖି ପୁନର୍ବାର ଗଣତି କାର୍ଯ୍ୟ କେବେ ହେବ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    28.5 ° C
    28.5 °
    28.5 °
    71 %
    1.6kmh
    18 %
    Thu
    26 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ