ନୂଆଦିଲ୍ଲୀ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ମାଲିକ ଲୁଥ୍ରା ବ୍ରଦର୍ସ ଗିରଫଦାରୀ ଏଡାଇବା ପାଇଁ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ନାଇଟ୍ କ୍ଲବ୍ ବିର୍ଚ ବାଇ ରୋମିଓ ଲେନର ମାଲିକ ସୌରଭ ଏବଂ ଗୌରବ ଲୁଥ୍ରା ବିଦେଶ ପଳାଇବା ପରେ ଦିଲ୍ଲୀର ରୋହଣୀ କୋର୍ଟରେ ଆଗୁଆ ଜାମିନ ଆବେଦନ ଦାଖଲ କରିଛନ୍ତି । ଏହି ଆବେଦନ ତାଙ୍କ ଓକିଲଙ୍କ ଜରିଆରେ ଦାଖଲ କରିଛନ୍ତି ।
ସୂଚନାନୁଯାୟୀ, ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ମାମଲାରେ ଜଣେ ମାଲିକ ଗିରଫ । ରୋମିଓ ଲେନ ନାଇଟକ୍ଲବର ୪ ମାଲିକଙ୍କ ମଧ୍ୟରୁ ଅଜୟ ଗୁପ୍ତା ଗିରଫ । ଦିଲ୍ଲୀର ଲଜପତ ନଗରରେ ଥିବା ବ୍ରେନ ଆଣ୍ଡ ସ୍ପାଇନ ଇନଷ୍ଟିଚ୍ୟୁଟରେ ଅଜୟ ଗୁପ୍ତା ଭର୍ତ୍ତି ହୋଇଥିବା ବେଳେ ସେଠାରୁ ତାଙ୍କୁ ଗୋଆ ପୋଲିସ ଗିରଫ କରିଛି । ଅଜୟ ଗୁପ୍ତାଙ୍କୁ ପୋଲିସ ନିଜ ହେପାଜତକୁ ନେବା ପରେ ପଚରାଉଚରା କରୁଛି । ଯାହାର ଉତ୍ତରରେ ଅଜୟ ଗୁପ୍ତା କହିଥିଲେ ଯେ, ସେ କେବଳ ବିଜନେସ୍ ପାର୍ଟନର । ଅଗ୍ନିକାଣ୍ଡ ସମ୍ପର୍କରେ ତାଙ୍କୁ କିଛି ଜଣାନାହିଁ । ଯେତେବେଳେ ପୋଲିସ ଅଜୟ ଗୁପ୍ତାଙ୍କୁ ସେହି ଘଟଣାରେ ୨୫ ଜଣଙ୍କ ହୋଇଥିବା ମୃତ୍ୟୁ ପାଇଁ କିଏ ଦାୟୀ ବୋଲି ପଚାରିଥିଲା ସେତେବେଳେ ସେ ନୀରବ ରହିଥିଲେ । ପୋଲିସ ପାଖରୁ ବଞ୍ଚିବା ପାଇଁ ସେ ମେରୁଦଣ୍ଡ ରୋଗରେ ପୀଡିତ ବୋଲି କହିଥିଲେ । ତାଙ୍କୁ ଗତକାଲି ବିଳମ୍ବିତ ରାତିରେ ଲାଜପତ ନଗରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଏହାରି ମଧ୍ୟରେ ଲୁଥ୍ରା ବ୍ରଦର୍ସ ରୋହିଣୀ କୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି । ଯେହେତୁ ସେମାନଙ୍କ ଘର ମୁଖାର୍ଜୀ ନଗରରେ ତେଣୁ ରୋହିଣୀ କୋର୍ଟରେ ଆଗୁଆ ଜାମିନ ମଞ୍ଜୁର କରାଯାଇଛି ।
ଅନ୍ୟପଟେ ନାଇଟ୍ କ୍ଲବ୍ର ମାଲିକ ଗୌରବ ଲୁଥ୍ରାଙ୍କୁ ଥାଇଲ୍ୟାଣ୍ଡର ଫୁକେଟ୍ ବିମାନବନ୍ଦରରେ ଦେଖାଯାଇଥିବା ଜଣାପଡ଼ିଛି । ଘଟଣା ପରେ ସେ ବିଦେଶ ପଳାଇ ଯାଇଥିଲେ। ଗୋଆ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ ବିବୃତ୍ତିରେ କହିଛି ଯେ ଇଣ୍ଟରପୋଲ୍ ନାଇଟ୍ କ୍ଲବ୍ ମାଲିକ ସୌରଭ ଏବଂ ଗୌରବ ଲୁଥ୍ରାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ୍ ଜାରି କରିଛି ।

