ମୁମ୍ବାଇ : ଟାଇଗର ଶ୍ରଫ୍ ଫାୟାରିଂ କେସ୍ ରେ ୩ ଅଭିଯୁକ୍ତଙ୍କୁ ୪୮ ଘଣ୍ଟାର ଟ୍ରାନଜିଟ୍ ରିମାଣ୍ଡ; କ’ଣ ଏହି ଟ୍ରାନଜିଟ୍ ରିମାଣ୍ଡ, କେମିତି ଧରାଇଲା ସୁରଟର CCTV? ମୁମ୍ବାଇର ଜୁହୁ ଅଞ୍ଚଳରେ ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ ଙ୍କୁ ନେଇ ଘଟିଥିବା ଗୁଳିକାଣ୍ଡ ମାମଲାରେ ବଡ଼ ଅପଡେଟ୍ । ରାଜସ୍ଥାନର କୋଟାରୁ ଧରାପଡ଼ିଥିବା ୩ ଅଭିଯୁକ୍ତଙ୍କୁ ୪୮ ଘଣ୍ଟାର ଟ୍ରାନଜିଟ୍ ରିମାଣ୍ଡ ମିଳିଥିବା ସୂଚନା ମିଳିଛି । କୋଟା କୋର୍ଟ ଏହି ଅନୁମତି ଦେବା ପରେ ମୁମ୍ବାଇ ପୋଲିସ ସେମାନଙ୍କୁ ମହାରାଷ୍ଟ୍ର ନେଇ ପରବର୍ତ୍ତୀ ତଦନ୍ତ କରିପାରିବ। କୌଣସି ଅପରାଧ ଗୋଟିଏ ରାଜ୍ୟରେ ଘଟିଥିବା ବେଳେ ଅଭିଯୁକ୍ତ ଅନ୍ୟ ରାଜ୍ୟରୁ ଗିରଫ ହେଲେ, ତାଙ୍କୁ ସମ୍ପୃକ୍ତ ତଦନ୍ତକାରୀ ପୋଲିସ ନିକଟକୁ ନେବା ପାଇଁ ଅଦାଲତର ଅନୁମତି ଆବଶ୍ୟକ ହୋଇପାରେ । ଏହାକୁ ଟ୍ରାନଜିଟ୍ ରିମାଣ୍ଡ କୁହାଯାଏ ।
ଏହି ମାମଲାରେ ୪୮ ଘଣ୍ଟାର ଟ୍ରାନଜିଟ୍ ରିମାଣ୍ଡର ଅର୍ଥ ହେଉଛି, ଅଭିଯୁକ୍ତଙ୍କୁ କୋଟାରୁ ମୁମ୍ବାଇ ନେଇ ସମ୍ପୃକ୍ତ ଅଦାଲତରେ ହାଜର କରିବା ପାଇଁ ପୋଲିସକୁ ନିର୍ଦ୍ଦିଷ୍ଟ ସମୟର ଅନୁମତି ମିଳିଛି । ତେବେ ଏହା ୪୮ ଘଣ୍ଟାର ପୋଲିସ ଜେରା କିମ୍ବା ଜୁଡିସିଆଲ୍ କଷ୍ଟଡି ସହ ସମାନ ନୁହେଁ । ମୁମ୍ବାଇ କୋର୍ଟ ପରବର୍ତ୍ତୀ ପୋଲିସ ରିମାଣ୍ଡ କିମ୍ବା ନ୍ୟାୟିକ ହାଜତ ସମ୍ପର୍କରେ ନିଷ୍ପତ୍ତି ନେବେ । ଏହି ହାଇପ୍ରୋଫାଇଲ୍ ମାମଲାର ତଦନ୍ତରେ ଗୁଜରାଟର ସୁରଟ ରେଳଷ୍ଟେସନର CCTV ଫୁଟେଜ୍ ଗୁରୁତ୍ୱପୂର୍ଣ୍ଣ ସୁରାକ ପାଲଟିଥିଲା। ଫୁଟେଜ୍ ରେ ୩ ଜଣ ଯୁବକ ତରବରିଆ ଭାବେ ଟ୍ରେନ୍ ଧରିବାକୁ ଯାଉଥିବା ଦେଖାଯାଇଥିଲା । ସେମାନଙ୍କ ମଧ୍ୟରୁ ଦୁଇଜଣ ଧଳା ସାର୍ଟ ପିନ୍ଧିଥିବା ବେଳେ ତୃତୀୟ ଜଣକ ନୀଳ ଟି-ସାର୍ଟ ପିନ୍ଧି ବ୍ୟାଗ୍ ଧରିଥିଲେ । ଷ୍ଟେସନ ବାହାରେ ଦ୍ରୁତ ଗତିରେ ଚାଲିବା ସହ ପ୍ଲାଟଫର୍ମରେ ଭିଡ଼ ଭିତର ଦେଇ ସେମାନେ ଦୌଡ଼ୁଥିବା କ୍ୟାମେରାରେ କଏଦ ହୋଇଥିଲା । ଦୁଇଜଣ ଆଗରେ ଦୌଡ଼ୁଥିବା ବେଳେ ତୃତୀୟ ଜଣକ ସେମାନଙ୍କ ପଛରେ ଥିଲେ । ଏହି ଫୁଟେଜ୍ ଆଧାରରେ ତଦନ୍ତକାରୀ ଅଧିକାରୀମାନେ ସନ୍ଦିଗ୍ଧଙ୍କ ଯାତ୍ରାପଥ ସମ୍ପର୍କରେ ସୁରାକ ପାଇଥିଲେ ।
RPF ସୂଚନା ଅନୁସାରେ, ଅଭିଯୁକ୍ତମାନେ ପ୍ରଥମେ ମୁମ୍ବାଇରୁ ସଡ଼କ ପଥରେ ସୁରଟ ଯାଇଥିଲେ । ସେଠାରୁ ପୁଣେ–ଜୟପୁର ଏକ୍ସପ୍ରେସ୍ ର ଜେନେରାଲ୍ କୋଚ୍ ରେ ଯାତ୍ରା କରୁଥିଲେ । ମୁମ୍ବାଇ କ୍ରାଇମବ୍ରାଞ୍ଚ ପକ୍ଷରୁ କୋଟା ରେଳ ଡିଭିଜନକୁ ସନ୍ଦିଗ୍ଧଙ୍କ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଟ୍ରେନ୍ କୋଟା ଷ୍ଟେସନରେ ପହଞ୍ଚିବା ପରେ RPF ଓ ମିଳିତ ଟିମ୍ ଜେନେରାଲ୍ କୋଚ୍ ରେ ଯାଞ୍ଚ କରି ୩ ଜଣଙ୍କୁ ଅଟକ ରଖିଥିଲେ । ଅଭିଯୁକ୍ତମାନେ ହେଲେ ହରିୟାଣାର ସୋନିପତ୍ ର ୧୮ ବର୍ଷୀୟ ରେହାନ୍ ଓରଫ୍ ସୁକ୍କା, ୨୨ ବର୍ଷୀୟ ରିତ୍ୱିକ୍ କୁର୍ମି ଓରଫ୍ ରୋଶନ ଫାଇଟର୍ ଏବଂ ୧୮ ବର୍ଷୀୟ ଫୁଲ୍ ସିଂହ ।
ପ୍ରଥମେ ଜଣେ ନାବାଳକ ଥିବା କୁହାଯାଇଥିଲେ ମଧ୍ୟ ପରେ ପୋଲିସ ସମସ୍ତେ ସାବାଳକ ବୋଲି ସ୍ପଷ୍ଟ କରିଥିବା ସୂଚନା ରହିଛି। ଅଭିଯୁକ୍ତଙ୍କୁ ମୁମ୍ବାଇ ନିଆଯିବା ପରେ ଗୁଳିକାଣ୍ଡ ପଛର ପ୍ରକୃତ କାରଣ, ସମ୍ଭାବ୍ୟ ଷଡ଼ଯନ୍ତ୍ର, ଅର୍ଥ ଯୋଗାଣ ଏବଂ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି କି ନାହିଁ, ସେସବୁ ଦିଗରେ ତଦନ୍ତ ଆଗକୁ ବଢ଼ିପାରେ । ସୁରଟର CCTV ଫୁଟେଜ୍ ରୁ ଆରମ୍ଭ କରି କୋଟାରେ ଅଟକ ଏବଂ ୪୮ ଘଣ୍ଟାର ଟ୍ରାନଜିଟ୍ ରିମାଣ୍ଡ ପର୍ଯ୍ୟନ୍ତ ଘଟଣାକ୍ରମ ଏହି ମାମଲାରେ ଗୁରୁତ୍ୱପୂର୍ଣ୍ଣ ହୋଇଛି । ତେବେ ଅଭିଯୁକ୍ତଙ୍କ ପ୍ରକୃତ ଭୂମିକା ଓ ଗୁଳିକାଣ୍ଡ ପଛର ଉଦ୍ଦେଶ୍ୟ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।
