ଜଟଣୀ : କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ । ଲୁଗା ଦୋକାନରେ ଅଗ୍ନିକାଣ୍ଡ ଘଟି ମାଲିକଙ୍କ ମୃତ୍ୟୁ ହୋଇଥିବା ବେଳେ ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି । ଶୁକ୍ରବାର ଖୋର୍ଦ୍ଧା ଜିଲ୍ଲା ଜଟଣୀ ରାଜା ବଜାରରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଅଗ୍ନିକାଣ୍ଡରେ ଗୁରୁତର ଦୋକାନ ମାଲିକ ସୂର୍ଯ୍ୟକାନ୍ତ ମହାପାତ୍ରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ବିଦ୍ୟୁତ୍ ସର୍ଟସର୍କିଟ୍ କାରଣରୁ ନିଆଁ ଲାଗିଥିବା ଅଗ୍ନିଶମ ବାହିନୀ ସନ୍ଦେହ କରୁଛି । ସୂଚନା ଅନୁଯାୟୀ, ଜଟଣୀ ରାଜା ବଜାରସ୍ଥିତ ଗୌରୀ ଗାର୍ମେଣ୍ଟର ମାଲିକ ସୂର୍ଯ୍ୟକାନ୍ତ ଉପରେ ମହଲାରେ ଥିବା ଷ୍ଟୋର ରୁମ୍ରେ ଶୋଇଥିଲେ । ଆଜି ଦିନତମାମ ରାଜା ବଜାର ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିବା ବେଳେ ଅପରାହ୍ନ ୪ଟା ସମୟରେ ହଠାତ୍ ତଳ ଗାର୍ମେଣ୍ଟରୁ ଧୀରେ ଧୀରେ ଧୂଆଁ ବାହାରିଥିଲା । ପରେ ଜୋର୍ରେ ଧୂଆଁ ବାହାରିବା ସହ ଦୋକାନ ଭିତରୁ ନିଆଁ ବାହାରିଥିଲା । ଦୋକାନରେ ଥିବା ଲୁଗା ପଟାରେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳି ଉଠିଥିଲା । ବଜାର ବନ୍ଦ ହେତୁ କେହି ନଥିବାରୁ ନିଆଁ ଲିଭାଇବା ବିଳମ୍ୱ ହୋଇଥିଲା । ଅନ୍ୟପଟେ ନିଆଁ ଏତେ ଜୋରରେ ଲାଗି ଯାଇଥିଲା ଯେ ତାପରେ ପାଖକୁ କେହି ଲୋକ ଯିବା ସମ୍ଭବ ହୋଇ ନଥିଲା । ପରେ ସ୍ଥାନୀୟ ଲୋକେ ମିଶି ପାଣି ପକାଇ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ହେଲେ ନିଆଁ ଲିଭି ନଥିଲା । ଖବର ପାଇ ଘଟଣାସ୍ଥଳରେ ଜଟଣୀ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପାଣି ପକାଇଥିଲେ । କିନ୍ତୁ ଅଧାରୁ ଅଗ୍ନିଶମ ଗାଡ଼ିରୁ ପାଣି ସରି ଯାଇଥିଲା । ହେଲେ ସେ ପର୍ଯ୍ୟନ୍ତ ଉପର ମହଲାରେ ଥିବା ସୂର୍ଯ୍ୟକାନ୍ତ ଘର ଭିତରେ ରହିଯାଇଥିଲେ । ନିଆଁ ଲିଭିବା ପରେ ସ୍ଥାନୀୟ ଲୋକ, ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ସିଡ଼ି ପକାଇ ଉପରକୁ ଚଢ଼ିଥିଲେ । ଷ୍ଟୋର ରୁମ୍ ଭିତର ପଟୁ ତାଲା ପଡ଼ିଥିବା ବେଳେ ଶାବଳ ମାଧ୍ୟମରେ ଗ୍ରିଲ୍ ଭଙ୍ଗା ଯାଇଥିଲା । ରୁମ୍ ଭିତରୁ ଗୁରୁତର ଅବସ୍ଥାରେ ମାଲିକ ସୂର୍ଯ୍ୟକାନ୍ତଙ୍କୁ ଉଦ୍ଧାର କରି ପ୍ରଥମ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।