ବାଲେଶ୍ୱର : ଢୋ ଢୋ ହୋଇ ଫୁଟିଲା ବିଦ୍ୟୁତ ତାର । ହଠାତ୍ ଜୋରଦାର ଶବ୍ଦ ସହ ବିଦ୍ୟୁତ ତାର ଫୁଟିବାରୁ ଭୟଭୀତ ହୋଇପଡ଼ିଲେ ଲୋକେ । ବାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପୁରୁଣା କୋଠା ଉପରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଲୋକଙ୍କ ଯାତାୟାତ ଚାଲିଥିବା ସମୟରେ ହଠାତ୍ ଏକ ବିଦ୍ୟୁତ ତାର ଜୋରଦାର ଶବ୍ଦ କରିଥିଲା । ଶବ୍ଦ ଏତେ ତୀବ୍ର ଥିଲା ଯେ, କାର୍ଯ୍ୟାଳୟକୁ ବିଭିନ୍ନ କାମରେ ଆସିଥିବା ଲୋକେ ଭୟରେ ଦୌଡ଼ିବାକୁ ଲାଗିଥିଲେ । ଘଟଣାସ୍ଥଳରେ କିଛି ସମୟ ପାଇଁ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା । ତାର ଫୁଟିବା ପରେ ସ୍ଥାନୀୟ ଅଞ୍ଚଳରେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ପରେ ନିଆଁକୁ ଆୟତ୍ତ କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣକୁ ନିଆଯାଇଥିଲା ।
ତେବେ ବିଦ୍ୟୁତ ତାର ଫୁଟିବାର ପ୍ରକୃତ କାରଣ କ’ଣ ଏବଂ ଏଥିରେ କୌଣସି କ୍ଷୟକ୍ଷତି ହୋଇଛି କି ନାହିଁ, ସେନେଇ ଅଧିକ ତଥ୍ୟ ଜଣାପଡ଼ିନାହିଁ । ଘଟଣା ପରେ ବିଦ୍ୟୁତ ବିଭାଗ ପକ୍ଷରୁ ଯାଞ୍ଚ କରାଯାଉଥିବା ସୂଚନା ମିଳିଛି ।
