କେବେ ପାଳିବେ ଜନ୍ମାଷ୍ଟମୀ ? ଅଗଷ୍ଟ ୧୫ ନା ୧୬ ତାରିଖ ? ତାରିଖ ବିଷୟରେ ଆପଣଙ୍କର ଦ୍ୱନ୍ଦ୍ୱ ରହିଛି କି ? ତେବେ ଜାଣନ୍ତୁ କେବେ ପାଳନ କରାଯିବ ଜନ୍ମାଷ୍ଟମୀ । ୨୦୨୫ରେ କୃଷ୍ଣ ଜନ୍ମାଷ୍ଟମୀ ଅର୍ଥାତ୍ ଶ୍ରୀ କୃଷ୍ଣ ଜୟନ୍ତୀ କେଉଁ ତାରିଖରେ ପାଳନ କରାଯିବ ସେ ବିଷୟରେ ବହୁତ ଦ୍ୱନ୍ଦ୍ୱ ରହିଛି । ପଞ୍ଚାଙ୍ଗ ଅନୁସାରେ, ଭାଦ୍ରବ ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଅଗଷ୍ଟ ୧୫ ରାତି ୧୧:୪୯ ରୁ ଆରମ୍ଭ ହୋଇ ଅଗଷ୍ଟ ୧୬ ରାତି ୦୯:୩୪ ପର୍ଯ୍ୟନ୍ତ ଚାଲିବ । ତେବେ ଏହା କଣ ସଠିକ ତଥ୍ୟ ? ପ୍ରକୃତ ଜନ୍ମାଷ୍ଟମୀ ପାଳନ ତିଥି ବିଷୟରେ ଚାଲନ୍ତୁ ଜାଣିବା ।
୨୦୨୫ ରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀର ସଠିକ୍ ତାରିଖ ଜାଣିବା ପାଇଁ, ଏହି ପର୍ବ କେଉଁ ତିଥି ଏବଂ ନକ୍ଷତ୍ରରେ ପାଳନ କରାଯାଏ ତାହା ଜାଣିବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେଣୁ ଆମେ ଆପଣଙ୍କୁ କହି ରଖୁଛୁ ଯେ ପଞ୍ଚାଙ୍ଗ ଅନୁସାରେ, ଭାଦ୍ରବ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଏବଂ ରୋହିଣୀ ନକ୍ଷତ୍ରର ଶୁଭ ସଂଯୋଗରେ ଜନ୍ମାଷ୍ଟମୀର ପବିତ୍ର ପର୍ବ ପାଳିତ ହୁଏ । ଧାର୍ମିକ ବିଶ୍ୱାସ ଅନୁସାରେ, ଭଗବାନ ଶ୍ରୀକୃଷ୍ଣ ଏହି ତିଥି ଏବଂ ନକ୍ଷତ୍ରରେ ରାତି ୧୨ଟାରେ ଜନ୍ମଗ୍ରହଣ କରିଥିଲେ । ଏପରି ପରିସ୍ଥିତିରେ, ଜନ୍ମାଷ୍ଟମୀ ସେହି ଦିନ ପାଳନ କରାଯିବ ଯେଉଁଦିନ ଏପରି ସଂଯୋଗ ଘଟୁଛି ।
କିନ୍ତୁ ଏଥର ଅଷ୍ଟମୀ ତିଥି ଏବଂ ରୋହିଣୀ ନକ୍ଷତ୍ର ଭିନ୍ନ ଭିନ୍ନ ଦିନରେ ପଡୁଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ପରିସ୍ଥିତିରେ, ଜନ୍ମାଷ୍ଟମୀ ପର୍ବ ସେହି ଦିନ ପାଳନ କରାଯିବ ଯେଉଁଦିନ ଅଷ୍ଟମୀ ତିଥି ପଡୁଛି । ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଭାଦ୍ରବ କୃଷ୍ଣ ଅଷ୍ଟମୀ ଅର୍ଥାତ୍ ଆସନ୍ତା କାଲି ହିଁ ଶ୍ରୀମନ୍ଦିର ସମେତ ଘର ମାନଙ୍କରେ ପବିତ୍ର ଜନ୍ମାଷ୍ଟମୀ ପାଲନ କରାଯିବ। ସ୍ମାର୍ତ୍ତ ମତ ଅନୁଯାୟୀ ୧୫ ତାରିଖରେ ଜନ୍ମାଷ୍ଟମୀ ଓ ୧୬ ତାରିଖରେ ନନ୍ଦ ଉତ୍ସବ ଏବଂ ବୈଷ୍ଣବୀୟ ମତ ଅନୁଯାୟୀ ୧୬ ତାରିଖରେ ଜନ୍ମାଷ୍ଟମୀ ଓ ୧୭ ତାରିଖରେ ନନ୍ଦ ଉତ୍ସବ ପାଳନ କରାଯିବ ।
ଶ୍ରୀକୃଷ୍ଣକ ଜନ୍ମ ମଧ୍ୟରାତ୍ରରେ ହୋଇଥିବାରୁ ସ୍ମାର୍ତ୍ତ ମତ ଅନୁଯାୟୀ ସନ୍ଧ୍ୟା ସମୟକୁ ଆଧାର କରି ୧୫ ତାରିଖରେ ହିଁ ଜନ୍ମାଷ୍ଟମୀ ପାଳନ୍ ବିଧେୟ । ଏହି ଦିନ ଶ୍ରୀମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ପାଳନ ସହ ଘରେ ଘରେ ପୂଜା ଓ ଉପବାସ କରାଯିବ । ତେବେ ବୈଷ୍ଣବୀୟ ମତ ଅନୁଯାୟୀ ସୂର୍ଯ୍ୟୋଦୟ ସମୟକୁ ଆଧାର କରି ୧୬ ତାରିଖରେ ଜନ୍ମାଷ୍ଟମୀ ଓ ୧୭ ତାରିଖରେ ନନ୍ଦ ଉତ୍ସବ ପାଳନ କରାଯିବ । ବୈଷ୍ଣବୀୟ ମତରେ ବିଶ୍ୱାସ ରଖୁଥିବା ମଠ ଗୁଡିକରେ ୧୬ ତାରିଖରେ ଜନ୍ମାଷ୍ଟମୀ ପାଳନ ହେବ ବୋଲି ପାଞ୍ଜି ସମୀକ୍ଷକ କହିଛନ୍ତି ।
ତେବେ ଆମ ଓଡ଼ିଆ ପରମ୍ପରାରେ ଜନ୍ମାଷ୍ଟମୀର ଖୁବ ମହତ୍ତ୍ୱ ରହିଛି । ଓଡ଼ିଶାର ପୁରପଲ୍ଲୀରେ ଏହି ଉତ୍ସବ ମହା ସମାରୋହରେ ପାଳନ କରାଯାଏ । ଏହିଦିନ ଲୋକେ ଉପବାସ ରଖିଥାନ୍ତି, ଓ ରାତ୍ରି ୧୨ ଘଟିକାକୁ କୃଷ୍ଣଜନ୍ମ ଉତ୍ସବ ପାଳନ କରିସାରି ଉପବାସ ଭାଙ୍ଗିଥାନ୍ତି। ଏହିଦିନ ଗାଁର ଭାଗବତ ଟୁଙ୍ଗୀମାନଙ୍କରେ ଅଥବା କାହାରି ଘର ବା ମଠ ମନ୍ଦିରରେ ହରିବଂଶ ପୁରାଣ ପାଠ କରାଯାଏ । ହରିବଂଶ ପୁରାଣ ଅତି ଦୀର୍ଘ ହୋଇଥିବାରୁ କେଉଁଠି କେଉଁଠି ଖଣ୍ଡିକିଆ ହରିବଂଶ ପଢ଼ିଥାନ୍ତି । ଜନ୍ମାଷ୍ଟମୀର ପରବର୍ତ୍ତୀ ଦିନ ନନ୍ଦୋତ୍ସବ ପାଳନ କରାଯାଏ। ନନ୍ଦରାଜ ଓ ଯଶୋଦାରାଣୀଙ୍କ ଆନନ୍ଦକୁ ମନେ ପକାଇବାପାଇଁ ଏହି ଦିନ ଲୋକେ ଗାୟନ କୀର୍ତ୍ତନ କରିଥାନ୍ତି ଓ ନିଜର ଉପବାସ ଭାଙ୍ଗି ବଡ଼ି ସକାଳୁ ମିଷ୍ଟାନ୍ନ ଆଦାନ ପ୍ରଦାନ କରିଥାନ୍ତି ଓ ସେବନ କରିଥାନ୍ତି ।