Tuesday, April 7, 2026
22.5 C
Odisha

    ଗୋଷ୍ଠୀ ସଂଘର୍ଷ ଆଶଙ୍କାରେ ଜାରି ହେଲା ଧାରା ୧୬୩

    ଆଗକୁ ପଢନ୍ତୁ

    ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନୂଆବଜାରର କେନ୍ଦ୍ରସ୍ଥଳୀ ଦୁର୍ଗାମଣ୍ଡପ ନିକଟରେ ନୂଆବର୍ଷ ପାଇଁ ଦଳୀୟ ତୋରଣ ନିର୍ମାଣକୁ କେନ୍ଦ୍ରକରି ଗୁରୁବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ବିଜେପି-ବିଜେଡି ବିବାଦ ଥମୁନାହିଁ। ଆଜି ମଧ୍ୟ ଉଭୟ ଦଳର କର୍ମୀ ଦୁର୍ଗାମଣ୍ଡପ ନିକଟରେ ସେଇ ନିର୍ଦ୍ଦିଷ୍ଟ ଗୋଟିଏ ସ୍ଥାନରେ ତୋରଣ ନିର୍ମାଣ ପାଇଁ ଜିଦ୍ ଧରିବା ଯୋଗୁଁ ଦିନତମାମ ଉତ୍ତେଜନା ଲାଗି ରହିଥିଲା। ଉଭୟପକ୍ଷ ନିଜନିଜ ଜିଦରେ ଅଟଳ ଥିବା ବେଳେ ଗତ ରାତି ଠାରୁ ପୁଲିସ ଓ ପ୍ରଶାସନ ବିବାଦର ସମାଧାନ ପାଇଁ ଉଦ୍ୟମ କରି ଫେଲ୍ ମାରିବା ପରେ ଆଳି ତହସିଲଦାର ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷ ଆଶଙ୍କାରେ ବିବାଦୀୟ ସ୍ଥଳୀରେ ୧୬୩ ଧାରା ଜାରି କରିଛନ୍ତି।
    ସୂଚନାଯୋଗ୍ୟ ଯେ,ଗତ ସନ୍ଧ୍ୟାରୁ ଉଭୟ ପକ୍ଷ ମଧ୍ୟରେ ବିବାଦ ଓ ଛକାପଞ୍ଝା ଆରମ୍ଭ ହୋଇଥିଲା।ଗତକାଲି ବିଳମ୍ବିତ ରାତିଯାଏ ଉଭୟ ପକ୍ଷଙ୍କୁ ଏକାଠି କରି ସମାଧାନ ପାଇଁ ଉଦ୍ୟମ ବିଫଳ ହେବା ପରେ ଆଜି ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ପୁଲିସ ଏସଡିପିଓ, ଆଳି ତହସିଲଦାର ପୁଣି ଉଭୟ ବିଜେପି ଓ ବିଜେଡି ସଭାପତିଙ୍କୁ ବସାଇ ସମାଧାନ ଉଦ୍ୟମ କରିଥିଲେ ମାତ୍ର ଶେଷ ମୁହୁର୍ତ୍ତରେ ସମାଧାନ ଉଦ୍ୟମ ଫେଲ୍ ମାରିଥିଲା।ଘଟଣାର ସମାଧାନ ପାଇଁ ପ୍ରଶାସନିକ ଉଦ୍ୟମ ବିଫଳ,ଉଭୟ ପକ୍ଷର ଜିଦ୍ ଓ ଦଳିୟ କର୍ମୀଙ୍କ ମଧ୍ୟରେ ବଜାର ମଝିରେ ଆଜି ଦିନତମାମ ଉତ୍ତେଜନା ଦୃଷ୍ଟିରୁ ଆଇନଶୃଙ୍ଖଳା ପରିସ୍ଥିତିକୁ ଆଖିଆଗରେ ରଖି ଆଳି ତହସିଲଦାର ପୁଲିସକୁ ଘଟଣା ସମ୍ପର୍କରେ ରିପୋର୍ଟ ମାଗିଥିଲେ।
    ଦୀର୍ଘ ୨୫ ବର୍ଷ ହେଲା ଏହି ସ୍ଥାନରେ ବିଜେଡି ପକ୍ଷରୁ ତୋରଣ ହେଉଛି,ଏ ବର୍ଷ ମଧ୍ୟ ଏଠାରେ ତୋରଣ ହେବ ବୋଲି ବିଜେଡି କର୍ମୀମାନେ ଯୁକ୍ତି ବାଢିଥିବା ବେଳେ ତୁମେ ଦୀର୍ଘବର୍ଷ ହେଲା ଏଠାରେ ତୋରଣ କରୁଛ ତେଣୁ ଚଳିତ ବର୍ଷ ଆମେ ଏଠାରେ ତୋରଣ ନିର୍ମାଣ କରିବୁ ବୋଲି ବିଜେପି କର୍ମୀମାନେ ଜିଦରେ ଅଟଳ ରହିବା ଫଳରେ ଏହି ବିବାଦର ସୂତ୍ରପାତ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    77 %
    0.8kmh
    0 %
    Tue
    35 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ