ମହର୍ଷି ଅଶ୍ଵଲାୟନ ବୈଦିକ ଋଷି ଓ ଗୁରୁମାନଙ୍କ ମଧ୍ୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିଲେ । ସେ ବିଦେହ ନୃପତି, ଆଧ୍ୟାତ୍ମିକ ଶାସ୍ତ୍ରବିତ ଜନକଙ୍କ କୂଳପୁରୋହିତ ଭାବରେ ବେଶ ପ୍ରସିଦ୍ଧିଲାଭ କରିଛନ୍ତି । ସେ ପ୍ରସିଦ୍ଧ ବ୍ୟାକରଣବିତ ପାଣିନୀଙ୍କ ସମସାମୟିକ । ତାଙ୍କ ଜୀବନକାଳ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀ ବୋଲି ଗ୍ରହଣ କରାଯାଏ । ସେ ଋଷି ସୌନକଙ୍କ ଶିଷ୍ୟମାନଙ୍କ ମଧ୍ୟରେ ମୁଖ୍ୟ ତଥା ମହାନ ଯଶ କୀର୍ତ୍ତିବାନ ଶିଷ୍ୟ ଥିଲେ । ତାଙ୍କ ଦ୍ୱାରା ଅଶୂଲାୟନ ସଂହିତା, ଋଗବେଦର ବର୍ଣ୍ଣନା/ଟୀକା ରଚନା ହୋଇଛି । ସେ ରଚନା କରିଥିବା ଗୃହ୍ୟ ସୂତ୍ରରେ ସଂସାର, ନିତ୍ୟକର୍ମ, ବାସ୍ତୁ ବେଦର ଉପକ୍ରମ ବେଶ ପ୍ରସିଦ୍ଧି ଲାଭ କରିଛି ।
ମହର୍ଷି ଅଶ୍ଵଲାୟନ ନିଜ ବୁଦ୍ଧିମାନ, ଗୁଣବାନ ଶିଷ୍ୟମାନଙ୍କ ପାଇଁ ଖୁବ ଗର୍ବିତ ଓ ଗୌରବାନ୍ଵିତ ହେଉଥିଲେ । ଏହାର ମୁଖ୍ୟ କାରଣ ଥିଲା ଯେ ତାଙ୍କ ଶିଷ୍ୟମାନେ ଦେଶର ପ୍ରଭାବଶାଳୀ ଆଉ ମେଧାବୀ ବ୍ୟକ୍ତିଭାବରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିବା ସହିତ ସମାଜର ସେବାରେ ନିଜକୁ ଉତ୍ସର୍ଗୀକୃତ କରିଆସୁଥିଲେ ।
ଏକଦା ସେ ଏକ କୁସମ୍ବାଦ ପାଇ ବିଚଳିତ ହୋଇପଡିଲେ । ତାଙ୍କର ଜନୈକ ଶିଷ୍ୟ ଦେବବ୍ରତ କୁରୁପଦ ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ଖେଳାଇ ଦେଇଛି । ବୁଦ୍ଧଦେବଙ୍କ ଶିଷ୍ୟ ଅଙ୍ଗୁଳୀୟମାଳ ବା ଦସ୍ୟୁ ରତ୍ନାକର, ଯେ କି ପଛରେ ‘ମହର୍ଷି ବାଲ୍ମୀକି’ ଭାବରେ ପରିଚିତ ହୋଇଥିଲେ, ତାଙ୍କପରି ଘୃଣ୍ୟ କର୍ମ ବା ଆଚରଣ ସବୁ ଆଦରି ନେଇଛି ତାଙ୍କ ଶିଷ୍ୟ । ସେ ରାଜ୍ୟର ରାଜା ଓ ସେନାପତି ମଧ୍ୟ ତାକୁ ଧରି ଦଣ୍ଡ ଦେବାରେ ବିଫଳ ହୋଇଥିଲେ । ଶେଷରେ ଗୁରୁ ଅଶ୍ଵଲାୟନ ମନ ମଧ୍ୟରେ ସଂକଳ୍ପ ନେଲେ ଯେ ସେ ନିଜେ ତାଙ୍କ ଶିଷ୍ୟକୁ ଭେଟିବେ ଓ ତାକୁ ପରିବର୍ତ୍ତନ କରାଇ ସୁପଥକୁ ଫେରାଇ ଆଣିବାକୁ ଚେଷ୍ଟା କରିବେ । ସେଦିନ ଘନ ଅନ୍ଧକାର ରାତ୍ରିରେ ମେଘ ଗର୍ଜନ କରୁଛି । ଖୁବ ଜୋରରେ ପବନ ବହୁଛି । ଅନ୍ୟ କାହାର ବାରଣ ନମାନି ଗୁରୁ ଶିଷ୍ୟକୁ ଭେଟିବାକୁ ବାହାରି ପଡିଲେ । ଘନ ଅନ୍ଧକାର ପୂର୍ଣ୍ଣ ଅରଣ୍ୟ ମଧ୍ୟରେ କେହିଜଣେ ତା ଆଡକୁ ଅଗ୍ରସର ହେଉଥିବାର ଦେବବ୍ରତ ଦେଖିଦେଲା । ତପରେ କଠୋର ଭାବରେ କହିଲା,”ଆଗକୁ ବଢିବାକୁ ଚେଷ୍ଟା କଲେ ଆପଣଙ୍କ ପାଇଁ ଭୟଙ୍କର ବିପଦ ସୃଷ୍ଟି ହେଇପାରେ ।” ଗୁରୁ ଭୟଶୂନ୍ୟ ଭାବରେ ଆଗକୁ ଗତି କରି ଚାଲିଥାନ୍ତି । ଦେବବ୍ରତ ଗର୍ଜନ କରିବା ସହ ଧନୁର ତୀର ନିକ୍ଷେପ କଲା । ଚିତ୍କାର କରି ଟଳି ପଡିଲେ ଗୁରୁ ଅଶ୍ଵଲାୟନ । ହଠାତ ଜଙ୍ଗଲ ଅଞ୍ଚଳ ସ୍ତବ୍ଧ ହୋଇଗଲା । ବିଜୁଳିର ଘଡଘଡି ଓ ଆଲୋକ ବନ ଭୂଇଁକୁ ଚମକେଇ ଦେଲା । ତା’ସହ ଦେବବ୍ରତ ମଧ୍ୟ ଚମକି ଉଠିଲା । ଏ ତ ମୋର ପୂଜ୍ୟ ଗୁରୁଦେବ । ହଠାତ କହି ଉଠିଲା- “ଆପଣ ଏ କ’ଣ କଲେ ଗୁରୁଦେବ !” ଗୁରୁ କହିଲେ- “ବ୍ୟସ୍ତ ହୁଅନି ବତ୍ସ । ମୁଁ ଭାବୁଛି ମୋ ଶିକ୍ଷାରେ କେଉଁଠି ତ୍ରୁଟି ରହିଗଲା ବୋଧହୁଏ । ଯାହାପାଇଁ ମୁଁ ଏ ଦଣ୍ଡ ପାଇଲି ।”
“ଆପଣ ଏ କ’ଣ କହୁଛନ୍ତି ଗୁରୁ ? ମୁଁ ଗୁରୁହନ୍ତା, ନରାଧମ, ପାପୀ । ମୋତେ ଆପଣ ଶାସ୍ତି ଦିଅନ୍ତୁ ।“ ଗୁରୁ କହିଲେ- “ଶାସ୍ତି ଦେବା ଆମର ଧର୍ମ ନୁହେଁ । ଶିକ୍ଷା ଦେବା,ବାଟକୁ ଆଣିବା ଆମର ଗୁରୁଧର୍ମ ।” ଏହା କହୁ କହୁ ଗୁରୁ ଅଶ୍ଵଲାୟନ ଶେଷ ନିଶ୍ଵାସ ତ୍ୟାଗ କଲେ । ଗୁରୁଙ୍କ ନିର୍ଜୀବ ଶରୀର ଧରି ଦେବବ୍ରତ ପାପକର୍ମ ଛାଡି ଦେଶ ପାଇଁ କାମ କରିବାକୁ ବଜ୍ର ଶପଥ ନେଲା ।
କାହାଣୀ- ନିରଞ୍ଜନ ପତି