ଓଲ୍ଡ ମଙ୍କ୍ ’କୁ ବର୍ତ୍ତମାନର ଉପାଦାନ ସହ ଆଇନଗତ ଭାବେ ‘ରମ୍ ’ ନାମରେ ବିକ୍ରି କରାଯାଇପାରିବ ନାହିଁ । ବମ୍ବେ ହାଇକୋର୍ଟରେ ଏଭଳି ଯୁକ୍ତି ରଖିଛି ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ବା FSSAI । ଏହି ବିବାଦ କେବଳ ବୋତଲର ଲେବଲ୍ କିମ୍ବା ଅକ୍ଷରର ଆକାରକୁ ନେଇ ନୁହେଁ, ବରଂ ଏହା ଭିତରେ ଥିବା ପାନୀୟର ପ୍ରକୃତ ଉପାଦାନକୁ ନେଇ ।
କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ରବୀନ୍ଦ୍ର ଭି. ଘୁଗେ ଏବଂ ଜଷ୍ଟିସ ଗୌତମ ଏ. ଅଙ୍ଖଡ଼ଙ୍କ ଖଣ୍ଡପୀଠରେ FSSAI କହିଛି ଓଲ୍ଡ ମଙ୍କ୍ ମୁଖ୍ୟତଃ ‘ନ୍ୟୁଟ୍ରାଲ୍ ସ୍ପିରିଟ୍ ’ରେ ପ୍ରସ୍ତୁତ ହେଉଛି । ଏହା ଉଚ୍ଚ ଶୁଦ୍ଧତାସମ୍ପନ୍ନ ଏବଂ ପ୍ରାୟ ସ୍ୱାଦହୀନ ଆଲକହଲ୍ । ଏଥିରେ ରମ୍ ର ସ୍ୱାଦ ଓ ସୁଗନ୍ଧ ଆଣିବା ପାଇଁ ଅଲଗା ଫ୍ଲେଭର୍ ମିଶାଯାଉଛି । ତେଣୁ ଏହା ୨୦୧୮ର ମଦ୍ୟପାନ ସମ୍ପର୍କିତ ଖାଦ୍ୟ ସୁରକ୍ଷା ନିୟମ ଅନୁସାରେ ରମ୍ ର ସଂଜ୍ଞା ପୂରଣ କରୁନାହିଁ । ଅତିବେଶିରେ ଏହାକୁ ‘ରମ୍ ସ୍ୱାଦଯୁକ୍ତ ସ୍ପିରିଟ୍ ’ କୁହାଯାଇପାରିବ ବୋଲି FSSAI ଯୁକ୍ତି ଦେଇଛି ।
ପରୀକ୍ଷାଗାର ରିପୋର୍ଟ ଅନୁସାରେ ଯାଞ୍ଚ ପରିସରରେ ଥିବା କେତେକ ଓଲ୍ଡ ମଙ୍କ୍ ପ୍ରକାରରେ ପୁରୁଣା ବା ଏଜଡ ରମ୍ ର ପରିମାଣ ୫ ପ୍ରତିଶତରୁ ମଧ୍ୟ କମ୍ । ଅବଶିଷ୍ଟ ଅଂଶ ହେଉଛି ଏଜିଂ ହୋଇନଥିବା ନ୍ୟୁଟ୍ରାଲ୍ ସ୍ପିରିଟ୍ । ଏହି କାରଣରୁ କେତେକ ବୋତଲରେ ଥିବା ‘୭ ବର୍ଷ ପୁରୁଣା ବ୍ଲେଣ୍ଡେଡ୍ ’ ଦାବି ଗ୍ରାହକଙ୍କୁ ବିଭ୍ରାନ୍ତ କରୁଥିବା FSSAI କହିଛି । ଏହି ମାମଲାରେ ଓଲ୍ଡ ମଙ୍କ୍ ର ‘ଦି ଲିଜେଣ୍ଡ୍ ’, ‘ଗୋଲ୍ଡ ରିଜର୍ଭ’ ଏବଂ ‘XXX ମ୍ୟାଚୁର୍ଡ ରମ୍ ’ ସମେତ କେତେକ ମଦ ବ୍ରାଣ୍ଡ୍ ର ବିକ୍ରି ଉପରେ FSSAI କଟକଣା ଲଗାଇଥିଲା । ଓଲ୍ଡ ମଙ୍କ୍ ନିର୍ମାତା ମୋହନ ରକି ସ୍ପ୍ରିଙ୍ଗୱାଟର୍ ପ୍ରାଇଭେଟ୍ ଲିମିଟେଡ୍ ମହାରାଷ୍ଟ୍ରରେ ଲାଗିଥିବା ବିକ୍ରି କଟକଣା ହଟାଇବାକୁ ହାଇକୋର୍ଟ ଯାଇଛି ।
କମ୍ପାନୀର ଯୁକ୍ତି ହେଉଛି, ଓଲ୍ଡ ମଙ୍କ୍ ୫୦ ବର୍ଷରୁ ଅଧିକ ସମୟ ଧରି ବିକ୍ରି ହେଉଛି ଏବଂ ଫ୍ଲେଭର୍ ମିଶାଇବା ମଦ ଶିଳ୍ପର ଦୀର୍ଘଦିନର ପ୍ରଚଳିତ ପ୍ରକ୍ରିୟା । ବିକ୍ରି ବନ୍ଦ ରହିବାରୁ ପ୍ରତିଦିନ ପ୍ରାୟ ଏକ କୋଟି ଟଙ୍କା କ୍ଷତି ହେଉଥିବା କମ୍ପାନୀ ଦାବି କରିଛି । ତେବେ ବିକ୍ରି ପୁଣି ଆରମ୍ଭ କରିବା ପାଇଁ କୋର୍ଟ କୌଣସି ଅନ୍ତରୀଣ ଅନୁମତି ଦେଇନାହାନ୍ତି । କମ୍ପାନୀ ସବୁ ଲେବଲ୍ ରୁ ‘୭ ବର୍ଷ ପୁରୁଣା ବ୍ଲେଣ୍ଡେଡ୍ ’ ଲେଖା ହଟାଇବାକୁ ରାଜି ହୋଇ ସଂଶୋଧିତ ଲେବଲ୍ ଦାଖଲ କରିଛି । ଏହାକୁ ଯାଞ୍ଚ କରିବା ପାଇଁ FSSAI ସମୟ ମାଗିଛି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୧ ତାରିଖରେ ହେବ । ସେପର୍ଯ୍ୟନ୍ତ ମହାରାଷ୍ଟ୍ରରେ ସମ୍ପୃକ୍ତ ଓଲ୍ଡ ମଙ୍କ୍ ପ୍ରକାରଗୁଡ଼ିକ ଉପରେ ବିକ୍ରି କଟକଣା ବଳବତ୍ତର ରହିବ ।
