ଗୋଟିଏ ରାଜ୍ୟର ଜଣେ ରାଜା ଗର୍ବରେ ନିଜକୁ ଦୁଃଖ,ଚିନ୍ତା ଓ ରୋଗ ବିହୀନ ରାଜା ଭାବେ ଘୋଷଣା କରୁଥାନ୍ତି । ଏସବୁ ନଥିବା କାରଣରୁ ତାଙ୍କୁ ଈଶ୍ଵରଙ୍କୁ ଡାକିବାର ବା ପୂଜା କରିବାର ଆବଶ୍ୟକତା ନାହିଁ ବୋଲି କହୁଥାନ୍ତି । ବୁଦ୍ଧିମାନ ମହାମନ୍ତ୍ରୀଙ୍କ ବ୍ୟତୀତ ଆଉ ସମସ୍ତେ ରାଜାଙ୍କ ସପକ୍ଷବାଦୀ ମତପୋଷଣ କରି ତାଙ୍କୁ ସମର୍ଥନ ପ୍ରଦାନ କରୁଥାନ୍ତି । ସଂଯୋଗ ବଶତଃ ରାଜାଙ୍କୁ ଦେଖା କରିବାକୁ ଜଣେ ସନ୍ନ୍ୟାସୀ ଆସି ପହଂଚିଲେ । ରାଜାଙ୍କୁ ସାକ୍ଷାତ କରି ସେ ଏକ ସାଧାରଣ ସଭା ଆୟୋଜନର ପ୍ରସ୍ତାବ ଦେଲେ । ସମସ୍ତ ରାଜ୍ୟ କର୍ମଚାରୀ ଓ ରାଜ୍ୟର ପ୍ରଜାବର୍ଗ ଏଥିରେ ଉପସ୍ଥିତ ରହିବେ । ନିର୍ଦ୍ଦିଷ୍ଟ ଦିନ ନିର୍ଦ୍ଧାରିତ ସମୟରେ ସଭାର ବ୍ୟବସ୍ଥା ହେଲା । ସନ୍ନ୍ୟାସୀ ନିଜର ଗେରୁଆ ମୁଣା ଭିତରୁ ତିନି ପ୍ରକାରର ଅଦ୍ଭୁତ ମଞ୍ଜି ବାହାରକଲେ । ସମସ୍ତଙ୍କ ସମ୍ମୁଖରେ ଘୋଷଣା କଲେ ଯେ,”ଏ ଅଦ୍ଭୁତ ମଞ୍ଜି ଗୁଡ଼ିକର ଏକ ଯାଦୁକରୀ ଶକ୍ତି ରହିଛି । ଯେଉଁ ବ୍ୟକ୍ତି କେବେ ବି କିଛି ରୋଗରେ ପଡ଼ିନଥିବେ, ଯେଉଁ ବ୍ୟକ୍ତି କେବେ ବି କିଛି ଦୁଃଖ କରିନଥିବେ ବା ତାଙ୍କର ଦୁଃଖ ନଥିବ ସେ ଏହି ମଞ୍ଜି ଗୁଡିକ ବୁଣି ପାରିବେ । ପ୍ରଥମ ମଞ୍ଜିରେ ବହୁ ମୂଲ୍ୟ ହୀରାର ଗଛ, ଦ୍ଵିତୀୟ ମଞ୍ଜିରେ ସୁବର୍ଣ୍ଣ ବା ସୁନାର ଗଛ, ତୃତୀୟ ମଞ୍ଜିରେ ରୂପାର ବୃକ୍ଷ ହୋଇ ଯଥାକ୍ରମେ ହୀରା, ସୁନା ଓ ରୂପା ଫଳ ଫଳି ରୋପଣ କରିଥିବା ଲୋକଙ୍କୁ ଲାଭବାନ କରାଇବ ।” ରାଜ୍ୟର ସମସ୍ତ ଲୋକ ଶଙ୍କାରେ ପଡ଼ିଗଲେ । ଦୁଃଖ,ଚିନ୍ତା ବା ରୋଗ କାହାର ନାହିଁ ! ଶେଷରେ ସନ୍ନ୍ୟାସୀ ରାଜାଙ୍କୁ ଏ ମଞ୍ଜି ନେଇ ରୋପଣ କରିବାକୁ ଅନୁରୋଧ କଲେ । ରାଜା ଭାବିଚିନ୍ତି କହିଲେ,”ମୁଁ ରାଜ୍ୟ ଚଳେଇବାକୁ କିଛି ନା କିଛି ଚିନ୍ତା କରି କାମନା ପୂରଣ ନହେଲେ ଦୁଃଖିତ ହୁଏ । କେବେନା କେବେ କିଛି ନା କିଛି ରୋଗ ମୋତେ ବି ପୀଡିତ କରାଇଛି । ତେଣୁ ହେ ସନ୍ଥ ମହାଭାଗ! ଆପଣ ମୋତେ ଏ କି ପ୍ରକାର ପରୀକ୍ଷା କରୁଛନ୍ତି? ଦୟାକରି ମୋତେ କ୍ଷମା କରନ୍ତୁ ।”
ଶେଷରେ ସନ୍ନ୍ୟାସୀ ବୁଝାଇଦେଲେ ଯେ ପ୍ରତ୍ୟେକ ବ୍ୟକ୍ତିର ଗୋଟିଏ ମସ୍ତିଷ୍କ,ମନ,ଶରୀର ରହିଛି । ମସ୍ତିଷ୍କ ଅଛି ମାନେ ଚିନ୍ତା,ଚେତନା ରହିଛି,ରହିବ । ମନ ଅଛି, ଇନ୍ଦ୍ରିୟ ଅଛି ମାନେ କାମନା ବାସନା ରହିବ । ଇନ୍ଦ୍ରିୟ ଦମନ ନହୋଇ ସଂଯମହୀନ ହେଲେ ମନରେ ଦୁଃଖ, ଶୋକ, ବ୍ୟଥା ନିଶ୍ଚିତ ସୃଷ୍ଟିହେବ । ଜୀବ ମାତ୍ରେ ହିଁ ଶରୀର ଓ ଶରୀର ମାତ୍ରେ ହିଁ ଅସୁସ୍ଥତା ବା ରୋଗ ରହିବ । ଏହି ଶରୀର ପଞ୍ଚଭୂତରେ ଗଠିତ ଓ ମୃତ୍ୟୁ ପରେ ଏ ଶରୀର ପୁନଃ ପଞ୍ଚଭୂତରେ ବିଲୀନ ହୋଇଯିବ । ଆଉ ମଧ୍ୟ ବାତ,ପିତ୍ତ,କଫ ଶରୀରରେ ସଦାସର୍ବଦା ରହିଥିବାରୁ ଖାଦ୍ୟ ପଦାର୍ଥ ଓ ଜଳବାୟୁର ବ୍ୟବହାର ନେଇ ଏହା ପୀଡ଼ିତ ହେବା ସାଧାରଣ କଥା । ତେଣୁ ମହାରାଜ କେବେ ଦୁଃଖ, ଚିନ୍ତା ଓ ରୋଗଗ୍ରସ୍ତ ହୋଇ ନାହାନ୍ତି କହିବା ବା ସେଥିଲାଗି ଈଶ୍ଵରଙ୍କୁ ଡାକିବାର ଆବଶ୍ୟକତା ନାହିଁ କହିବା ଯଥାର୍ଥ ନୁହେଁ । ଈଶ୍ଵର ସର୍ବଶକ୍ତିମାନ । ଦୁଃଖରେ, ଚିନ୍ତାରେ ଓ ରୋଗଗ୍ରସ୍ତ ସମୟରେ ଯେ କେବଳ ତାଙ୍କୁ ଡାକିବା ଓ ତାଙ୍କ ଆଶିଷ ପ୍ରାପ୍ତ ହୋଇ ଉଦ୍ଧାର ପାଇବା ଏହା ନୁହେଁ । ସଦାସର୍ବଦା ତାଙ୍କ ପଦରେ ଧ୍ୟାନ କରି ତାଙ୍କଠାରେ ସମର୍ପିତ ମନ ନେଇ ଚାଲିଲେ ଆମେ ଶକ୍ତି ଓ ସାହସ ସଞ୍ଚୟ କରିବାକୁ ସମର୍ଥ ହୋଇ ସକଳ ପ୍ରକାର ଦୁଃଖକୁ ସହିଯାଇ ପାରିବା । ତେଣୁ ଦୁଃଖ, ଚିନ୍ତା ଓ ରୋଗ ଆମକୁ ହତାଶ ନକରାଇ ଈଶ୍ଵରାନୁରାଗୀ ହେବାର ମାର୍ଗ ପ୍ରଦର୍ଶନ କରେ ଓ କରିବା ଉଚିତ । ସନ୍ନ୍ୟାସୀଙ୍କ କଥା ରାଜାଙ୍କ ମନକୁ ପାଇଲା ଓ ସେଦିନଠାରୁ ରାଜା ଈଶ୍ଵରାନୁରାଗୀ ହୋଇ ପୂଜା ପାଳିଲେ ।
କାହାଣୀ- ନିରଞ୍ଜନ ପତି