ଏବେ ଘର ସଜାଇବା ସମସ୍ତଙ୍କ ପାଇଁ ସଉକ ପାଲଟିଛି । ଅନେକ ଜିନିଷର ବ୍ୟବହାର କରି ଘରକୁ ସୁନ୍ଦର କରି ଆମେ ସଜାଇଥାଉ । ହେଲେ ଏବେ ଫଟୋଫ୍ରେମର ଟ୍ରେଣ୍ଡ ଅଧିକ ମାତ୍ରାରେ ଚାଲିଛି । ମ୍ୟାରେଜ୍ ପାର୍ଟି ଏବଂ ଅନ୍ୟାନ୍ୟ ଫଙ୍କସନରେ ମଧ୍ୟ ଫଟୋଫ୍ରେମ୍ ମଧ୍ୟ ଗିପ୍ଟ ଦେଉଛନ୍ତି । କିନ୍ତୁ ସେହି ସବୁ ଫଟୋଗୁଡିକୁ ଲଗାଇବାର ସଠିକ୍ ଦିଗ ରହିଛି । ଯାହା ଘରର ସୁଖ, ଶାନ୍ତି ଓ ସମୃଦ୍ଧିକୁ ବଢ଼ାଇଥାଏ । ସେହିପରି ଭୁଲ ଦିଗରେ ଲଗାଇବା ଦ୍ବାରା ଘର ଉପରେ କୁପ୍ରଭାବ କିମ୍ବା ଅଶାନ୍ତି ଲାଗି ରହିଥାଏ । ତେଣୁ ଏଥିପ୍ରତି ସତର୍କ ରହିବା ଉଚିତ୍ ।
ଘର ସାଜସଜ୍ଜାରେ ଫଟୋଫ୍ରେମ୍ ଏକ ବିଶେଷ ସ୍ଥାନ ଅଧିକାର କରିଥାଏ । ଏହା କେବଳ କାନ୍ଥର ସୌନ୍ଦର୍ଯ୍ୟ ବଢାଇନଥାଏ ବରଂ ଆମର ସ୍ମୃତିକୁ ମଧ୍ୟ ସବୁଦିନ ପାଇଁ ଜୀବନ୍ତ କରି ରଖିଥାଏ । କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ, ସଠିକ୍ ଦିଗରେ ଫଟୋଫ୍ରେମ୍ ରଖିବା ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଯଦି ଫଟୋଫ୍ରେମକୁ ଭୁଲ ଦିଗରେ ରଖାଯାଏ ତେବେ ଏହା ଘରେ ନକାରାତ୍ମକ ଶକ୍ତି ବୃଦ୍ଧି କରିପାରେ ଏବଂ ସମ୍ପର୍କରେ ମଧ୍ୟ ଉତ୍ତେଜନା ସୃଷ୍ଟି କରିପାରେ । ସଠିକ୍ ଦିଗରେ ଫଟୋଫ୍ରେମ ଲଗାଇବା ଦ୍ବାରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି କରିବା ସହିତ ମଧୁର ସମ୍ପର୍କ ବଜାୟ ରଖିବାରେ ଏହା ସାହାଯ୍ୟ କରେ । ତେବେ ଆସନ୍ତୁ ଜାଣିବା ଘରେ ଫଟୋଫ୍ରେମ୍ ରଖିବା ପାଇଁ କେଉଁ ଦିଗକୁ ଶୁଭ ବୋଲି ବିବେଚନା କରାଯାଏ ।
ବାସ୍ତୁଶାସ୍ତ୍ର ଅନୁସାରେ, ଘରର ଦକ୍ଷିଣ-ପଶ୍ଚିମ ଦିଗକୁ ଫଟୋଫ୍ରେମ୍ ରଖିବା ପାଇଁ ଖୁବ୍ ଭଲ ବୋଲି ବିବେଚନା କରାଯାଏ । ଏହି ଦିଗରେ ପରିବାରର ଫଟୋ ଲଗାଇବା ଦ୍ବାରା ସମ୍ପର୍କରେ ଓ ଘରେ ସୁଖ ଏବଂ ସମୃଦ୍ଧିକୁ ବଢ଼ାଇଥାଏ । କିଛି ଦିଗରେ ଫଟୋ ଲଗାଇବାକୁ ବାସ୍ତୁ ଶାସ୍ତ୍ରରେ ବାରଣ କରାଯାଏ । ବୈବାହିକ ଜୀବନ ସହିତ ଜଡିତ ଫଟୋ ଉତ୍ତର ଏବଂ ଉତ୍ତର-ପୂର୍ବ ଦିଗରେ ରଖିବା ଉଚିତ୍ ନୁହେଁ । ଏହା ସମ୍ପର୍କରେ ମତଭେଦ ଏବଂ ଉତ୍ତେଜନା ସୃଷ୍ଟି କରିପାରେ ।
ଏହା ବ୍ୟତୀତ ଉତ୍ତର ଦିଗକୁ ଧନ ଏବଂ ସୁଯୋଗର ଦିଗ ଭାବେ ବାସ୍ତୁ ଶାସ୍ତ୍ରରେ ବିଶ୍ବାସ କରାଯାଏ । ତେଣୁ ଏହି ଦିଗର କାନ୍ଥରେ ଦମ୍ପତିଙ୍କ ଫଟୋ ଲଗାଇବାଠାରୁ ଦୂରେଇ ରୁହନ୍ତୁ । ପୂର୍ବ ଦିଗରେ ଦୁଃଖଦ କିମ୍ବା ନକରାତ୍ମକ ଫଟୋ ଲଗାଇବା ଫଳରେ ଘରର ସକରାତ୍ମକତାକୁ ପ୍ରଭାବିତ କରିପାରେ । ଘରର ଉତ୍ତର-ପୂର୍ବ ଦିଗକୁ ଅତ୍ୟନ୍ତ ପବିତ୍ର ବୋଲି ବିଶ୍ବାସ କରାଯାଏ । ଏହି ଦିଗରେ ଭଗବାନଙ୍କ ଫଟୋ କିମ୍ବା ଧାର୍ମିକ ଫଟୋ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ତେଣୁ ବୈବାହିକ ଦମ୍ପତିଙ୍କ ଫଟୋ ଏହି ଦିଗରେ ଲଗାଇବା ଉଚିତ୍ ନୁହେଁ ।
ଏହା ସହିତ ଶୋଇବା ଘରେ ଫଟୋ ସମ୍ମୁଖରେ ସିଧାସଳଖ ଦର୍ପଣ ରଖିବା ଉଚିତ୍ ନୁହେଁ । ଯାହା ଦ୍ୱାରା ସମ୍ପର୍କରେ ଭୁଲ ବୁଝାମଣା ଏବଂ ମତଭେଦ ବଢ଼ିପାରେ ବୋଲି ବାସ୍ତୁ ଶାସ୍ତ୍ରରେ ବିଶ୍ବାସ କରାଯାଏ ।
