Friday, April 3, 2026
39 C
Odisha

    ଚର୍ମ ରୋଗୀଙ୍କ ଭିତରୁ ୪୦% ଫଙ୍ଗାଲ୍‌ ସଂକ୍ରମିତ

    ଆଗକୁ ପଢନ୍ତୁ

    ଫଙ୍ଗାଲ୍‌ ଇନ୍‌ଫେକ୍‌ସନ୍‌ କ’ଣ?
    ଫଙ୍ଗାଲ୍‌ ଇନ୍‌ଫେକ୍‌ସନ୍‌କୁ ବୈଜ୍ଞାନିକ ଭାଷାରେ ‘ମାଇକୋସିସ୍’ ମଧ୍ୟ କୁହାଯାଇଥାଏ। ଏହା କବକ ଦ୍ୱାରା ହେଉଥିବା ଏକ ଚର୍ମ ସଂକ୍ରମଣ। ଏହି କବକଗୁଡ଼ିକ ଅପରିଷ୍କାର ସ୍ଥାନରେ, ଗଛରେ, ଘର ଚଟାଣରେ ଓ ମଣିଷର ଚର୍ମରେ ବି ବାସ କରିଥା’ନ୍ତି। ବେଳେବେଳେ ଏହିସବୁ କବକ ଚର୍ମଜନିତ ସମସ୍ୟା ସୃଷ୍ଟି କରିଥା’ନ୍ତି।

    ଏହି ସଂକ୍ରମଣର କାରଣ ସବୁ କ’ଣ?
    ପରିବେଶ ପ୍ରାୟ ସମୟରେ ଏବେ ଉଷ୍ମ ରହୁଛି। ଏହି ଉଷ୍ମଆର୍ଦ୍ର ପାଣିପାଗ ପାଇଁ ଫଙ୍ଗାଲ୍‌ ଇନ୍‌ଫେକ୍‌ସନ୍‌ ଏବେ ଅତି ସାଧାରଣ ହୋଇଗଲାଣି। ଏଥିସହ ଫଙ୍ଗାଲ୍‌ ଇନ୍‌ଫେକ୍‌ସନ୍‌ ହେଉଛି ଏକ ସଂକ୍ରାମକ ରୋଗ। ଜଣକୁ ହୋଇଥିଲେ, ଏହା ଅନ୍ୟମାନଙ୍କୁ ଡେଇଁବାର ଆଶଙ୍କା ବହୁତ ଅଧିକ ରହିଥାଏ। ଏଥିସହ ଅତ୍ୟାଧୁନିକ ଜୀବନଶୈଳୀରେ ଆମେ ଏବେ ଅତ୍ୟନ୍ତ ଟାଇଟ୍‌ ପୋଷାକ ପିନ୍ଧୁଛୁ, ଯାହା ଯୋଗୁଁ ବି ଏହି ସଂକ୍ରମଣ ହୋଇଥାଏ। ଏବେ ବଜାରରେ ବିକ୍ରି ହେଉଥିବା ଅନେକ ଇନ୍‌ଫେକ୍‌ସନ୍‌ କ୍ରିମ୍‌ରେ ଷ୍ଟିରଏଡ୍‌ ଅଧିକ ଥିବାରୁ ଏହା ତତ୍‌କ୍ଷଣାତ୍‌ ସଂକ୍ରମଣ କମାଇ ଦେଉଥିବା ବେଳେ ପରେ ସଂକ୍ରମଣ ବିସ୍ଫୋରକ ରୂପ ନେଉଛି।

    ଏହାର ଲକ୍ଷଣ କ’ଣ?
    ଯାଦୁ ଭଳି ଶରୀରର ବିଭିନ୍ନ ସ୍ଥାନରେ ଚକଡ଼ା ଚକଡ଼ା ହୋଇ ବ୍ୟାପିବା, ଲାଲ୍‌ ପଡ଼ି କୁଣ୍ଡାଇ ହେବା, କେନ୍ଦ୍ରୀୟ ସଂକ୍ରମଣ ସ୍ଥାନ ଭଲ ହୋଇ ତା’ ଚାରିପାଖେ ମାନଚିତ୍ର ଭଳି ଚକଡ଼ା ବ୍ୟାପିବା ଏହି ସଂକ୍ରମଣର ପ୍ରମୁଖ ଲକ୍ଷଣ। ଜଙ୍ଘ ସନ୍ଧା, ଦେହର ବିଭିନ୍ନ ସ୍ଥାନରେ ଏହି ସଂକ୍ରମଣ ହେବା ସହ ଏବେ ମୁହଁରେ ବି ଏହି ସଂକ୍ରମଣ ହେଲାଣି। ଏହି ସଂକ୍ରମଣ ହେଲେ ଦେହରେ ସାବୁନ ନ ଲଗାଇବା ଭଲ।

    କେଉଁମାନଙ୍କଠାରେ ଏହି ସଂକ୍ରମଣ ଅଧିକ ଦେଖାଯାଏ?
    ଏବେ ଫଙ୍ଗାଲ୍‌ ସଂକ୍ରମଣ ଅତି ସାଧାରଣ ହୋଇଗଲାଣି। ସମସ୍ତଙ୍କୁ ଏହି ସଂକ୍ରମଣ ହୋଇପାରେ। ଏହି ସଂକ୍ରମଣର ସେମିତି କିଛି ବୟସ ବର୍ଗ ନଥାଏ। ଏବେ ଚର୍ମ ରୋଗୀଙ୍କ ଭିତରେ ୩୦ରୁ ୪୦% ହେଉଛନ୍ତି କେବଳ ଫଙ୍ଗାଲ୍‌ ଇନ୍‌ଫେକ୍‌ସନ୍‌ ରୋଗୀ। ପୂର୍ବରୁ ଶିଶୁମାନଙ୍କୁ ଏହି ସଂକ୍ରମଣ ଅଧିକ ହେଉନଥିଲା। କିନ୍ତୁ ଏବେ ଶିଶୁମାନଙ୍କ ମୁହଁରେ ବି ଏହି ସଂକ୍ରମଣ ଅଧିକ ହେଉଥିବା ଦେଖାଯାଉଛି।

    ଏହାର ପ୍ରତିକାର କ’ଣ?
    ନିଜ ଚାରିପାଖ ପରିଷ୍କାର, ପରିଚ୍ଛନ୍ନ ରଖିବା ଏହାର ପ୍ରଥମ ପ୍ରତିକାର ହୋଇପାରେ। ଏଥିସହ ଆମ ପାରମ୍ପରିକ ଶୈଳୀକୁ ପୁଣି ଆପଣାଇବା ଭଲ। ଭାରତୀୟମାନେ ଶରୀରରେ ତେଲ ପ୍ରୟୋଗକୁ ନେଇ ବେଶ୍‌ ପ୍ରସିଦ୍ଧ। ପିଲାଦିନୁ ଆମେ ହଳଦୀ ସହ କିଛି ନଡ଼ିଆ ତେଲ ମିଶାଇ ଶରୀରରେ ଲଗାଉଥିଲେ। ଏହାଦ୍ବାରା ଶରୀର ପୋଷଣ ପାଏ। ଶରୀରର ପିଏଚ୍‌ ସ୍ତର ଓ ନଡ଼ିଆ ତେଲର ପିଏଚ୍‌ ସ୍ତର ପାଖାପାଖି ସମାନ ହୋଇଥିବାରୁ ଏହା ଶରୀର ପାଇଁ ଲାଭଦାୟକ ହୁଏ। ଅତି ଉଷ୍ମଆର୍ଦ୍ର ପରିବେଶରୁ ଦୂରେଇ ରହିବା ତଥା ଢିଲା ପୋଷାକ ପିନ୍ଧିବା ଦ୍ବାରା ଏହାର ପ୍ରତିକାର କରାଯାଇପାରେ। ଏଥିସହ ପରିବାରରେ ସମସ୍ତେ ନିଜ ନିଜ ଟାୱେଲ, ପୋଷାକ ଅଲଗା ଅଲଗା ସଫା କରିବା ଓ ରଖିବା ଉଚିତ। ଘରର ଶୌଚାଳୟ ସବୁବେଳେ ପରିଷ୍କାର ରଖିବା ଉଚିତ। ସଂକ୍ରମଣ ହେଲେ ଅବିଳମ୍ବେ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା ଆରମ୍ଭ କରିଦେବା ଜରୁରି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ