ପୁରୀ : ବଡଠାକୁର ବଳଭଦ୍ରଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି । ଚକ୍ରରାଜ ସୁଦର୍ଶନଙ୍କ ପରେ ଧାଡି ପହଣ୍ଡିରେ ଆସୁଛନ୍ତି ବଳଭଦ୍ର । ହରିବୋଲ ହୁଳହୁଳିରେ ପ୍ରକମ୍ପିତ ଚର୍ତୁଦିଗ । ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ଯଥେଷ୍ଟ ପୂର୍ବରୁ ମହାପ୍ରଭୁଙ୍କ ନୀତି ଆରମ୍ଭ ହେବ ସେବାୟତମାନଙ୍କ ପକ୍ଷରୁ କୁହାଯାଇଛି ।
ବାହୁଡ଼ା ଯାତ୍ରା ପାଇଁ ଆଜି ଭୋର ୪ଟାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ନୀତିକାନ୍ତି ଆରମ୍ଭ ହୋଇଥିଲା । ପ୍ରଥମେ ମଙ୍ଗଳ ଆଳତି, ଏହାପରେ ଗୋପାଳବଲ୍ଲଭ ପୂଜା ଓ ସକାଳଧୂପ ସହ ଖେଚୁଡ଼ି ଭୋଗ ନୀତି ସମ୍ପନ୍ନ ହୋଇଥିଲା । ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆଇନ ଶୃଙ୍ଖଳା, ଟ୍ରାଫିକ ବ୍ୟବସ୍ଥାକୁ ତଦାରଖ କରିବାପାଇଁ ଅନେକ ମାତ୍ରାରେ ଫୋର୍ସ ମୁତୟନ ହୋଇଛନ୍ତି । ସୁଦର୍ଶନଙ୍କ ପହଣ୍ଡି ବିଜେ ସହ ବାହୁଡ଼ା ଯାତ୍ରାର ମୁଖ୍ୟ ପର୍ବ ଆରମ୍ଭ ହୋଇଥିବାବେଳେ ମହାପ୍ରଭୁଙ୍କ ଦର୍ଶନ ଓ ରଥଟଣାରେ ସାମିଲ ହେବାକୁ ଭକ୍ତମାନଙ୍କ ମଧ୍ୟରେ ଅପାର ଉତ୍ସାହ ଦେଖିବାକୁ ମିଳୁଛି ।
ଦାରୁଦିଅଁଙ୍କୁ ରତ୍ନ ସିଂହାସନକୁ ପାଛୋଟି ଆଣିବାକୁ ଲକ୍ଷାଧିକ ଭକ୍ତ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଭିଡ଼ ଜମାଇଲେଣି । ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାରେ ନିଜକୁ ସାମିଲ କରିବାକୁ କୋଣ ଅନୁକୋଣରୁ ଛୁଟି ଆସିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ବଡ଼ଦାଣ୍ଡରେ ପୁଣିଥରେ ସୃଷ୍ଟି ହୋଇଛି ଭକ୍ତିର ମହାସମୁଦ୍ର ।
