Tuesday, April 7, 2026
25.2 C
Odisha

    ଗ୍ରୀଷ୍ମ ପୂର୍ବରୁ ଶୁଖିଲାଣି ୪ ଜଳଭଣ୍ଡାର

    ଆଗକୁ ପଢନ୍ତୁ

    ଭଞ୍ଜନଗର: ଭଞ୍ଜନଗର ଜଳସମ୍ପଦ ବିଭାଜନ ଅଧୀନରେ ରହିଥିବା ୪ଟି ପ୍ରମୁଖ ଜଳଭଣ୍ଡାର ବର୍ତ୍ତମାନ ଜଳସ୍ତର ଉଦ୍‌ବେଗଜନକ ଭାବେ ହ୍ରାସ ପାଇଛି। ବିଗତ ୨ ବର୍ଷ ଧରି ଏହି ଜଳଭଣ୍ଡାରଗୁଡ଼ିକରେ ପାଣି ଅଭାବ ଆଗାମୀ ଦିନରେ ଜଳକଷ୍ଟ ସାଙ୍ଗକୁ ଜଳସେଚନ ସହ ମତ୍ସ୍ୟଜୀବୀଙ୍କୁ ବିଶେଷ ମାତ୍ରାରେ ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଉଛି। ଦୀର୍ଘ ବର୍ଷ ଧରି ଗ୍ରୀଷ୍ମ ପୂର୍ବରୁ ଫେବ୍ରୁଆରିରେ ଏଭଳି ଜଳସଙ୍କଟ କେ‌ବେ ଦେଖା ଯାଇନଥିଲା। କିଛି ବୟୋଜେଷ୍ଠ ବ୍ୟକ୍ତିଙ୍କ ସୂଚନା ଅନୁସାରେ, ୨ ବର୍ଷ ପୂର୍ବରୁ ଫେବ୍ରୁଆରି ମାର୍ଚ୍ଚ ବେଳକୁ ଜଳଭଣ୍ଡାର ଗୁଡ଼ିକରେ ପାଣି ପ୍ରାୟ ୫୦ ପ୍ରତିଶତରୁ ଅଧିକ ରହୁଥିଲା। ଗଲାବର୍ଷ ଏଥିରେ ପ୍ରଥମ ଥର ବ୍ୟତିକ୍ରମ ଦେଖାଗଲା। ଚଳିତ ବର୍ଷ ସ୍ଥିତି ସଙ୍ଗିନ ହେବାକୁ ଯାଉଛି। ଏହି ବିଭାଜନ ଭଞ୍ଜନଗର ସୋରଡ଼ା, ଡହ ଏବଂ ବାଘୁଆ ଜଳଭଣ୍ଡାରରୁ ଚାଷ ଜମିକୁ ଜଳସେଚନ କରାଯାଉଥିବା ବେଳେ ପାନୀୟ ଜଳ ପାଇଁ ମଧ୍ୟ ବ୍ୟବହାର କରାଯାଉଛି। ଏଥିସହ କେନାଲ ଦ୍ବାରା ଯାଉଥିବା ପାଣିକୁ ମଧ୍ୟ ଲୋକମାନେ ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର କରୁଛନ୍ତି। କିନ୍ତୁ ଚଳିତ ବର୍ଷ ଦୀର୍ଘଦିନ ଧରି ବର୍ଷା ଅଭାବ ଯୋଗୁ ସ୍ଥିତି ଗମ୍ଭୀର ହେବ ବୋଲି ଏବେଠାରୁ ଅନୁମାନ କରାଯାଉଛି। ଗ୍ରୀଷ୍ମର ପ୍ରକୋପ ମଧ୍ୟ ଆରମ୍ଭ ହୋଇଥିବାରୁ ଜଳଭଣ୍ଡାର ପାଣି ବାଷ୍ପୀଭୂତ ହୋଇ ଜଳସ୍ତର ହ୍ରାସ ପାଇବ। ଜିଲ୍ଲାର ଚାଷ ସହ ପାନୀୟ ଜଳ ଓ ଭୂତଳ ଜଳକୁ ନିୟନ୍ତ୍ରଣ କରୁଥିବା ୪ଟି ପ୍ରମୁଖ ଜଳଭଣ୍ଡାରରେ ପାଣି କମିବାରେ ଲାଗିଛି। ଗତବର୍ଷ ମଧ୍ୟ ଜଳସ୍ତର କମ ରହିଥିବା ବେଳେ ଚଳିତ ବର୍ଷ ଆହୁରି କମିଛି। ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭଞ୍ଜନଗର ଜଳଭଣ୍ଡାରର ଜଳଧାରଣ କ୍ଷମତା ୫୭୬୬ ହେକ୍ଟୋମିଟର ରହିଥିବା ବେଳେ ଗତବର୍ଷ ଏଠାରେ ୧୪୯୫ ହେକ୍ଟୋମିଟର ତଥା ୨୬ ପ୍ରତିଶତ ପାଣି ରହିଥିଲା।

    ଚଳିତ ବର୍ଷ ଏଠାରେ ୯୪୮.୩୬ ହେକ୍ଟୋମିଟର ପାଣି ରହିଛି। ସେହିପରି ସୋରଡ଼ା ଜଳଭଣ୍ଡାର କ୍ଷମତା ୪୯୭୫ ହେକ୍ଟୋମିଟର ରହିଥିବା ବେଳେ ଗତବର୍ଷ ପ୍ରାୟ ୨୯ ପ୍ରତିଶତ ଅର୍ଥାତ୍‌ ୧୪୮୫ ହେକ୍ଟୋମିଟର ପାଣି ରହିଥିବା ବେଳେ ଚଳିତ ବର୍ଷ ୧୨୯୯.୪୯ ହେକ୍ଟୋମିଟର ପାଣି ରହିଛି। ଡହ ଜଳଭଣ୍ଡାରରେ ୨୧୯୫ ହେକ୍ଟୋମିଟର ଜଳଧାରଣ କ୍ଷମତା ରହିଥିବା ବେଳେ ଗତବର୍ଷ ୨୨ ପ୍ରତିଶତ ଅର୍ଥାତ୍‌ ୪୯୧.୦୦ ହେକ୍ଟୋମିଟର ପାଣି ରହିଥିଲା। ଚଳିତବର୍ଷ ୨୧୮ ହେକ୍ ଟୋମିଟର ପାଣି ରହିଛି। ସେହିପରି ବୁଗୁଡ଼ା ଠାରେ ଥିବା ବାଘୁଆ ଜଳଭଣ୍ଡାରରେ ୩୧୦୦ ହେକ୍ଟୋମିଟର ଜଳଧାରଣ କ୍ଷମତା ରହିଥିବା ବେଳେ ଗତବର୍ଷ ଏଠାରେ ୧୪ ପ୍ରତିଶତ ଅର୍ଥାତ୍‌ ୪୫୪.୭୩ ହେକ୍ଟୋମିଟର ପାଣି ରହିଥିଲା। ଚଳିତ ବର୍ଷ ୨୬୪.୫୩ ହେକ୍ଟୋମିଟର ଜଳ ରହିଥିବା ଜଣାପଡିଛି। ବର୍ଷା ନଥିବାରୁ ଜଳଭଣ୍ଡାରଗୁଡ଼ିକ ଶୁଖିବାକୁ ଲାଗିଥିବା ବେ‌ଳେ ନଦୀନାଳଗୁଡ଼ିକର ଜଳସ୍ତର ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଫଳରେ ଆଗକୁ ପିଇବା ପାଣି ସମସ୍ୟା ମଧ୍ୟ ମୁଣ୍ଡ ଟେକିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.2 ° C
    25.2 °
    25.2 °
    69 %
    1.7kmh
    84 %
    Tue
    25 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ