ଆସାମ : ଲୋକପ୍ରିୟ ଗାୟକ ଜୁବିନ ଗର୍ଗଙ୍କ ସିଙ୍ଗାପୁରରେ ସନ୍ଦେହଜନକ ମୃତ୍ୟୁ ମାମଲାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଆସାମ ପୋଲିସ ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲର ମୁଖ୍ୟ ଆୟୋଜକ ଶ୍ୟାମକାନୁ ମହନ୍ତ ଏବଂ ଜୁବିନଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମାଙ୍କୁ ଦିଲ୍ଲୀ ବିମାନବନ୍ଦରରୁ ପୋଲିସ ଗିରଫ କରିଛି । ଉଭୟଙ୍କୁ ଗୌହ୍ବାଟି ନିଆଯାଇଛି ଏବଂ ଆଜି କୋର୍ଟରେ ହାଜର କରାଯିବ ।
ସୂଚନା ଅନୁସାରେ, ଜୁବିନ ଗର୍ଗଙ୍କ ପତ୍ନୀ ଗରିମା ସୈକିଆ ଗର୍ଗ ତାଙ୍କ ସ୍ୱାମୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ କରିଥିଲେ । ଏହାସହ ଜୁବିନ ଗର୍ଗଙ୍କ ଶେଷ ସମୟରେ ଘଟିଥିବା ଘଟଣାଗୁଡ଼ିକର ସଠିକ୍ ତଦନ୍ତ ପାଇଁ ଦାବି କରିଥିଲେ । ଏହାପରେ ୧୦ ଜଣିଆ ଏକ ଏସଆଇଟି ଟିମ୍ ଗଠନ କରାଯାଇଥିଲା । ଏସଆଇଟି ମହନ୍ତ, ଶର୍ମା ଏବଂ ସିଙ୍ଗାପୁରର ଅନ୍ୟ ଲୋକଙ୍କ ନାମରେ ନୋଟିସ ଜାରି କରିଥିଲେ । ଏମାନେ ଯାଞ୍ଚରେ ସହଯୋଗ କରିବା ଏବଂ ବୟାନ ରେକର୍ଡ କରିବା ପାଇଁ ଡକାଯାଇଥିଲା । ପୋଲିସ ଏମାନଙ୍କୁ ଗିରଫ କରିବା ସହିତ ବିଭିନ୍ନ ସାମଗ୍ରୀ ଜବତ କରିଛି । ଏହି ମାମଲାର ଯାଞ୍ଚ ଚାଲିଛି । ଜାତୀୟ ଗଣମାଧ୍ୟମରେ ସେ କହିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କ ମୃତ୍ୟୁକୁ ନେଇ ତାଙ୍କୁ କି ତାଙ୍କ ପରିବାରକୁ ସ୍ପଷ୍ଟ ଉତ୍ତର ଦିଆଯାଇ ନାହିଁ ।
ସେ କହିଛନ୍ତି, “ଜୁବିନ ଗର୍ଗଙ୍କ ସହ ପ୍ରକୃତରେ କ’ଣ ହେଲା, ଆମେ ଜାଣିନାହୁଁ । ତାଙ୍କ ମୃତ୍ୟୁ କିପରି ଘଟିଲା, ଏହା ଏପର୍ଯ୍ୟନ୍ତ ଏକ ରହସ୍ୟ । ଆମକୁ ଏହାର ଜବାବ ଦରକାର । ସେ ଅବହେଳାର ଶିକାର ହୋଇଛନ୍ତି, ଏହା ନିଶ୍ଚିତ, କିନ୍ତୁ ତାଙ୍କ ପରି ଜଣେ ବ୍ୟକ୍ତିଙ୍କୁ କାହିଁକି ଅବହେଳା କରାଗଲା ? ମୁଁ ତଦନ୍ତ ଉପରେ ବିଶ୍ୱାସ କରେ ।”
ଗରିମା କହିଛନ୍ତି ଯେ ସେ ଶେଷ ଥର ପାଇଁ ସେପ୍ଟେମ୍ବର ୧୮ରେ ତାଙ୍କ ସ୍ୱାମୀଙ୍କ ସହ କଥା ହୋଇଥିଲେ । କିନ୍ତୁ ସେ ସିଙ୍ଗାପୁରରେ ହେବାକୁଥିବା କୌଣସି ୟାଟ ପାର୍ଟି ବିଷୟରେ କହିନଥିଲେ । ଆଉ ଜୁବିନ ପାଣିରେ ବୁଡ଼ି ମରିବା ପରେ ତାଙ୍କ ପତ୍ନୀଙ୍କ ସନ୍ଦେହ ହୋଇଥିବାରୁ ସେ ତଦନ୍ତ ଦାବି କରିଥିଲେ ।