ଭୁବନେଶ୍ଵର : ରାଜ୍ୟରେ ଜାରି ରହିବ ଶୀତର କୋପ । ଡିସେମ୍ବର ୨୫ ତାରିଖରୁ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ହେବା ଆଶଙ୍କା କରାଯାଉଛି । ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହ ବୃଦ୍ଧି ଯୋଗୁ ବଢିପାରେ ଶୀତ । ପଶ୍ଚିମା ଝଡ଼ ପ୍ରସ୍ଥାନ ପ୍ରଭାବରେ ରାତ୍ରି ତାପମାତ୍ରା କମିବା ଆଶଙ୍କା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଆଗରୁ ଉତ୍ତର ପଶ୍ଚିମ ଓ ଉତ୍ତର ଦିଗରୁ ଜୋର୍ରେ ଥଣ୍ଡା ପବନ ବହୁଥିଲା । ଏହା ପ୍ରଭାବରେ ଶୀତ ଅଧିକ ଅନୁଭୂତ ହେଉଥିଲା । ଏବେ ପବନର ବେଗ ସାମାନ୍ୟ କମିପାରେ । କିନ୍ତୁ ଶୀତର ପ୍ରକୋପରେ ବେଶି ପରିବର୍ତ୍ତନ ଆସିବନି, ଏହା ଜାରି ରହିବ । ୩୦ ତାରିଖ ବେଳକୁ କିଛି ସ୍ଥାନରେ ଅଧିକ ଶୀତ ହେବନି ଓ ପାଗ ଆରାମଦାୟକ ରହିବ ବୋଲି କହିଛି ପାଣିପାଗ ବିଭାଗ । ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏହି ଆକଳନ କରିଛନ୍ତି ।
ପାରଦ ତଳମୁହାଁ ହେବା ସହ ପ୍ରବଳ ଶୀତକୁ ଜାଡ କଲବଲ କରୁଛି। ସଞ୍ଜ ନଇଁଲେ ଶୀତର ପ୍ରକୋପ ବଢ଼ିବାରେ ଲାଗୁଛି। ରାତି ଯେତେ ବଢୁଛି, ଜାଡ଼ ସେତେ ଅଧିକ ହେଉଛି । ଜି. ଉଦୟଗିରି ସହରର ତାପମାତ୍ରା ୪ରୁ ୫ଡିଗ୍ରି ରହୁଥିବା ବେଳେ ଦାରିଙ୍ଗବାଡି, ଫୁଲବାଣୀ, ବାଲିଗୁଡ଼ା, ବେଲଘର୍ ସମେତ ଜିଲ୍ଲା ତମାମ ୬ରୁ ୮ ଡିଗ୍ରୀ ମଧ୍ୟ ରେ ତାପମାତ୍ରା ରହୁଥିବା ରେକର୍ଡ କରାଯାଇଛି ।
ଅପରପକ୍ଷେ, ରାଜ୍ୟର କିଛି ସ୍ଥାନରେ ଗୁରୁବାର ଦିନ କୁହୁଡ଼ି ପଡ଼ିଥିବା ଦେଖିବାକୁ ମିଳିଥିଲା। ଫୁଲବାଣୀରେ ଘନ କୁହୁଡ଼ି ପଡ଼ିଥିବା ବେଳେ ସେଠାରେ ଦୃଶ୍ୟମାନ ଦୂରତା ୧୦୦ ମିଟର ରହିଥିଲା। ସେହିଭଳି ବଲାଙ୍ଗୀରରେ ୩୦୦ ମିଟର ଦୃଶ୍ୟମାନ ଦୂରତା ଥିଲା। ଭବାନୀପାଟଣା ଓ ପାରଳାଖେମୁଣ୍ଡିରେ ହାଲୁକା କୁହୁଡ଼ି ପଡ଼ିଥିଲା। ସୋମବାର ଫୁଲବାଣୀରେ ୬ ଡିଗ୍ରୀ, କୋରାପୁଟରେ ୭, ବୌଦ୍ଧ ଓ ନବରଙ୍ଗପୁରରେ ୮ଡିଗ୍ରୀ ରହିପାରେ ବୋଲି ଆକଳନ କରାଯାଇଛି । ଉପକୂଳ ଓଡ଼ିଶାରେ ଅପେକ୍ଷାକୃତ କମ୍ ଶୀତ ହେବ । ଏଠାରେ ରାତି ତାପମାତ୍ରା ୧୨ରୁ ୧୫ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗର ଆକଳନରୁ ଜଣାପଡ଼ିଛି । ଶନିବାର ଜି. ଉଦୟଗିରିରେ ପାରଦ ସବୁଠୁ କମ୍ ୫.୬ ଡିଗ୍ରୀ ରେକର୍ଡ ହୋଇଥିଲା । ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୭ ଡିଗ୍ରୀ ରହିଥିଲା । ଅନୁଗୁଳରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୩.୯ ଡିଗ୍ରୀ କମ୍ ରହିଥିଲା । କୋରାପୁଟରେ ସ୍ୱାଭାବିକଠାରୁ ୩.୬ ଡିଗ୍ରୀ, ଭବାନୀପାଟଣା ଓ ଝାରସୁଗୁଡ଼ାରେ ୨.୧ ଡିଗ୍ରୀ କମ୍ ରହିଥିଲା ।

