Thursday, September 19, 2024
24.5 C
Odisha

    ଗୃହସ୍ଥ ଧର୍ମ

    ଆଗକୁ ପଢନ୍ତୁ

     

    ନିର୍ଜନ ସ୍ଥାନ । ଏକ ବୃକ୍ଷ ମୂଳରେ ଜନୈକ ଯୁବ ତପସ୍ଵୀ ତପସ୍ୟାରେ ମଗ୍ନ ଥାଆନ୍ତି । ସେତେବେଳକୁ ସେ ଗୁରୁଙ୍କ ଦ୍ୱାରା ଅନେକ ଅଲୌକିକ ବିଦ୍ୟା ହାସଲ କରି ସାରିଥା’ନ୍ତି । କିନ୍ତୁ ସାଧନାରେ ସିଦ୍ଧି ଲାଭ କରି ନଥାନ୍ତି । ସେଥିଯୋଗୁଁ ସେ ପୁନଃ ତପସ୍ୟାରତ । ଏଇ ସମୟରେ ବୃକ୍ଷ ଶାଖାରେ ଏକ ପକ୍ଷୀ ଦମ୍ପତ୍ତିଙ୍କ ଫଡଫାଡ଼ କିଚିରି ମିଚିରି ଶବ୍ଦରେ ତାଙ୍କ ଧ୍ୟାନ ଭଙ୍ଗ ହେଲା । ସେ ପକ୍ଷୀ ଯୁଗଳଙ୍କୁ ତୀକ୍ଷଣ ଦୃଷ୍ଟି ନିକ୍ଷେପ କଲେ । ହଠାତ ତାଙ୍କ କ୍ରୋଧାନଳରେ ପକ୍ଷୀଦ୍ୱୟ ଦଗ୍ଧିଭୂତ ହୋଇଗଲେ । ନିଜର ଏପରି ଶକ୍ତି ଥିବା ଜ୍ଞାତ ହୋଇ ମନେମନେ ଖୁବ ଗର୍ବ ଅନୁଭବ କଲେ ଯୁବ ତପସ୍ଵୀ ।

    ତପସ୍ୟା ସମାପନାନ୍ତେ ନିକଟସ୍ଥ ଜନପଦକୁ ଭିକ୍ଷା ନିମନ୍ତେ ଗମନ କଲେ ସେ । ଜଣେ ଗୃହସ୍ଥର ପ୍ରବେଶ ଦ୍ୱାର ନିକଟରେ ଭିକ୍ଷାଂ ଦେହି ବୋଲି ତିନିଥର ଉଚ୍ଚାରଣ କଲେ । ଅନେକ ସମୟ ଅପେକ୍ଷା କରି ମଧ୍ୟ କେହି ଶୁଣିଲେ ନାହିଁ । ତପସ୍ଵୀଙ୍କ ସହନ ଶକ୍ତି ସୀମାତିକ୍ରମ କରି କ୍ରୋଧ ଜାତ ହେଲା । ଏହି ସମୟରେ ଗୃହବଧୂ ପହଞ୍ଚି କହିଲେ,”ହେ ଯୁବ ତପସ୍ଵୀ ! ପ୍ରଥମେ ଏହି ଭିକ୍ଷା ଗ୍ରହଣ କରନ୍ତୁ ତାପରେ ଶୁଣନ୍ତୁ । ଆପଣ କଣ ଅଶ୍ଵତ୍ଥ ଗଛରେ ଥିବା ନିରୀହ ପକ୍ଷୀ ଯୁଗଳଙ୍କୁ ଦଗ୍ଧ କରିଦେଇ ଭାବୁଛନ୍ତି ଖୁବ ଏକ ବଡକାମ କରି ଦେଇଛନ୍ତି ? ଆଉ ମଧ୍ୟ ଆପଣ କଣ ମୋତେ ସେଇ ପକ୍ଷୀ ଭଳି କ୍ରୋଧାନଳରେ ଜାଳିଦେବେ ନା କଣ ?

    ଏକଥା ଶୁଣି ଯୁବ ତପସ୍ଵୀ ଚକିତ ହୋଇ ମନେମନେ ଭାବିଲେ – ଇଏ ଏସବୁ ବିଷୟରେ ଜାଣିଲେ କେମିତି ! ଗୃହବଧୂ କହିଲେ,”ଏଇ କଥା ଭାବୁଛନ୍ତି ଯେ ମୁଁ ଏକଥା କିପରି ଜାଣିପାରିଲି ? ହଉ, ପୁଣି ଶୁଣନ୍ତୁ । ଆପଣ କର୍ମ ଓ ସଂସାର ଜଞ୍ଜାଳକୁ ଭୟ କରି, ଗୃହ ତ୍ୟାଗ କରି ସନ୍ୟାସ ବ୍ରତ ଅବଲମ୍ବନ କଲେ । ଆପଣଙ୍କ ସ୍ତ୍ରୀ, ଶିଶୁକନ୍ୟା ଓ ପିତାମାତାଙ୍କ ପ୍ରତି ଥିବା କର୍ତ୍ତବ୍ୟ ଆପଣ ଭୁଲିଯାଇଛନ୍ତି । ସେ ଆପଣଙ୍କ ଅର୍ଜିତ ଧନରେ ପ୍ରତିପାଳିତ ହେଉଥିଲେ । ସେମାନେ ଏବେ ନିରାଶ । ଠିକ କହିଲି ନା ?”

    ଏସବୁ ବିଷୟ ଶୁଣି ତପସ୍ଵୀ ଆହୁରି ଅଧିକ ଆଶ୍ଚର୍ଯ୍ୟ ହୋଇଗଲେ । ଶେଷରେ ସେ କହିଲେ ,”ମାତା ! ସତରେ ତୁମେ ଆମର ପ୍ରଣାମଯୋଗ୍ୟ  । ଏବେ ତୁମର ଅସଲ ପରିଚୟ କୁହ । ଗୃହବଧୂ କହିଲେ।  “ମୁଁ ଜଣେ ପତିବ୍ରତା ସତୀ ନାରୀ । କାୟ-ମନୋ-ବାକ୍ୟରେ ଶାଶୁ ଶ୍ଵଶୁର ଓ ସ୍ୱାମୀଙ୍କ ସେବାରେ ସମର୍ପିତା । ପିଲାଙ୍କ ପ୍ରତି ଥିବା କର୍ତ୍ତବ୍ୟ କରି ତାଙ୍କୁ ସ୍ନେହ କରେ । ନିଜ କର୍ମକୁ ଧର୍ମ ବୋଲି ମଣେ । ସଂସାର ଜଞ୍ଜାଳରୁ କିଛି ସମୟ ବାହାର କରି ମୋ ଗୁରୁଙ୍କ ଉପଦେଶ ମାନି ଈଶ୍ଵରଙ୍କୁ ଆରାଧନା କରେ । ପତି ହିଁ ମୋର ପ୍ରଥମ ଓ ଶେଷ ଗୁରୁ । ସଂସାରରେ ଥାଇମଧ୍ୟ ମୋର ସଂସାର ପ୍ରତି ଆସକ୍ତି ନାହିଁ ।

    ଏକଥା ଶୁଣି ଯୁବ ତପସ୍ଵୀ ଗୃହବଧୂଙ୍କୁ ପ୍ରଣାମ ଜଣାଇ କହିଲେ, “ମାଆ, ତୁମେ ସତରେ ମହାନ । ତୁମେ ମୋ ଆଖି ଖୋଲି ଦେଇଛ । ଗୃହସ୍ଥ ହୋଇ ମଧ୍ୟ ସତସଙ୍ଗ ଓ ଈଶ୍ଵର ଆରାଧନା କରିହେବ । ମୁଁ ଏତେ ତପସ୍ୟା କରି ମଧ୍ୟ ତୁମ ଭଳି ଅନ୍ୟମାନଙ୍କ ମନକଥା ଜାଣିବା ପାଇଁ ଶକ୍ତି ହାସଲ କରି ପାରିନାହିଁ । ‘ଗୃହସ୍ଥ ଧର୍ମ,ଶ୍ରେଷ୍ଠ ଧର୍ମ’ ବିଚାର କରି ଯୁବତପସ୍ଵୀ ନିଜ ଗୁରୁଙ୍କ ଅନୁମତି ନେଇ ପୁଣି ସ୍ଵଗୃହକୁ ପ୍ରତ୍ୟାବର୍ତ୍ତନ କଲେ ।

    କାହାଣୀ- ନିରଞ୍ଜନ ପତି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    91 %
    1.4kmh
    97 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ