Thursday, December 11, 2025
14.5 C
Odisha

    କ୍ୟାବିନେଟ୍‌ରେ ୬ ପ୍ରସ୍ତାବକୁ ଅନୁମୋଦନ: ଉଚ୍ଚଶିକ୍ଷାରେ ପଛୁଆବର୍ଗଙ୍କୁ ୧୧.୨୫% ସଂରକ୍ଷଣ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟ ସରକାର ଆଜି ଏକ ଐତିହାସିକ ନିଷ୍ପତ୍ତିକ୍ରମେ ଉଚ୍ଚଶିକ୍ଷା ପାଇଁ ଥିବା ବିଭିନ୍ନ ପାଠ୍ୟକ୍ରମ ନାମଲେଖାରେ ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆବର୍ଗ (ଏସ୍‌ଇବିସି)ର ଛାତ୍ରଛାତ୍ରୀଙ୍କୁ ୧୧.୨୫% ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ଚଳିତ ଶିକ୍ଷାବର୍ଷ ୨୦୨୫-୨୬ରୁ ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ, ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଲାଗୁ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‌ ଉପରୋକ୍ତ ପ୍ରସ୍ତାବ ସମେତ ମୋଟ ୬ଟି ପ୍ରସ୍ତାବକୁ ଅନୁମୋଦନ କରିଛି। କ୍ୟାବିନେଟ୍ ବୈଠକ ପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏହି ସଂରକ୍ଷଣ ବ୍ୟବସ୍ଥା ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସ୍ନାତକ, ସ୍ନାତକୋତ୍ତର, ଶିକ୍ଷକ ଶିକ୍ଷା ଓ ଆଇନ ପାଠ୍ୟକ୍ରମ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉଚ୍ଚମାଧ୍ୟମିକ (+୨), ଶିକ୍ଷକ ଶିକ୍ଷା ଓ ଧନ୍ଦାମୂଳକ ପାଠ୍ୟକ୍ରମ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରଦର୍ଶନ କଳାରେ ସ୍ନାତକ ପାଠ୍ୟକ୍ରମ, କ୍ରୀଡ଼ା ଓ ଯୁବ ସେବା ବିଭାଗର ବିପିଏଡ୍‌, ଏମ୍‌ପିଏଡ୍‌ ପାଠ୍ୟକ୍ରମରେ ଲାଗୁ ହେବ। ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆବର୍ଗକୁ ସାମାଜିକ ନ୍ୟାୟ ପ୍ରଦାନ ପାଇଁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି।

    ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି-୨୦୨୦ର ଦୃଷ୍ଟିକୋଣ ସହ ସମନ୍ବୟ ରଖି ଏହି ପଦକ୍ଷେପ ଅବହେଳିତ ଓ ପଛୁଆ ସମ୍ପ୍ରଦାୟଙ୍କ ଶିକ୍ଷାର ଉପଲବ୍ଧତା ବଢ଼ାଇବା, ଶିକ୍ଷା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣକୁ ସମନ୍ବିତ କରିବା ଉଦ୍ଦେଶ୍ୟରେ ଗ୍ରହଣ କରାଯାଇଛି। ଏହାଦ୍ବାରା ମୋଟ ନାମଲେଖା ଅନୁପାତରେ ବୃଦ୍ଧି ପାଇବ। ସେହିପରି ପୂର୍ବରୁ ଏସ୍‌ଟି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଥିବା ୨୨.୫%, ଏସ୍‌ସିଙ୍କ ପାଇଁ ଥିବା ୧୬.୨୫%, ଦିବ୍ୟାଙ୍କ ଛାତ୍ରଛା‌ତ୍ରୀଙ୍କ ପାଇଁ ଥିବା ୫%, ପୂର୍ବତନ ସେନାନୀଙ୍କ ପରିବାର ସଦସ୍ୟ ଲାଗି ଥିବା ୧% ଆସନ ସଂରକ୍ଷଣ ବ୍ୟବସ୍ଥା ସମାନ ରୂପେ ପ୍ରଚଳନ କରାଯିବ।
    ସୂଚନାଯୋଗ୍ୟ ଯେ ରାଜ୍ୟରେ ଆଗରୁ କେବଳ ସରକାରୀ ଚାକିରି କ୍ଷେତ୍ରରେ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଥିବା ବେଳେ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଏହାକୁ ଲାଗୁ କରାଯାଇନଥିଲା। ଏ ନେଇ ବିଭିନ୍ନ ରାଜ୍ୟନୈତିକ ଦଳ ଓ ଫୋରମ୍ ଦାବି କରୁଥିଲେ। ଯାହାକୁ ଆଜି ରାଜ୍ୟ ସରକାର ପୂରଣ କରିଛନ୍ତି। ହେଲେ ମେଡିକାଲ, ବୈଷୟିକ ଶିକ୍ଷା, ମ୍ୟାନେଜମେଣ୍ଟ ଆଦି ପାଠ୍ୟକ୍ରମରେ ଏହାକୁ ଲାଗୁ କରାଯାଇନି।

    ଭୁବନେଶ୍ବର: ରାଜ୍ୟ ସରକାର ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମେ ରାଜ୍ୟ ସରକାରଙ୍କ ‘ମମତା’ ଯୋଜନା ଏବଂ କେନ୍ଦ୍ର ସରକାରଙ୍କ ‘ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା’ ଯୋଜନାକୁ ମିଶାଇ ଦେଇ ମମତା-ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା କରିଛନ୍ତି। ହେଲେ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାରେ ଥିବା ମାନଦଣ୍ଡ ଏହି ନୂଆ ଯୋଜନାରେ ଲାଗୁ ହେବ। ଏହାକୁ ଏପ୍ରିଲ ୧, ୨୦୨୫ରୁ ଲାଗୁ କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକ ଏହାକୁ ଅନୁମୋଦନ କରିଛି। ଆଗରୁ ମମତା ଯୋଜନାରେ ଝିଅ ଜନ୍ମ ହେଲେ ମା’ମାନେ ୧୦ହଜାର ଟଙ୍କା ପାଉଥିଲେ। ଏବେ ନୂଆ ଯୋଜନାରେ ମା’ମାନେ ୧୨ହଜାର ଟଙ୍କା ପାଇବେ। ପୁଅ ଜନ୍ମ ହେଲେ ମା’ମାନଙ୍କୁ ପୂର୍ବରୁ ଯେପରି ୧୦ହଜାର ଟଙ୍କା ମିଳୁଥିଲା ଏବେ ବି ସେତିକି ଟଙ୍କା ମିଳିବ। ହେଲେ ପିଭିଟିଜି (ନିର୍ଦ୍ଦିଷ୍ଟ ଭାବେ ଦୁର୍ବଳ ଆଦିବାସୀ ବର୍ଗ)ମହିଳାମାନଙ୍କୁ ପ୍ରଥମ ୨ଟି ସନ୍ତାନ ପରେ ମଧ୍ୟ ଝିଅ ଜନ୍ମ ପାଇଁ ୧୨ହଜାର ଟଙ୍କା, ପୁଅ ଜନ୍ମ ପାଇଁ ୧୦ହଜାର ଟଙ୍କା ଦିଆଯିବ। ଆଗରୁ ଅଙ୍ଗନବାଡ଼ି କର୍ମୀ, ଅଙ୍ଗନବାଡ଼ି ସହାୟିକାଙ୍କୁ ପ୍ରୋତ୍ସାହନ ରାଶି ବାବଦରେ ଯଥାକ୍ରମେ ୨୦୦ ଓ ୧୦୦ ଟଙ୍କା ମିଳୁଥିବାବେଳେ  ନୂଆ ଯୋଜନା ଅନୁଯାୟୀ ଯଥାକ୍ରମେ ୨୫୦ ଓ ୧୫୦ଟଙ୍କା ପାଇବେ।

    ଏହି ଯୋଜନାରେ ଆସନ୍ତା ୫ବର୍ଷରେ ୨୬୭୦କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ଆଜିର କ୍ୟାବି‌େନଟ୍‌ ବୈଠକରେ କେନ୍ଦୁଝର ଜିଲ୍ଲାର ଧରଣୀଧର ବିଶ୍ବବିଦ୍ୟାଳୟର ଉତ୍ତର ଓ ଦକ୍ଷିଣ କ୍ୟାମ୍ପସ୍‌ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ୪୦.୧୯୭ ଏକର ଜମି ଲିଜ୍ ସୂତ୍ରରେ ପ୍ରଦାନ କରିଛନ୍ତି। ଏ ବାବଦକୁ ଏକକାଳୀନ ରାଜସ୍ବ ଦେୟ ବାବଦରେ ୧୪୦ କୋଟି ୭୧ଲକ୍ଷ ୪୦ହଜାର ୧୫୮ଟଙ୍କା, ବାର୍ଷିକ ରାଜସ୍ବ ଦେୟ ବାବଦକୁ ୫୦,୨୬,୩୧୮ ଟଙ୍କା ଛାଡ଼ କରିଛନ୍ତି।
    ଏହାବ୍ୟତୀତ ବିଭିନ୍ନ ପଦବିରେ ଥିବା ଶାରୀରିକ ମାପ ଏବଂ ଶାରୀରିକ ଦକ୍ଷତା ପରୀକ୍ଷା ପାଇଁ ସମନ୍ବିତ ନିଯୁକ୍ତି ପରୀକ୍ଷାର ନିୟମାବଳୀ, ୨୦୨୨ର ସଂଶୋଧନ କରାଯାଇଛି। ଏହାଦ୍ବାରା ଅଗ୍ନିଶମ ସେବା, ଗୃହରକ୍ଷୀ ଏବଂ ସିଭିଲ୍‌ ଡିଫେନ୍ସ, ଗୃହ (ସିଭିଲ୍‌ ଡିଫେନ୍ସ) ବିଭାଗର ମହାନିର୍ଦ୍ଦେଶକ ଅଧୀନରେ ଥିବା ନାଗରିକ ପ୍ରତିରକ୍ଷା ପ୍ରଶିକ୍ଷକ/ସିନିୟର ଷ୍ଟୋର୍‌ ଇନ୍ସପେକ୍ଟରକୁ ବିଭିନ୍ନ ପଦବିରେ ଥିବା ଶାରୀରିକ ମାପ ଏବଂ ଶାରୀରିକ ଦକ୍ଷତା ପରୀକ୍ଷା ପାଇଁ ସମନ୍ବିତ ନିଯୁକ୍ତି ପରୀକ୍ଷାର ନିୟମାବଳୀ, ୨୦୨୨ର ନିୟମ-୧ରେ ଅନ୍ତର୍ଭୁକ୍ତ କରାଯିବ। ଏହାଫଳରେ ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ ଉପରୋକ୍ତ ପଦବିର ନିଯୁକ୍ତିକୁ ମିଳିତ ନିଯୁକ୍ତି ପରୀକ୍ଷାରେ ପରିଚାଳିତ କରିପାରିବେ।

    ଆଜି କ୍ୟାବିନେଟ୍ ମୟୁରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ୍‌ର ଅଁଳାବେଣୀରେ ଆଫ୍ଲକ୍ସ ବନ୍ଧ ସହିତ ଖଇରିବନ୍ଧନ ବ୍ୟାରେଜ୍‌ ପ୍ରକଳ୍ପ ନେଇ ହୋଇଥିବା ଟେଣ୍ଡରକୁ ଅନୁମୋଦନ କରିଛି। ଏହି ପ୍ରକଳ୍ପର ନିର୍ମାଣ ପାଇଁ ୯୭,୬୭,୯୮,୭୫୫ଟଙ୍କା ଖର୍ଚ୍ଚ ହେବ। ଏହା ୩୦ମାସରେ ସରିବ। ଏହି ପ୍ରକଳ୍ପ ଦ୍ବାରା ଯଶିପୁର, ରରୁଆଁ, ଶୁକୃଳି ବ୍ଲକ୍‌ର ୪୭ଟି ଗ୍ରାମର ୬୯୫୦ ହେକ୍ଟର ଚାଷ ଜମିକୁ ଭୂତଳ ପାଇପଲାଇନ୍ ମାଧ୍ୟମରେ ଜଳଯୋଗାଣ ହେବ। ୩୫ହଜାରରୁ ଅଧିକ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଇପାରିବ। ଓଡ଼ିଶା ଆଇଟିଆଇ ପ୍ରଶିକ୍ଷକ ସେବା (ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ୍ତାବଳୀ) ବା‌ (ଓଜିଆଇଟିଏସ୍‌) ନିୟମ, ୨୦୨୪ରେ ସଂଶୋଧନ କରାଯାଇଛି। ଏହାଦ୍ବାରା ଓଜିଆଇଟିଏସ୍‌ କ୍ୟାଡର୍‌ ଅଧିକାରୀମାନଙ୍କ ପାଇଁ ନିଯୁକ୍ତିଭିତ୍ତିକ ପଦୋନ୍ନତି ସୁଯୋଗ ମିଳିବ। ଅଧ୍ୟକ୍ଷ-୨, ଉପ-ଅଧ୍ୟକ୍ଷ (ସ୍ତର-୧୨)ରେ ସିଧାସଳଖ ନିଯୁକ୍ତି ଦିଆଯାଇପାରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.5 ° C
    14.5 °
    14.5 °
    43 %
    1.8kmh
    0 %
    Wed
    15 °
    Thu
    26 °
    Fri
    26 °
    Sat
    27 °
    Sun
    27 °

    ସମ୍ବନ୍ଧିତ