ପୁରୀ : ଶ୍ରୀକ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ବା ରଥଯାତ୍ରା ଆରମ୍ଭ ହୋଇଯାଇଛି । ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରିବେ ଶ୍ରୀଜୀଉ। ପୁରୀରେ ଏବେ ନୀତିକାନ୍ତି ପରେ ଆରମ୍ଭ ହୋଇଛି ପହଣ୍ଡି ବିଜେ ନୀତି । ମନ୍ଦିର ଭିତରେ ନୀତିକାନ୍ତି ଶେଷ ହେବା ପରେ ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଛି । ପ୍ରଥମେ ରଥାରୁଢ଼ ହେବେ ଶ୍ରୀସୁଦର୍ଶନ । ଏହା ପରେ ଶ୍ରୀବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି । ଘଣ୍ଟ ଓ ଶଙ୍ଖର ଶବ୍ଦରେ ଶ୍ରୀମନ୍ଦିର ପରିସର ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଛି । ଶ୍ରୀସୁଦର୍ଶନ ରଥ ଉପରେ ବିଜେ କରିସାରିଛନ୍ତି ।
ସେପଟେ ସମସ୍ତଙ୍କର ଅପେକ୍ଷା କେତେବେଳେ ନୀଳକନ୍ଦରରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ନୀଳାଦ୍ରିନାଥ। ରଥରେ ବସି ଯିବେ ଆଡ଼ପମଣ୍ଡପ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପାଇବେ ବିଶ୍ୱନିୟନ୍ତାଙ୍କ ଦୁର୍ଲ୍ଲଭ ଦର୍ଶନ । ସେହି ଦିବ୍ୟ ମୁହୂର୍ତ୍ତକୁ ଚାହିଁ ରହିଛନ୍ତି ଭକ୍ତଜନ । ଦାରୁବ୍ରହ୍ମଙ୍କ ସ୍ପର୍ଶରେ ରଥ, ପଥ ହେବ ବ୍ରହ୍ମମୟ । ସଭିଏଁ ହେବେ ଏକାକାର । ଆଜି ସକାଳ ସାଢେ ୧୦ ଟାରୁ ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି ଆରମ୍ଭ ହୋଇ ଅପରାହ୍ନ ୪ ଟାରେ ରଥ ଟାଣିବା ଲାଗି ନୀତି ନିର୍ଘଣ୍ଟ କରାଯାଇଛି ।