ଗଜପତି: ଆଦିବାସୀଙ୍କ ଅନେକ ପାରମ୍ପରିକ ଖାଦ୍ୟ ମଧ୍ୟରୁ କାଇ ଚଟଣି ହେଉଛି ଅନ୍ୟତମ । ଆଦିବାସୀ ସଂପ୍ରଦାୟର ଲୋକେ ଏଥିରେ ଔଷଧୀୟ ଗୁଣ ଥିବା ଯୁକ୍ତି କରନ୍ତି । ତେଣୁ ଏହାକୁ ପିଲା ଠାରୁ ବୁଢା ସମସ୍ତେ ଖାଇଥାନ୍ତି । ହେଲେ ଏହା ଏକ ଅଖାଦ୍ୟ ଏବଂ ଏହାଦ୍ବାରା ବିଭିନ୍ନ ପ୍ରକାର ରୋଗ ବ୍ୟାପିବା ସମ୍ଭାବନା ରହିଥିବା କହୁଛନ୍ତି ବିଶେଷଜ୍ଞ ।
ଏକ ବିଂଶ ଶତାବ୍ଦୀରେ ପାଦ ଥାପିଛି ମଣିଷ । ଲୋକେ ଚନ୍ଦ୍ରପୃଷ୍ଠକୁ ଯିବା ସହ ମଙ୍ଗଳରେ ଘର କରିବାକୁ ଯୋଜନା କଲେଣି । ହେଲେ ଏବେବି ଏମିତି କିଛି ଅଞ୍ଚଳ ରହିଛି ଯେଉଁଠି ଲୋକେ ସେମାନଙ୍କ ପାରମ୍ପରିକ ଖାଦ୍ୟ ଏବଂ ଔଷଧକୁ ନେଇ ବଞ୍ଚିଛନ୍ତି । ଏପରି ଏକ ଅଞ୍ଚଳ ହେଉଛି ଗଜପତି ଜିଲ୍ଲାର ଗୁମା ବ୍ଲକ । ଏହି ବ୍ଲକର ସାରୀ ଗାଁକୁ ଯାଇଥିବା ବେଳେ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ନେଇ ଏକ ରୋଚକ ତଥ୍ୟ ଆମ ସାମ୍ନାକୁ ଆସିଥିଲା । ତାହା ହେଉଛି କାଇ ଚଟଣି । ଲୋକେ ପଖାଳ ଏବଂ ମାଣ୍ଡିଆ ଜାଉ ସହ ଏହି ଚଟଣି ଖାଇଥାନ୍ତି । ଏସଂପର୍କରେ ଜାଣିବା ପାଇଁ ସେହି ଗାଁର କିଛି ଲୋକଙ୍କ ସହ ଆମେ ଆଲୋଚନା କରିଥିଲୁ । ସେମାନଙ୍କ ଠାରୁ ଏହାର ପ୍ରସ୍ତୁତି ସହ ଏହା ଖାଇବା ପଛରେ ଥିବା ବିଶ୍ବାସ ସମ୍ପର୍କରେ ଜାଣିବା ପରେ ଆଶ୍ଚର୍ଯ୍ୟ ଲାଗିଥିଲା । ଗଛରେ ଥିବା କାଇ ପୁଡାକୁ ବାହାର କରିବା ପରେ ସେମାନେ ଏହାକୁ ନିଆଁ ସାହାଯ୍ୟରେ ଅଚେତ କରିବା ସହ ସେଗୁଡିକୁ ନେଇ ପିଆଜ, ରସୁଣ, ଲୁଣ ଏବଂ ଲଙ୍କା ଆଦି ଦେଇ ପଥର ସାହାଯ୍ୟରେ ବାଟି ଚଟଣୀ ପ୍ରସ୍ତୁତ କରିଥାନ୍ତି । ଗରମ ମାଣ୍ଡିଆ ଜାଉ କିମ୍ବା ପଖାଳ ସହ ଏହାକୁ ଖାଇଥାନ୍ତି । ଏହା କେବଳ ଏକ ଚାଖଣା ଭାବେ ବ୍ୟବହାର ହୋଇନଥାଏ । ବରଂ ଏହା ଦ୍ବାରା ଅନେକ ରୋଗରୁ ମଧ୍ୟ ଉପଶମ ମିଳିଥାଏ ବୋଲି କହିଛନ୍ତି ଏହି ଗାଁର ଲୋକେ । ଏହା ଖାଇବା ଦ୍ବାରା ଆଣ୍ଠୁଗଣ୍ଠି, ବାତ ଠାରୁ ଆରମ୍ଭ କରି ଦୃଷ୍ଟି ଶକ୍ତି ସୁଦୃଢ ହୋଇଥାଏ ବୋଲି କୁହାଯାଏ । ଏହାକୁ ଆମ ପୂର୍ବପୁରୁଷମାନେ ଖାଉଥିଲେ ଏବଂ ବର୍ତ୍ତମାନ ଆମେ ଖାଉଛୁ । ତେଣୁ ଏହା ଏକ ପାରମ୍ପରିକ ଖାଦ୍ୟ ସହ ଔଷଧ ମଧ୍ୟ ବୋଲି କହିଛନ୍ତି ଏଠିକାର ଲୋକେ ।
କେବଳ ସାରୀ ଗାଁ କିମ୍ବା ଗୁମ୍ମା ବ୍ଲକରେ ନୁହେଁ ବରଂ ଅଧିକାଂଶ ଆଦିବାସୀ ଏହା ଖାଉଛନ୍ତି । ଏଥିରେ ଯଥେଷ୍ଟ ପରିମାଣର ଔଷଧୀୟ ଗୁଣ ରହିଥିବାର ବିଶ୍ବାସ ରହିଥିବାରୁ ସବୁ ବୟସର ଲୋକେ ଏହାକୁ ଖାଉଥିବା ଗାଁର ୱାର୍ଡ ମେମ୍ବର କହିଛନ୍ତି । ଲୋକଙ୍କ ଏଭଳି ଯୁକ୍ତି ପଛରେ କିଛି ବୈଜ୍ଞାନିକ କାରଣ ରହିଛି କି ତାହା ଜାଣିବା ପାଇଁ ଆମ ମନରେ ଉତ୍ସାହ ହୋଇଥିଲା । ସେଥିପାଇଁ ଆମେ ଜଣେ ଡାକ୍ତରଙ୍କ ସହ ଯୋଗାଯୋଗ କରିଥିଲୁ । ଗଜପତି ଜିଲ୍ଲାର ସିଡିଏମଓଙ୍କ କହିବା କଥା ହେଲା, କୌଣସି ପୁସ୍ତକରେ କାଇରେ ଔଷଧୀୟ ଗୁଣ ଥିବା ନେଇ କୌଣସି ପ୍ରକାର ଉଲ୍ଲେଖ ନାହିଁ । ବରଂ ଏହା ହେଉଛି ଆମ ପାଇଁ ଅଖାଦ୍ୟ । ତେଣୁ ଏହା ଖାଇଲେ ଲୋକଙ୍କ ପେଟ ରୋଗ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଏହାକୁ ଖାଇବା ଅନୁଚିତ ବୋଲି ସେ କହିଛନ୍ତି ।
ଆଦିବାସୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ନାଁରେ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ଏହି ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସରକାରୀ କଳ ଠାରୁ ଆରମ୍ଭ କରି ତଥାକଥିତ ସ୍ବେଚ୍ଛାସେବୀ ସଂସ୍ଥାମାନେ ଏହି ଅଞ୍ଚଳରେ କାମ କରୁଛନ୍ତି । କିନ୍ତୁ କେହି ହେଲେ ଆଜି ଯାଏଁ ଆଦିବାସୀଙ୍କ ଏହି ପାରମ୍ପରିକ ଖାଦ୍ୟ ସଂପର୍କରେ ଜାଣିପାରି ନାହାନ୍ତି କିପରି । ଡାକ୍ତରଙ୍କ କହିବା ଅନୁସାରେ ଏହା ଅଖାଦ୍ୟ । ତାହା ହେଲେ ବର୍ଷ ବର୍ଷ ଧରି ଆଦିବାସୀମାନେ ଏଭଳି ଅଖାଦ୍ୟ ଖାଉଥିବା ବେଳେ ଏନେଇ କେହି ହେଲେ ସେମାନଙ୍କୁ ସଚେତନ କରିବା ସହ ଏଥିରୁ ନିବୃତ କରାଇନାହାନ୍ତି । ନା ସବୁ ଜାଣି ନଜାଣିଲା ପରି ଚୁପ ରହି ସରକାରୀ ଟଙ୍କାକୁ କେବଳ ଚଳୁ କରିଚାଲିଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ ।

