Thursday, August 20, 2026
30.1 C
Odisha

    ସରିଲା ଚନ୍ଦନେଶ୍ୱର ଚଡ଼କ ମେଳା : ଆଜି ଶ୍ରୀଜିଉଙ୍କ ନିକଟରେ ଲାଗି ହେବ ପଣା ଭୋଗ

    ଆଗକୁ ପଢନ୍ତୁ

    ଚନ୍ଦନେଶ୍ୱର : ବାଲେଶ୍ୱର ଜିଲ୍ଲା ସୀମାନ୍ତରେ ଥିବା ଭୋଗରାଇ ବ୍ଲକ, ହୁଗୁଳି ଗାଁରେ ବିରାଜିତ ଶ୍ରୀଚନ୍ଦନେଶ୍ୱର ମହାଦେବଙ୍କ ଦୀର୍ଘ ୧୧ ଦିନ ଧରି ପାଳିତ ହୋଇଥିବା ବିଶ୍ୱ ପ୍ରସିଦ୍ଧ ଚଡ଼କ ମେଳାର ସୋମବାର ଥିଲା ପ୍ରଥମ ଅର୍ଘ୍ୟ। ଏହାକୁ ପ୍ରଥମ ଅର୍ଘ୍ୟ କୁହାଯାଉଥିଲେ ବି ଏହା ହେଉଛି ମେଳାର ଅନ୍ତିମ ପର୍ବ ବା ପାଟ ପର୍ବ। ଭକ୍ତ ଓ ଭଗବାନଙ୍କ ମିଳନ, ଭାଇଚାରାର ଶ୍ରେଷ୍ଠ ନିଦର୍ଶନ, ମେଳାର ଆକର୍ଷଣୀୟ ଚରଣ ପାଟ ପର୍ବ ମହା ଆଡ଼ମ୍ବର ତଥା କଡ଼ା ସୁରକ୍ଷା ବଳୟ ମଧ୍ୟରେ ସମାପ୍ତ ହୋଇଛି। ପୁରୀର ରଥଯାତ୍ରା ପରେ ରାଜ୍ୟର ଦ୍ବିତୀୟ ସର୍ବବୃହତ୍ ମେଳା ଚନ୍ଦନେଶ୍ୱର ଚଡ଼କ ମେଳାର ଶ୍ରେଷ୍ଠତ୍ବ ପ୍ରତିପାଦନ କରୁଥିବା ପାଟ ପର୍ବ ସମ୍ପନ୍ନ ହୋଇଛି। ଶ୍ରୀ ଜୀଉଙ୍କ ଘଟ ଓ ଦଶଲକ୍ଷୀ ବେଶକୁ ୬ ଲକ୍ଷରୁ ଊର୍ଦ୍ଧ୍ୱ ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଦର୍ଶନ କରିଥିଲେ।

    ମାନସିକଧାରୀ ଭକ୍ତ କଟି ଓ ଜିହ୍ୱାକୁ ଲୌହ କଣ୍ଟାରେ ବିଦ୍ଧ କରି ଏକ ଅନିର୍ବଚନୀୟ ପରିବେଶ ମଧ୍ୟରେ ହାକାଣ୍ଡ ପୋଖରୀରୁ ମନ୍ଦିର ପର୍ଯ୍ୟନ୍ତ ଆସିଥିଲେ। ଆଜି ମହାବିଷୁବ ସଂକ୍ରାନ୍ତିରେ ଶ୍ରୀ ଜୀଉଙ୍କ ନିକଟରେ ପଣା ଭୋଗ ଲାଗି ହେବ। ଜ୍ୟେଷ୍ଠତ୍ବ ଦୃଷ୍ଟିରୁ ପାଟଭକ୍ତ ହରିଶ୍ଚନ୍ଦ୍ର ସାହୁ, ବେକଡ଼ାର ମୁଖ୍ୟ ଶ୍ରୀବେକିଡ଼ି ନିରଞ୍ଜନ ଲେଙ୍କା, ଦେଉଳିଆ ଅଜିତ ପାତ୍ର ପ୍ରମୁଖ ହାକାଣ୍ଡ ପୋଖରୀକୁ ମାର୍ଜନା କରିଥିଲେ। ମୋୖରସୀ ତପନ ପଣ୍ଡା, ଉପ ମୌରସୀ ବୁଦ୍ଧଦେବ ପଣ୍ଡା, ବରିଷ୍ଠ ସେବାୟତ ଗଣେଶ ଲାଲ ପଣ୍ଡାଙ୍କ ନେତୃତ୍ୱରେ ୧୩ ମୁଖ୍ୟ ଭକ୍ତ ଓ ସେବାୟତଙ୍କ ଗହଣରେ ବିଗ୍ରହଙ୍କ ପ୍ରତୀକ ସୁସଜ୍ଜିତ ଘଟକୁ ଏକ ଭବ୍ୟ ପଟୁଆରରେ ବାଡ଼ସରିଷା ହାକାଣ୍ଡ ପୋଖରୀ ନିକଟରୁ ମନ୍ଦିର ବେଢ଼ାକୁ ଅଣାଯାଇଥିଲା। ଦର୍ଶକମାନଙ୍କ ଆନନ୍ଦ-ଉଲ୍ଲାସ, ଭକ୍ତମାନଙ୍କ ସଖ୍ୟ-ଶୃଙ୍ଖଳ, ବାବା ଚନ୍ଦନେଶ୍ୱରଙ୍କୁ ସ୍ମରଣ କରି ହରିବୋଲ ଧ୍ବନିରେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ବେଶ ବର୍ଣ୍ଣାଢ୍ୟ କରିଥିଲା। ଚଡ଼କର ବିଶେଷ ସେବା ପୂଜା ପରେ ଭକ୍ତଙ୍କର ଚଳିତ ବର୍ଷର ଅନ୍ତିମ ଅର୍ଘ୍ୟ, ଶିବ ଓ ଶକ୍ତି ସ୍ପର୍ଶ ସହିତ ବ୍ରତ ଉଦଯାପିତ ହୋଇଥିଲା।

    ମହାବିଷୁବ ସଂକ୍ରାନ୍ତିରେ ମହାଦେବଙ୍କୁ ପଣା ନିବେଦନ, ତହିଁ ପର ଦିନ ସ୍ତମ୍ଭୀ କାଷ୍ଠ ବିସର୍ଜନ, ଗର୍ଭଗୃହ ଶୋଧନ, ଦୁର୍ଗା ଘଟ ପୁନଃ ସ୍ଥାପନ ଓ ବଳି ପ୍ରଦାନ ପରେ ପର୍ବ ଶେଷ ହେବ ବୋଲି ଟ୍ରଷ୍ଟ ବୋର୍ଡ଼ର ନିର୍ବାହୀ ଅଧିକାରୀ ସୂର୍ଯ୍ୟ କୁମାର ନାୟକ କହିଛନ୍ତି। ହେଲେ ମେଳାର ଅସ୍ଥାୟୀ ବିପଣି ଅକ୍ଷୟ ତୃତୀୟା ଯାଏଁ ଅବ୍ୟାହତ ରହିବ l ଶେଷ ପାଞ୍ଚ ଦିନରେ ବିଶାଳ ଜନ ସମୁଦ୍ର ମଧ୍ୟରେ ମେଳାକୁ ସୁସମ୍ପନ୍ନ କରିବାରେ ଜିଲ୍ଲା ପ୍ରଶାସନ, ମନ୍ଦିର ନ୍ୟାସ ପରିଷଦ, ସେବାୟତ ସଂଘ, ପୁଲିସ ବାହିନୀ, ବିଦ୍ୟୁତ, ଜଳ ପରିମଳ, ଜନସ୍ୱାସ୍ଥ୍ୟ, ଅଗ୍ନିଶମ ବାହିନୀ, ସ୍ବେଚ୍ଛାସେବୀ ସଙ୍ଗଠନ ସହିତ ପ୍ରଶାସନର ବିଭିନ୍ନ ବିଭାଗ ତତ୍ପର ରହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.1 ° C
    30.1 °
    30.1 °
    66 %
    3.1kmh
    85 %
    Thu
    30 °
    Fri
    30 °
    Sat
    25 °
    Sun
    26 °
    Mon
    28 °

    ସମ୍ବନ୍ଧିତ