ବ୍ରହ୍ମପୁର : କାଳବୈଶାଖୀରେ ବସ ଉପରେ ପଡିଗଲା ଗଛ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବିଜୟଲକ୍ଷ୍ମୀ ନାରାୟଣପୁର ନିକଟରେ OSRTC ବସ ଉପରେ ପଡିଗଲା ଗଛ। ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ । ଦିଗପହଣ୍ଡିରୁ ବିଜୟଲକ୍ଷ୍ମୀ ନାରାୟଣପୁରକୁ ଯାତ୍ରୀଙ୍କୁ ନେଇ ଯାଉଥିଲା OSRTC ବସ । ବସ ଯାଉଥିବା ବେଳେ ହଠାତ କାଳ ବୈଶାଖୀ ପବନରେ ରାସ୍ତାରେ ଥିବା ଗଛ ଭାଙ୍ଗିଯିବା ଫଳରେ ବସ ଉପରେ ଗଛ ପଡିଯାଇଥିଲା l ବସ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ କେହି ଯାତ୍ରୀ ଆହତ ହୋଇନାହାନ୍ତି ।
ଗତ ତିନିଦିନ ତଳେ ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷାର ପ୍ରଭାବ ରହିବ ବୋଲି ସୂଚନା ମିଳିଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ମଧ୍ୟ ଦିଆଯାଇଥିଲା । ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା । ଯାହା ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ । ଏଥିସହ କେତେକ ଅଞ୍ଚଳରେ ରାସ୍ତାରେ ୪/୫ ଇଞ୍ଚର କୁଆ ପଥର ଆସ୍ତରଣ ଦେଖିବାକୁ ମିଳିଥିଲା । ଫଳରେ ଲୋକେ ଭୟଭୀତ ହୋଇ ପଡ଼ିଥିଲେ । ଜାତୀୟ ରାଜପଥରେ କୁଆ ପଥର ବର୍ଷା ଯୋଗୁଁ ରାସ୍ତାରେ ଅନେକ ସମୟ ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଅନ୍ୟପଟେ ଡାଲି ଜାତୀୟ ମୁଗ ବିରି,ସୂର୍ଯ୍ୟମୁଖୀ ଫସଲ ଓ ଚାଷୀ କରିଥିବା ପନିପରିବା ବ୍ୟାପକ ଭାବେ କ୍ଷୟକ୍ଷତି ହୋଇଥିଲା ।
