ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ବଡ଼ ବିଜୟ । ୨୭ ବର୍ଷ ପରେ ଦିଲ୍ଲୀ ଦଖଲ କଲା ଭାରତୀୟ ଜନତା ପାର୍ଟି । ତୃତୀୟ ଥର କ୍ଷମତାକୁ ଆସିବାର ଆପ୍ ଯେଉଁ ସ୍ବପ୍ନ ଦେଖୁଥିଲା ତାହା କେବଳ ସ୍ବପ୍ନରେ ହିଁ ରହିଗଲା । ୭୦ଟି ବିଧାନସଭା ଆସନରେ ଭୋଟ୍ ହେବା ପରେ ସାମ୍ନାକୁ ଆସିଥିଲା ଏକଜିଟ୍ ପୋଲ । ଏକଜିଟ୍ ପୋଲରେ ଚିତ୍ର ସ୍ପଷ୍ଟ ଦିଶୁଥିଲା କି, ଏଥର ବିଜେପି ହିଁ ବାଜି ମାରିବ । ଆଉ ପ୍ରାରମ୍ଭିକ ଟ୍ରେଣ୍ଡରେ ବି ବିଜେପି ବାଜି ମାରୁଥିବା ଚିତ୍ର ସ୍ପଷ୍ଟ ହୋଇଥିଲା । ସେପଟେ ପରାଜୟକୁ ସ୍ବୀକାର କରି କେଜ୍ରିୱାଲ କହିଛନ୍ତି ଦିଲ୍ଲୀବାସୀଙ୍କ ନିଷ୍ପତ୍ତିକୁ ଆମେ ଗ୍ରହଣ କରିଛୁ, ବିରୋଧୀ ଦଳରେ ରହି ଲୋକଙ୍କ ଲାଗି କାମ କରିବୁ । ତେବେ ବିଜେପିର ବିଜୟ ପରେ ମୋଦୀ ଟ୍ବିଟ କରି କହିଛନ୍ତି, ଦିଲ୍ଲୀବାସୀ ଆମକୁ ବିଶ୍ବାସ କରିଛନ୍ତି । ଆଗାମୀ ଦିନରେ ବିକାଶ ଆହୁରି ଅଧିକ ହେବ । କହି କହି ବିଜେପି ଜିତିଲା ଦିଲ୍ଲୀ । କାମ କଲା ମୋଦିଙ୍କ ଜଲୱା, ଆସ୍ଥା ହରାଇଲେ କେଜ୍ରିୱାଲ । ରାଜଧାନୀ ଦିଲ୍ଲୀରେ ପ୍ରାୟ ୨୭ ବର୍ଷ ପରେ କ୍ଷମତାକୁ ଆସିଛି ବିଜେପି । ଅବଶ୍ୟ ୨୦୧୪ରୁ ମୋଦୀଙ୍କ ଲୋକପ୍ରିୟତା ବଢିବାରେ ଲାଗିଥିଲା । ହେଲେ ଦିଲ୍ଲୀରେ କିନ୍ତୁ ବିଜେପିର ଜଲୱା ଦେଖିବାକୁ ମିଳିନଥିଲା । ୨୦୨୦ ବିଧାନସଭା ନିର୍ବାଚନରେ ବି ବିଜେପି ହାରିଥିଲା । ହେଲେ ଏଥର ଖେଳ ପୁରା ଓଲଟି ଯାଇଥିଲା। ଅର୍ଥାତ୍ ବିଜେପି ସପକ୍ଷରେ ଭୋଟ୍ ଦେଇଛନ୍ତି ଦିଲ୍ଲୀ ଜନତା । ସବୁଠୁ ବିଷମସ୍ଥିତି ଉପୁଯିଥିଲା ୨୦୧୫ରେ । କାରଣ ୭୦ ବିଧାନସଭା ଆସନରୁ ଆପ୍ ୬୭ ଆସନରେ ବିଜୟ ହୋଇଥିଲା । ମୋଦିଙ୍କ ଲୋକପ୍ରିୟତା ଥିବା ପରେ ବି ଦିଲ୍ଲୀ ଲୋକ ଆପ୍ ଉପରେ ବିଶ୍ବାସ ଜମାଇଥିଲେ । ପରେ ପରେ ରାଜ୍ୟସ୍ତରରୁ ଜାତୀୟ ସ୍ତରକୁ ନିଜ ଦଳକୁ ନେଇଥିଲେ କେଜ୍ରିୱାଲ । ୨୦୧୪ ପରେ ୨୦୧୯ରେ ବିଜେପି ଦେଶର ଅଧିକାଂଶ ଲୋକସଭା ଆସନରେ ବିଜୟ ହୋଇଥିଲା । ଏମିତିକି ଦିଲ୍ଲୀର ୭ଟି ଯାକ ଲୋକସଭା ଆସନରେ ପଦ୍ମ ଫୁଟିଥିଲା । କିନ୍ତୁ ବିଧାନସଭାରେ କରିସ୍ମା ଦେଖିବାକୁ ମିଳିନଥିଲା ବିଜେପିର ।
୨୦୧୪ ପରଠାରୁ କ୍ରମାଗତ ଭାବରେ ବିଜେପି ଖାତାରେ ଅଧିକରୁ ଅଧିକ ଆସନ ଯୋଡ଼ି ହେଉଥିଲା । ଗୋଟିଏ ପରେ ଗୋଟିଏ ରାଜ୍ୟରେ ସେ ବାଜି ବି ମାରୁଥିଲେ । କିନ୍ତୁ ଦିଲ୍ଲୀରେ ସେମିତି କିଛି ହେଉନଥିଲା । କୁହାଯାଇଥିଲା କି ବିଜେପି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ସ୍ଥିର କରିନପାରିବାରୁ ଏମିତି ସ୍ଥିତି ହେଲା। କିନ୍ତୁ ଏମିତି ବି ଅନେକ ରାଜ୍ୟ ଅଛି ଯେଉଁ ରାଜ୍ୟରେ ବିଜେପି ମୁଖ୍ୟମନ୍ତ୍ରୀ ଚେହେରା ସାମ୍ନାକୁ ନଆଣି ବି ନିର୍ବାଚନ ଜିତିଛି । ହେଲେ ଦିଲ୍ଲୀରେ ସତ ଚେଷ୍ଟା ପରେ ବି ବିଜେପି ଜିତିପାରିନଥିଲା । ଯେଉଁଥି ଲାଗି ଟେନସନରେ ଥିଲେ ବିଜେପି ନେତୃତ୍ବ । ହେଲେ ଏଥର ମୋଦି ଓହ୍ଲାଇଥିଲେ ପ୍ରଚାର ମୈଦାନକୁ ।
ପ୍ରଚାର ଆରମ୍ଭରୁ ହିଁ ସିଧାସିଧା ଆକ୍ରମଣ କରିବା ସହିତ କେଜ୍ରିୱାଲଙ୍କ ଗୋଟିଏ ପରେ ଗୋଟିଏ ଦୁର୍ନୀତିର ପର୍ଦ୍ଦାଫାଶ କରିଥିଲେ । ଖାଲି ଦିଲ୍ଲୀ ନୁହେଁ ବରଂ ଓଡ଼ିଶାରେ ବି ୨୪ ବର୍ଷର ସରକାରକୁ ହରାଇ ବାଜି ମାରିଥିଲା ବିଜେପି । ଅବଶ୍ୟ ପଶ୍ଚିମବଙ୍ଗଠୁ ଆରମ୍ଭ କରି ଦକ୍ଷିଣ ଭାରତରେ ବିଜେପିର ଏତେ ଦବଦବା ନାହିଁ କିନ୍ତୁ ଯେଉଁପରି ଭାବରେ ବିଜେପି ସଶକ୍ତ ହେଉଛି ସେଥିରୁ ଗୋଟିଏ କଥା ସ୍ପଷ୍ଟ ପୁରା ଭାରତରେ ବିଜେପି ଲୋକପ୍ରିୟତା ବଢିବାରେ ଲାଗିଛି । ଏବେ ଚର୍ଚ୍ଚା, ଦିଲ୍ଲୀରେ ଜିତିବା ପରେ ମୋଦିଙ୍କର ଆଉ କେଉଁ ରାଜ୍ୟ ଜିତିବାକୁ ଇଚ୍ଛା । ଅବଶ୍ୟ ଏନେଇ ବିଜେପି ନେତା କୌଣସି ପ୍ରତିକ୍ରିୟା ରଖିନାହାନ୍ତି କିନ୍ତୁ ଆଲୋଚନା ଥମୁନି । ଆଗାମୀ ଦିନରେ ବିହାର ନିର୍ବାଚନ ହେଉଛି । ତେଣୁ ଏବେ ବିହାର ଉପରେ ପୂରା ଦେଶର ନଜର । ସେଠି ଗେରୁଆ ହୋଇପାରେ ଗଡ ।