ଆସାମ : ଆଜି ସକାଳୁ ଆସାମରେ ଏକ ବଡ଼ ରେଳ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଏଠାରେ କୋଲକାତାରୁ ସାଇରାଙ୍ଗ ଯାଉଥିବା କୋଲକାତା-ସାଇରାଙ୍ଗ ଏକ୍ସପ୍ରେସ୍ର ୭ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।
ସୂଚନାନୁଯାୟୀ, ଗୋହାଟିର ଉପକଣ୍ଠ ଦିଗାରୁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି । ରେଳ ଲାଇନ ପରିବର୍ତ୍ତନ ସମୟରେ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ଘଟଣା ପରେ ତୁରନ୍ତ ରେଳ ବିଭାଗର ଅଧିକାରୀ ଓ ପୁଲିସ ଟିମ୍ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଉଦ୍ଧାର କାର୍ଯ୍ୟରେ ବିପର୍ଯ୍ୟୟ ମୁକାବିଲା ବାହିନୀ ମଧ୍ୟ ନିୟୋଜିତ ହୋଇଛନ୍ତି। ଲାଇନଚ୍ୟୁତ ୭ଟି ବଗି ମଧ୍ୟରେ ଫସି ରହିଥିବା ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଜୋରଦାର ପ୍ରୟାସ ଜାରି ରହିଛି । ତେବେ ଏପର୍ଯ୍ୟନ୍ତ କାହାରି ମୃତ୍ୟୁ ହୋଇଥିବା ନେଇ କୌଣସି ଖବର ମିଳିନାହିଁ। ଦୁର୍ଘଟଣାର ପ୍ରକୃତ କାରଣ ଓ କ୍ଷୟକ୍ଷତି ସମ୍ପର୍କରେ ରେଳ ବିଭାଗ ପକ୍ଷରୁ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି ।
ଅନ୍ୟପଟେ ଦୁର୍ଘଟଣା ଯୋଗୁଁ ରେଳ ଚଳାଚଳ ପ୍ରଭାବିତ ହୋଇଛି । ଅନେକ ଟ୍ରେନ ବିଳମ୍ବିତ ହେଉଥିବା ସହ କିଛି ଟ୍ରେନର ରୁଟ୍ ପରିବର୍ତ୍ତନ କରାଯାଉଛି । ଦୁର୍ଘଟଣାର କାରଣ ଏବଂ ଆହତ ଯାତ୍ରୀଙ୍କ ସଂଖ୍ୟା ବର୍ତ୍ତମାନ ଅସ୍ପଷ୍ଟ ରହିଛି । ଅଧିକ ସୂଚନା ଅପେକ୍ଷା କରାଯାଇଛି ।
