Friday, February 20, 2026
17.8 C
Odisha

    ଜାଣନ୍ତୁ ନସ୍କୋରିଆ ଶୈବ ପୀଠର ମାହାତ୍ମ୍ୟ, ୧୮୦୦ ଫୁଟ୍ ପାହାଡ଼ ଚଢ଼ିଲେ ମିଳେ ବାବାଙ୍କ ଦର୍ଶନ

    ଆଗକୁ ପଢନ୍ତୁ

    ରାଇରଙ୍ଗପୁର: ଆଶା ଓ ବିଶ୍ୱାସର ପ୍ରତୀକ ହେଉଛନ୍ତି ବାବା ଭୋଲେନାଥ । ସାରା ଭାରତବର୍ଷରେ ମହାଦେବଙ୍କର ଅଗଣିତ ମନ୍ଦିର ରହିଥିଲେ ବି ମୟୂରଭଞ୍ଜରେ ଏମିତି ଏକ ପୀଠ ରହିଛି, ଯାହର ମହତ୍ତ୍ୱ ସବୁଠୁ ଅଲଗା । ମହାଦେବଙ୍କ ଏହି ପୀଠର ନାଁ ନସ୍କୋରିଆ ଶୈବ ପୀଠ । ଏଠାରେ ପାହାଡ଼ ଉପରେ ବିରାଜମାନ କରିଛନ୍ତି ଦେବ ଦେବ ମହାଦେବ । ଏଣୁ କେହି କେହି ଏହି ପୀଠକୁ ମୟୂରଭଞ୍ଜର କପିଳାସ ବୋଲି ମଧ୍ୟ କୁହନ୍ତି । ଏଠାରେ ବାବାଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଥାଏ । ଦୀର୍ଘ ୧୮୦୦ ଫୁଟ୍ ପାହାଡ଼ ଚଢ଼ିବା ପରେ ପଡ଼େ ବାବାଙ୍କ ପୀଠ ।

    ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଗୋରୁମହିଷାଣୀ ନିକଟସ୍ଥ ନସ୍କୋରିଆ ପାହାଡ ମୟୂରଭଞ୍ଜର କପିଳାସ ଭାବେ ସୁପରିଚିତ । ନସ୍କୋରିଆ ଶୈବ ପୀଠରେ ପହଞ୍ଚିବା ପାଇଁ ବିପଦପୂର୍ଣ୍ଣ ସଂକୀର୍ଣ୍ଣ ପ୍ରାକୃତିକ ଚଟାଣ ପଥଦେଇ ୧୮୦୦ ଫୁଟ ପାହାଡ଼ ଉପରକୁ ଚଢ଼ିବାକୁ ପଡେ । ଆଉ ପାହାଡ଼ର ଶୀର୍ଷରେ ଥିବା ପଥର ଗୁମ୍ଫାରେ ରହିଛି ବାବାଙ୍କ ପୀଠ । ଅନ୍ଧାର ସଂକୀର୍ଣ୍ଣ ପଥର ଗୁମ୍ଫାରେ ପଶି ବାବାଙ୍କୁ ଦର୍ଶନ କରନ୍ତି ଭକ୍ତ । ଏଠାରେ ଯିଏ ଯାହା ବି କାମନା କରେ ତାହା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି । ଏଣୁ ନିଜ ପରିବାରର ତଥା ମନର ସମସ୍ତ ମନୋବାଞ୍ଛା ପୂରଣ କରିବା ପାଇଁ ଶିବରାତ୍ରି ଦିନ ଏଠାକୁ ଭକ୍ତମାନେ ଧାଇଁ ଆସନ୍ତି । ଏଠାକୁ ଆସୁଥିବା କୌଣସି ଭକ୍ତ କେବେ ବି ଖାଲି ହାତରେ ଫେରିନାହିଁ । ସମସ୍ତଙ୍କ ସବୁ ଇଚ୍ଛାକୁ ବାବା ଅବିଳମ୍ବେ ପୂରଣ କରିଥାନ୍ତି । ଏହି ପୀଠର ମାହାତ୍ମ୍ୟକୁ ବୁଝି ବହୁ ଦୂରଦୂରାନ୍ତରୁ ଲୋକମାନେ ଏଠାକୁ ଆସିଥାନ୍ତି ବାବାଙ୍କର ଟିକେ ସାନିଧ୍ୟ ପାଇଁ । ଏଥରକ ମହାଶିବରାତ୍ରିରେ ମଧ୍ୟ ପୀଠରେ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥିଲା । ଶ୍ରଦ୍ଧାଳୁମାନେ ଅତି କଷ୍ଟରେ ପାହାଡ଼ ଚଢ଼ି ବାବାଙ୍କୁ ଦର୍ଶନ କରୁଛନ୍ତି । କେବଳ ରାଜ୍ୟ ଭିତରର ନୁହେଁ, ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ଶ୍ରଦ୍ଧାଳୁମାନେ ମଧ୍ୟ ଏଠାକୁ ଛୁଟି ଆସିଥାନ୍ତି ବାବାଙ୍କର ଟିକେ ଆଶୀର୍ବାଦ ନେବା ପାଇଁ ।

    ଆବିର୍ଭାବକୁ ନେଇ ଲୋକକଥା ମଧ୍ୟ ରହିଛି । ସୁଣ୍ଢଳ ଗ୍ରାମର ସିଦ୍ଧେଶ୍ୱର ଧଳ ନାମକ ଜଣେ ଭୂମିଜ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ନସ୍କୋରିଆ ପାହାଡ଼ରେ ଆବିର୍ଭୂତ ବାବାଙ୍କ ସ୍ୱପ୍ନାଦେଶ ହୋଇଥିଲା । ସେ ପାହାଡ଼ ଗୁମ୍ଫାରେ ବାବାଙ୍କ ପୂଜାର୍ଚ୍ଚନା ସହ ଦୀର୍ଘ ବର୍ଷ ଧରି ସାଧନାରତ ରହିଲେ । ସେତେବେଳ ନସ୍କୋରିଆ ପାହାଡ଼ଟି ଘଞ୍ଚ ଜଙ୍ଗଲ ଏବଂ ବନ୍ୟଜନ୍ତୁରେ ପରିପୂର୍ଣ୍ଣ ଥିଲା । କିନ୍ତୁ ଦିନେ ଅଚାନକ ସାଧନାରତ ସିଦ୍ଧେଶ୍ୱର ଧଳଙ୍କୁ ବାବାଙ୍କ ସ୍ୱପ୍ନାଦେଶ ପ୍ରାପ୍ତ ହେବାରୁ ସେଠାରେ ସେ ପୂଜାର୍ଚ୍ଚନାର ବ୍ୟବସ୍ଥା କରିଥିଲେ। ବଂଶାନୁକ୍ରମେ ସିଦ୍ଧେଶ୍ୱରଙ୍କ ବଂଶଜମାନେ ଓ ସୁଣ୍ଢଳ ଗ୍ରାମବାସୀ ନସ୍କୋରିଆ ପୀଠର ରକ୍ଷଣାବେକ୍ଷଣା କରିଆସୁଛନ୍ତି ।

    ଦୁଃଖର ବିଷୟ ନସ୍କୋରିଆ ଶୈବ ପୀଠଟି ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢୁଆଳରେ ରହିଯାଇଥିବାରୁ ଆଜି ପର୍ଯ୍ୟନ୍ତ କୌଣସି ବିକାଶ ହୋଇପାରିନାହିଁ । ମୁଖ୍ୟ ରାସ୍ତାରୁ ୧୮୦୦ ଫୁଟ ଉଚ୍ଚରେ ଥିବା ଏହି ଶୈବପୀଠକୁ ଯିବା ପାଇଁ ଭଲ ରାସ୍ତାଟିଏ ନଥିବା ବେଳେ, ବିପଦପୂର୍ଣ୍ଣ ଭାବେ ଅଣଅସରିଆ ପଥର ଚଟାଣ ରାସ୍ତାରେ ଭକ୍ତଙ୍କୁ ଯିବାକୁ ପଡେ । ଶୈବ ପୀଠର ଉନ୍ନତିକରଣ, ପାହାଚ ବ୍ୟବସ୍ଥା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଗଲେ ରାଜ୍ୟ ତଥା ରାଜ୍ୟ ବାହାରୁ ଆହୁରି ଅନେକ ପର୍ଯ୍ୟଟକଙ୍କ ସମାଗମ ହୋଇପାରନ୍ତା ବୋଲି ଅଞ୍ଚଳବାସୀ ଆଶା କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    17.8 ° C
    17.8 °
    17.8 °
    50 %
    1.8kmh
    37 %
    Fri
    35 °
    Sat
    35 °
    Sun
    35 °
    Mon
    34 °
    Tue
    34 °

    ସମ୍ବନ୍ଧିତ