କେନ୍ଦୁଝର : ଗୁରୁଙ୍କ ପାଦ ଛୁଇଁଲେ, ସମ୍ମାନୀତ କଲେ ମୁଖ୍ୟମନ୍ତ୍ରୀ । କେନ୍ଦୁଝର ଝୁମ୍ପୁରା ଉଚ୍ଚ ବିଦ୍ୟାଳୟ ହୀରକ ଜୟନ୍ତୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ମୁଖ୍ୟଅତିଥି ଭାବେ ଯୋଗ ଦେଇ ଅଭିଭାଷଣ ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଝୁମ୍ପୁରା ହାଇସ୍କୁଲର ପୁରାତନ ଛାତ୍ର ଥିବା ମୁଖ୍ୟମନ୍ତ୍ରୀ ପୁରୁଣା ଦିନର ସ୍ମୃତିଚାରଣ କରିଥିଲେ । ଏ ଅବସରରେ ସେ ନିଜ ଶିକ୍ଷକମାନଙ୍କୁ ସମ୍ମାନିତ କରିବା ସହ ସମସ୍ତ ଗୁରୁଙ୍କ ନିକଟରେ ଋଣି ବୋଲି ଅଭିଭାଷଣ ରଖିଥିଲେ । କହିଥିଲେ ସଫଳତା ପାଇଁ ଜ୍ଞାନ ଆହରଣ ଜରୁରି, ଗୁରୁଙ୍କ ଠାରୁ ହିଁ ପ୍ରକୃତ ଜ୍ଞାନ ମିଳେ । କେବଳ ପୁରାତନ ଛାତ୍ର ଭାବରେ ନୁହେଁ, ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଆଜି ମୁଁ ମୋ ସ୍କୁଲ ପାଇଁ ଗର୍ବିତ ବୋଲି କହିଥିଲେ ।
ସେପଟେ ସ୍କୁଲର ଉନ୍ନତିକରଣ ଲାଗି ୨୦ କୋଟି ଟଙ୍କା ଅନୁଦାନ ଘୋଷଣା କରିଥିଲେ । ଏହି ଅର୍ଥରେ ସ୍କୁଲରେ ନିର୍ମାଣ ହେବ ୫୦୦ ସିଟର ଅଡିଟୋରିଅମ । ଏହାସହ ଉନ୍ନତ ସ୍ପୋର୍ଟ୍ସ ଫାସିଲିଟି ସାଙ୍ଗକୁ ସବୁ ପ୍ରକାର ଶିକ୍ଷାଦାନର ଫାସିଲିଟି ଦିଆଯିବ । ସେହିପରି ଖୁବଶୀଘ୍ର କାନୁପୁର ବନ୍ଧ ଦେଇ ଝୁମ୍ପୁରା ଅଞ୍ଚଳ ଜଳସେଚିତ ହେବ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ଶ୍ରେଷ୍ଠ ବିଦ୍ୟାଳୟ ମଧ୍ୟରେ ଝୁମ୍ପୁରା ହାଇସ୍କୁଲ ସ୍ଥାନ ପାଇବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
