ଶ୍ରୀରାମଙ୍କର ପରମ ଭକ୍ତ ଥିଲେ ହନୁମାନ । ଯାହାଙ୍କୁ ଶକ୍ତି, ସାହାସ ଏବଂ ଭକ୍ତିର ପ୍ରତୀକ ବୋଲି ମାନାଯାଏ । ମଙ୍ଗଳବାର, ଶନିବାର ସମେତ ରାମନବମୀ, ହନୁମାନ ଜନ୍ମୋତ୍ସବ ଭଳି ଖାସ୍ ଦିନରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ । ବାସ୍ତୁ ଅନୁସାରେ ଘରେ ହନୁମାନଙ୍କ ଫଟୋ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ତେବେ ଆସନ୍ତୁ କେଉଁ ଫଟୋ ଲଗାଯିବା ଉଚିତ୍ ସେସମ୍ପର୍କରେ ଜାଣିବା।
ସର୍ବପ୍ରଥମେ ଦିଗ ଉପରେ ଧ୍ୟାନ ଦେବା ଜରୁରୀ । ସଠିକ୍ ଦିଗରେ ହନୁମାନଙ୍କ ଫଟୋ ଲଗାଇବା ଦ୍ବାରା ଭଲ ଫଳ ମିଳିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ହନୁମାନଙ୍କ ଫଟୋକୁ ଦକ୍ଷିଣ ଦିଗରେ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ଦିଗ ପାଇଁ ଖାସ୍ କରି ଲାଲ୍ ରଙ୍ଗର ବସିଥିବା ହନୁମାନଙ୍କ ଫଟୋ ଲଗାଇବା ଉପଯୁକ୍ତ ହୋଇଥାଏ । ଏଭଳି ଫଟୋକୁ ଦକ୍ଷିଣ ଦିଗରେ ଲଗାଇବା ଫଳରେ ଆସୁଥିବା ନକରାତ୍ମକ ଶକ୍ତିର ପ୍ରଭାବ ହ୍ରାସ ପାଇଥାଏ ।
ହନୁମାନ ରାମଙ୍କୁ ପୂଜା କରୁଥିବା ଫଟୋ : ହନୁମାନ ରାମଙ୍କୁ ପୂଜା କରୁଥିବା ଫଟୋ ପରିବାର ପାଇଁ ଖୁବ୍ ଶୁଭ ବୋଲି ବିବେଚନା କରାଯାଏ । ଯାହା ପରିବାରର ସଦସ୍ୟଙ୍କ ମଧ୍ୟରେ ପ୍ରେମ, ବୁଝାମଣା ଏବଂ ନିଜର ଭାବନା ବୃଦ୍ଧି କରେ । ଏଥିସହ ଶାନ୍ତିପୂର୍ଣ୍ଣ ଏବଂ ଖୁସି ପରିବେଶ ବଜାୟ ରଖେ ।
ପର୍ବତ ଉଠାଉଥିବା ଫଟୋ: ହାତରେ ପର୍ବତ ଧରିଥିବା ହନୁମାନଙ୍କ ପ୍ରତିମୂର୍ତ୍ତି ସାହସ ଏବଂ ଶକ୍ତିର ପ୍ରତୀକ ବୋଲି ବିଶ୍ବାସ କରାଯାଏ । ବାସ୍ତୁ ଅନୁସାରେ ଘରେ ଏପରି ପ୍ରତିମୂର୍ତ୍ତି ରଖିବା ଦ୍ୱାରା ଆତ୍ମବିଶ୍ୱାସ ଏବଂ ନୂତନ ଶକ୍ତି ସୃଷ୍ଟି ହୁଏ । ଏହା କଠିନ ପରିସ୍ଥିତିର ସମ୍ମୁଖୀନ ହେବାର ପ୍ରେରଣା ସହିତ ଜଡିତ ।
ଉଡ଼ନ୍ତା ହନୁମାନ: ଆକାଶରେ ଉଡ଼ୁଥିବା ହନୁମାନଙ୍କ ଫଟୋ ପ୍ରଗତି ଏବଂ ସଫଳତାର ପ୍ରତୀକ । ମାନ୍ୟତା ଅଛି ଯେ, ଘରେ ଏହି ଫଟୋ ରଖିବା ଦ୍ବାରା ବ୍ୟକ୍ତିଙ୍କର ପ୍ରଗତି ଏବଂ ଉନ୍ନତି କରିଥାଏ ଏବଂ କଠିନ କାମକୁ ପୂରଣ କରିବାର ଆତ୍ମବିଶ୍ବାସ ମିଳିଥାଏ ।
ପଞ୍ଚମୁଖୀ ହନୁମାନ: ବାସ୍ତୁ ଅନୁସାରେ ମୁଖ୍ୟ ଦ୍ବାରରେ ପଞ୍ଚମୁଖୀ ହନୁମାନଙ୍କ ଫଟୋ ଲଗାଇବା ମଧ୍ୟ ଶୁଭ ଫଳ ପ୍ରଦାନ କରିଥାଏ । ଯାହା ଦ୍ବାରା ନକରାତ୍ମକ ଶକ୍ତି ଘର ଭିତରକୁ ପ୍ରବେଶ ହେବାକୁ ରୋକିଥାଏ । ଏହି ସ୍ବରୂପକୁ ହନୁମାନଙ୍କର ସବୁଠାରୁ ବଡ଼ ରୂପ ବୋଲି ମାନ୍ୟତା ରହିଛି ।
