ଭୁବନେଶ୍ୱର : ରାଜ୍ୟର କନିଷ୍ଠ ଶିକ୍ଷକମାନଙ୍କ ପାଇଁ ଆସିଛି ବଡ଼ ଆଶ୍ୱସ୍ତିର ଖବର। ୨୦୨୩-୨୪ ଶିକ୍ଷାବର୍ଷରେ ନିଯୁକ୍ତ ହୋଇଥିବା ସମସ୍ତ କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କୁ ସରକାର ନିୟମିତ କରିଛନ୍ତି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇଛି।
ବିଭାଗର ବିଜ୍ଞପ୍ତି ଅନୁଯାୟୀ, ନିୟମିତ ହୋଇଥିବା ଶିକ୍ଷକମାନଙ୍କୁ ଏଲିମେଣ୍ଟାରୀ କ୍ୟାଡରର ଲେଭେଲ୍-V(A)ରେ ସହକାରୀ ଶିକ୍ଷକ ଭାବେ ଘୋଷଣା କରାଯାଇଛି। ଏହା ଫଳରେ ସ୍କିମାଟିକ୍ ଭିତ୍ତିରେ କାର୍ଯ୍ୟ କରୁଥିବା ଏହି ଶିକ୍ଷକମାନେ ନିୟମିତ ସେବା ବ୍ୟବସ୍ଥାରେ ସାମିଲ ହୋଇଛନ୍ତି।ନିୟମିତକରଣ ପରେ ଶିକ୍ଷକମାନେ ୨୦୨୬ ଜାନୁଆରୀ ୧ ତାରିଖରୁ ପିଛିଲା ଭାବେ ନିୟମିତ ଦରମା ପାଇବାକୁ ଯୋଗ୍ୟ ହେବେ। ଏଥିସହ ନିୟମିତ ସେବା ସହ ଜଡ଼ିତ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିବ ବୋଲି ବିଭାଗୀୟ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।
ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ୨୦୨୩-୨୪ରେ ନିଯୁକ୍ତ କନିଷ୍ଠ ଶିକ୍ଷକମାନଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଥିବା କୁହାଯାଉଛି। ନିୟମିତକରଣ ନେଇ ଘୋଷଣା ପରେ ଶିକ୍ଷକ ମହଲରେ ଖୁସି ପ୍ରକାଶ ପାଇଛି। ଏହି ନିଷ୍ପତ୍ତି ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ କାର୍ଯ୍ୟରତ ଶିକ୍ଷକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।
