ଶୀତଋତୁ ଆସିବା ମାତ୍ରେ ବଢ଼ିଯାଏ ତ୍ୱଚା ସମସ୍ୟା । ଥଣ୍ଡା ଓ ଶୁଷ୍କ ପବନ ଯୋଗୁଁ ଚର୍ମର ପ୍ରାକୃତିକ ଆର୍ଦ୍ରତା କମିବାକୁ ଲାଗେ । ଫଳରେ ମୁହଁ ଶୁଷ୍କ ହେବା, ଓଠ ଫାଟିବା, ହାତ ଓ ଗୋଡ଼ ରୁକ୍ଷ ହେବା ସହ ଚର୍ମରେ କୁଣ୍ଡାଇ ହେବା ଭଳି ସମସ୍ୟା ଦେଖାଦିଏ । ଅନେକ ସମୟରେ ତ୍ୱଚା ଏତେ ଶୁଷ୍କ ହୋଇଯାଏ ଯେ ଫାଟିବା ସହ ଜଳାପୋଡ଼ା ମଧ୍ୟ ହୋଇଥାଏ । ତେଣୁ ଶୀତଦିନେ ତ୍ୱଚାର ସ୍ୱତନ୍ତ୍ର ଯତ୍ନ ନେବା ନିହାତି ଜରୁରୀ । ତେବେ କିଛି ସହଜ ଉପାୟ ଆପଣାଇ ଶୀତଦିନେ ମଧ୍ୟ ତ୍ୱଚାକୁ କୋମଳ ଓ ସୁସ୍ଥ ରଖିପାରିବେ ।
ପ୍ରଥମେ ମୁହଁ ଧୋଇବାର ଶୈଳୀ ବଦଳାନ୍ତୁ । ଶୀତଦିନେ ମୁହଁ ଧୋଇବା ପାଇଁ ଅତ୍ୟଧିକ ଗରମ ପାଣି ବ୍ୟବହାର କରନ୍ତୁ ନାହିଁ । ଏହା ତ୍ୱଚାର ପ୍ରାକୃତିକ ତେଲକୁ ନଷ୍ଟ କରି ଶୁଷ୍କତା ବଢ଼ାଇଥାଏ । ଏଥିପାଇଁ ହାଲୁକା ଉଷୁମ ପାଣି ଏବଂ ମୃଦୁ କ୍ଲିନ୍ଜର ବ୍ୟବହାର କରନ୍ତୁ । ଦ୍ୱିତୀୟରେ ମଏଶ୍ଚରାଇଜର ବ୍ୟବହାର କରନ୍ତୁ । ମୁହଁ ଧୋଇବା ପରେ ତ୍ୱଚା ସାମାନ୍ୟ ଓଦା ଥିବାବେଳେ ମଏଶ୍ଚରାଇଜର ଲଗାନ୍ତୁ । ଏହା ଚର୍ମର ଆର୍ଦ୍ରତାକୁ ବଜାୟ ରଖିବା ସହ ତ୍ୱଚାକୁ ନରମ ରଖିଥାଏ । ଶୀତଦିନେ ତ୍ୱଚାର ଶୁଷ୍କତା ଅନୁସାରେ ଭଲ ମଏଶ୍ଚରାଇଜର ବାଛନ୍ତୁ । ତୃତୀୟରେ ସନ୍ସ୍କ୍ରିନ୍ ବ୍ୟବହାର କରିବା ଭୁଲନ୍ତୁ ନାହିଁ । ଅନେକ ଲୋକ ଭାବନ୍ତି ଯେ ଶୀତଦିନେ ସନ୍ସ୍କ୍ରିନ୍ର ଆବଶ୍ୟକତା ନାହିଁ । କିନ୍ତୁ ଏହା ଭୁଲ ଧାରଣା । ଋତୁ ଯାହା ହେଉନା କାହିଁକି, ବାହାରକୁ ଯିବା ପୂର୍ବରୁ ସନ୍ସ୍କ୍ରିନ୍ ବ୍ୟବହାର କରନ୍ତୁ । ଚତୁର୍ଥରେ ଓଠର ଯତ୍ନ ନିଅନ୍ତୁ । ଶୀତଦିନେ ଓଠ ଫାଟିବା ଏକ ସାଧାରଣ ସମସ୍ୟା । ଏଥିରୁ ରକ୍ଷା ପାଇବା ପାଇଁ ନିୟମିତ ଲିପ୍ ବାମ୍ ବ୍ୟବହାର କରନ୍ତୁ । ଓଠକୁ ବାରମ୍ବାର ଜିଭରେ ଓଦା କରନ୍ତୁ ନାହିଁ । ଏହାଦ୍ୱାରା ଓଠ ଆହୁରି ଶୁଷ୍କ ହୋଇପାରେ । ପଞ୍ଚମରେ ହାତ ଓ ପାଦର ଯତ୍ନ ନିଅନ୍ତୁ । ହାତ ଓ ଗୋଡ଼ ଧୋଇବା ପରେ ଭଲ ମଏଶ୍ଚରାଇଜର ଲଗାନ୍ତୁ। ବିଶେଷକରି ରାତିରେ ଶୋଇବା ପୂର୍ବରୁ ପାଦରେ ଭେସଲିନ୍ ଲଗାଇ ମୋଜା ପିନ୍ଧନ୍ତୁ । ଏହାଦ୍ୱାରା ପାଦର ଶୁଷ୍କତା ଓ ଫାଟିବା ସମସ୍ୟା କମିପାରେ । ଷଷ୍ଠରେ ଖାଦ୍ୟ ଓ ପାନୀୟ ପ୍ରତି ଧ୍ୟାନ ଦିଅନ୍ତୁ । ତ୍ୱଚାକୁ ସୁସ୍ଥ ରଖିବା ପାଇଁ କେବଳ ବାହ୍ୟ ଯତ୍ନ ଯଥେଷ୍ଟ ନୁହେଁ । ଶରୀରକୁ ଭିତରୁ ମଧ୍ୟ ପୋଷଣ ଦେବା ଆବଶ୍ୟକ । ଶୀତଦିନେ ଶୋଷ କମ୍ ଲାଗୁଥିଲେ ମଧ୍ୟ ପର୍ଯ୍ୟାପ୍ତ ପାଣି ପିଅନ୍ତୁ । ଖାଦ୍ୟରେ ସବୁଜ ପନିପରିବା, ଋତୁକାଳୀନ ଫଳ, ବାଦାମ ଏବଂ ଓମେଗା-୩ ଫ୍ୟାଟି ଏସିଡ୍ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ ।
ଏହାସହ ଶୀତଦିନେ ବାରମ୍ବାର ଅତ୍ୟଧିକ ଗରମ ପାଣିରେ ଗାଧୋଇବା, ଅଧିକ ସାବୁନ ବ୍ୟବହାର କରିବା ଏବଂ ତ୍ୱଚାକୁ ଜୋରରେ ଘଷିବାରୁ ଦୂରେଇ ରୁହନ୍ତୁ । ଯଦି ଚର୍ମ ଫାଟି ରକ୍ତ ବାହାରେ, ଅତ୍ୟଧିକ କୁଣ୍ଡାଇ ହୁଏ, ଲାଲ୍ ପଡ଼େ କିମ୍ବା ଦୀର୍ଘଦିନ ଧରି ସମସ୍ୟା ଲାଗି ରହେ, ତେବେ ଚର୍ମ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ତେଣୁ ଶୀତଦିନେ ସାମାନ୍ୟ ସଚେତନତା, ନିୟମିତ ମଏଶ୍ଚରାଇଜର ବ୍ୟବହାର ଓ ସନ୍ତୁଳିତ ଖାଦ୍ୟାଭ୍ୟାସ ଦ୍ୱାରା ଆପଣ ନିଜ ତ୍ୱଚାକୁ ସୁସ୍ଥ, କୋମଳ ଓ ଚମକଦାର ରଖିପାରିବେ ।
