Sunday, September 13, 2026
28.6 C
Odisha

    କେଜ୍ରିୱାଲଙ୍କୁ ପରାସ୍ତ କରିଥିବା ପର୍‌ବେଶ ବର୍ମା କିଏ?

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିପକ୍ଷରେ ନୂଆଦିଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜୟୀ ହୋଇ ଅନ୍ୟତମ ଶୀର୍ଷ ନେତା ଭାବେ ଉଭା ହୋଇଥିବା ବିଜେପି ନେତା ପରବେଶ ସାହିବ ସିଂହ ବର୍ମା କିଏ? ପ୍ରତି ରାଉଣ୍ଡ ଗଣତି ସହିତ ଅଗ୍ରଣୀ ଓ ପଛୁଆ ସଂଖ୍ୟା ବଦଳୁଥିବାରୁ କେଜ୍ରିୱାଲ ଓ ବର୍ମାଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ଶେଷରେ କେଜ୍ରିୱାଲଙ୍କ ବିପକ୍ଷରେ ପରବେଶ ବର୍ମା ବିଜୟୀ ହୋଇଛନ୍ତି। କଂଗ୍ରେସର ସନ୍ଦୀପ ଦୀକ୍ଷିତ ମଧ୍ୟ ଏହି ନିର୍ବାଚନ ମଣ୍ଡଳୀରେ ଲଢୁଥିଲେ। ନୂଆଦିଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭାରତୀୟ ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ୨୫୯୯୯ଟି ଭୋଟି ପାଇଥିବା ବେଳେ ବିଜେପିର ପରବେଶ ବର୍ମା ୩୦୦୮୮ ଓ କଂଗ୍ରେସର ସନ୍ଦୀପ ଦୀକ୍ଷିତ ୪୫୬୮ ଭୋଟ୍ ପାଇଛନ୍ତି। ବିଜୟ ପରେ ପରବେଶ ବର୍ମାଙ୍କୁ ସେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କି ବୋଲି ପଚରାଯିବାରୁ ସେ କହିଛନ୍ତି, ଆମ ଦଳରେ ବିଧାୟକ ଦଳ ମୁଖ୍ୟମନ୍ତ୍ରୀଙ୍କ ଚେହେରା ସ୍ଥିର କରିଥାଏ ଏବଂ ତା’ପରେ ଦଳୀୟ ନେତୃତ୍ୱ ଏହାକୁ ଅନୁମୋଦନ କରନ୍ତି। ଦଳର ନିଷ୍ପତ୍ତି ସମସ୍ତଙ୍କର ଗ୍ରହଣୀୟ ହୋଇଥାଏ। ମୁଁ ନୂଆଦିଲ୍ଲୀର ଭୋଟର, ଲକ୍ଷ ଲକ୍ଷ ପରିଶ୍ରମୀ କର୍ମୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଉଛି। ଏହା ପ୍ରକୃତରେ ସେମାନଙ୍କର ବିଜୟ। ଲୋକେ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ମହିଳାଙ୍କୁ ୨୫୦୦ ଟଙ୍କା ଦେବା, ଦୁର୍ନୀତିର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ, ଯମୁନା ରିଭରଫ୍ରଣ୍ଟ, ପ୍ରଦୂଷଣ ହ୍ରାସ, ଟ୍ରାଫିକ୍ ଭିଡ଼ କମାଇବା ଆମର ପ୍ରାଥମିକତା ହେବ। ଆମେ ଏପରି ଏକ ରାଜଧାନୀ ନିର୍ମାଣ କରିବୁ ଯାହାକୁ ନେଇ ସମସ୍ତେ ଗର୍ବିତ ହେବେ।

    ପରବେଶ ଦିଲ୍ଲୀର ଏକ ପ୍ରମୁଖ ରାଜନୈତିକ ପରିବାରରୁ ଆସିଛନ୍ତି, ସେ ବିଜେପି ନେତା ତଥା ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସାହିବ ସିଂହ ବର୍ମାଙ୍କ ପୁଅ। ତାଙ୍କ କାକା ଆଜାଦ ସିଂହ ଉତ୍ତର ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନର ମେୟର ଭାବରେ କାର୍ଯ୍ୟ କରିଥିଲେ ଏବଂ ୨୦୧୩ ବିଧାନସଭା ନିର୍ବାଚନରେ ବିଜେପି ଟିକେଟରେ ମୁଣ୍ଡକା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ। ୧୯୭୭ ମସିହାରେ ଜନ୍ମଗ୍ରହଣ କରିଥିବା ପରବେଶ ବର୍ମା ଦିଲ୍ଲୀ ପବ୍ଲିକ୍ ସ୍କୁଲ, ଆର୍‌କେ ପୁରମ୍‌ରୁ ପାଠପଢ଼ା ଶେଷ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କିରୋଡ଼ି ମଲ କଲେଜରୁ କଳାରେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ଏହାପରେ ସେ ଫୋର୍ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟରେ ଏମ୍‌ବିଏ କରିଥିଲେ। ୨୦୧୩ରେ ସେ ମେହରୋଲି ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରି ଦିଲ୍ଲୀ ବିଧାନସଭାରେ ବିଜୟୀ ହେବା ସହ ରାଜନୀତିରେ ପ୍ରବେଶ କରିଥିଲେ। ସେ ୨୦୧୪ରେ ପଶ୍ଚିମ ଦିଲ୍ଲୀ ସଂସଦୀୟ ଆସନ ଜିତି ଅଧିକ ସଫଳତା ହାସଲ କରିଥିଲେ ଏବଂ ୨୦୧୯ରେ ପୁନଃ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିଲେ ଯେଉଁଠାରେ ସେ ୫.୭୮ ଲକ୍ଷ ବ୍ୟବଧାନରେ ବିଜୟୀ ହୋଇଥିଲେ। ସାଂସଦ ଥିବା ସମୟରେ ସେ ସାଂସଦମାନଙ୍କ ଦରମା ଓ ଭତ୍ତା ସଂକ୍ରାନ୍ତ ଯୁଗ୍ମ କମିଟିର ସଦସ୍ୟ ଥିଲେ ଏବଂ ନଗର ଉନ୍ନୟନ ସଂକ୍ରାନ୍ତ ସ୍ଥାୟୀ କମିଟିରେ ବି କାର୍ଯ୍ୟ କରିଛନ୍ତି। ୨୦୨୫ ଦିଲ୍ଲୀ ନିର୍ବାଚନ ପୂର୍ବରୁ ପରବେଶ ବର୍ମା ବର୍ତ୍ତମାନର ଆପ୍ ପ୍ରଶାସନକୁ ନିଜର ପ୍ରାଥମିକ ପ୍ରତିଶ୍ରୁତି ପୂରଣ କରି ନ ଥିବାରୁ ସମାଲୋଚନା କରି ‘କେଜ୍ରିଵାଲ୍ ହଟାଅ, ଦେଶ ବଞ୍ଚାଅ’ ସ୍ଲୋଗାନ୍ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.6 ° C
    28.6 °
    28.6 °
    76 %
    1.1kmh
    71 %
    Sun
    28 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ