Saturday, September 12, 2026
23.3 C
Odisha

    ଟେକ୍ସାସ ବିଶ୍ୱବିଦ୍ୟାଳୟରେ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀଙ୍କ ନାମରେ ୫୦ ହଜାର ଡଲାର ଛାତ୍ରବୃତ୍ତି ଘୋଷଣା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :  ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ ଓ ତାଙ୍କ ରଚିତ ପବିତ୍ର କାବ୍ୟ ଗ୍ରନ୍ଥ ‘ଶ୍ରୀଗୁରୁ ଭାଗବତ’ ନାମରେ ଆମେରିକାରେ ଦୁଇଟି ଦିବସ ଘୋଷଣା କରାଯାଇଛି। ସମ୍ପୂର୍ଣ୍ଣ ବିଶ୍ୱ ମାନବିକତାର କଲ୍ୟାଣ ନିମନ୍ତେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ଅଗଷ୍ଟ ୯ ତାରିଖକୁ ପ୍ଲାନୋ ସହର ମେୟର ଜନ ବି. ମୁନ୍ସ  ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ ଦିବସ ନାମରେ ଘୋଷଣା କରିଥିଲେ । ଗୁରୁଜୀଙ୍କର ଆଜୀବନ ତ୍ୟାଗପୂତ ସାଧନା ନିମନ୍ତେ ବେଲଭିଉ ସହର ପକ୍ଷରୁ ଅଗଷ୍ଟ ୧୪ ତାରିଖକୁ ଡ. ଚନ୍ଦ୍ରଭାନୁ ଶତପଥୀ ଦିବସ ନାମରେ ନାମିତ କରାଯାଇଛି । ଏହା ସରକାରୀ ଘୋଷଣାପତ୍ରରେ ମଧ୍ୟ ପ୍ରକାଶ ପାଇଛି। ସେହିପରି ସିଆଟେଲ ସହର ପକ୍ଷରୁ ମଧ୍ୟ ଅଗଷ୍ଟ ୧୪ ତାରିଖକୁ ‘ଶ୍ରୀଗୁରୁ ଭାଗବତ ଦିବସ’ ରୂପେ ଘୋଷଣା କରାଯାଇଛି। ସିଆଟେଲ ମେୟର କାଟିଏ ବି. ୱିଲସନ୍‍ ଏ ସଂକ୍ରାନ୍ତ ଘୋଷଣାପତ୍ର ଗୁରୁଜୀଙ୍କୁ ପ୍ରଦାନ କରି ସମ୍ମାନିତ କରିଥିଲେ।

    ଗୁରୁଜୀଙ୍କର ଦୁଇ ସପ୍ତାହ ବ୍ୟାପୀ ଆମେରିକା ଗସ୍ତ ଅବସରରେ ସିଟି ଅଫ କଟଲେଭିଲେ, ମିସୋରିର ମେୟର ଷ୍ଟିଫେନ ଥମ୍ପସନ୍‍ ମଧ୍ୟ ସେଣ୍ଟ ଲୁଇସ୍‍ ସହର ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଗସ୍ତ ସମୟରେ ଗୁରୁଜୀ ୱାଶିଂଟନ୍‍ ବିଶ୍ୱବିଦ୍ୟାଳୟରେ ଭାରତର ପ୍ରାଚୀନ ବୈଦିକ ଜ୍ଞାନ ଏବଂ ଆଧୁନିକ ବିଶ୍ୱରେ ଗୁରୁ ପରମ୍ପରାର ପ୍ରାସଙ୍ଗିକତା ଉପରେ ବକ୍ତୃତା ପ୍ରଦାନ କରିଥିଲେ। ୱାଶିଂଟନ ବିଶ୍ୱବିଦ୍ୟାଳୟ ପକ୍ଷରୁ ସାହିତ୍ୟ, ଗବେଷଣା ଓ ଏବଂ ଆନ୍ତଃ ସାଂସ୍କୃତିକ ସଂହତି ସ୍ଥାପନରେ ଗୁରୁଜୀଙ୍କର ଅବଦାନ ନିମନ୍ତେ ତାଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଗୁରୁଜୀ ଡ. ଶତପଥୀ ସିଆଟେଲସ୍ଥିତ ଭାରତୀୟ କନସୁଲେଟ ଜେନେରଲ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ। ସିଆଟେଲସ୍ଥିତ ସ୍ୱାମୀ ବିବେକାନନ୍ଦଙ୍କର ପ୍ରତିମୂର୍ତ୍ତିରେ ଗୁରୁଜୀ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

    ଏହି ଗସ୍ତ କାଳରେ ଡଲାସ ଠାରେ ଶ୍ରୀଗୁରୁ ଭାଗବତ ଟୁଙ୍ଗୀ ନିର୍ମାଣ ନିମନ୍ତେ ଗୁରୁଜୀ ଭୂମିପୂଜା କରିଥିଲେ । ଯାହାକି ଶ୍ରୀଗୁରୁ ଭାଗବତର ପଚିଶି ବର୍ଷର ଯାତ୍ରା ପଥରେ ଏକ ମାଇଲଖୁଣ୍ଟ । ଶ୍ରୀଗୁରୁ ଭାଗବତର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ସାଇ ଡିଭାଇନ ଫାଉଣ୍ଡେସନ୍‍ ପକ୍ଷରୁ ଡଲାସଠାରେ ଏକ ବିଶେଷ ଉତ୍ସବର ଆୟୋଜନ କରାଯାଇଥିଲା।

    ସେହିପରି ବେଲଭିଉଠାରେ ଶିରିଡ଼ି ସାଇ ମନ୍ଦିରର ଦଶମ ବାର୍ଷିକ ଉତ୍ସବରେ ଗୁରୁଜୀ ଯୋଗ ଦେଇଥିଲେ। ସେଣ୍ଟ ଲୁଇସ୍‍ଠାରେ ଗେଟ୍‍ ୱେ ଅଫ ଗ୍ରେସ୍‍ ଶୀର୍ଷକରେ ଏକ ସାଂସ୍କୃତିକ ସନ୍ଧ୍ୟାର ଆୟୋଜନ କରାଯାଇଥିଲା। ପ୍ରବାସୀ ଓଡ଼ିଆ ଓ ଭାରତୀୟମାନେ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ନୂତନ ପିଢ଼ିର ଅନେକ ପିଲା ଏଥିରେ ଅଂଶଗ୍ରହଣ କରିଥିଲେ।

    ନୂତନ ପିଢ଼ିର ଯୁବକ ଯୁବତୀମାନଙ୍କ ପାଇଁ ଗୁରୁଜୀଙ୍କ ରଚିତ ଓ ସ୍ୱର ସଂଯୋଜିତ ନୂତନ ଆଲବମ ‘ହେଲୋ ସାଇ ମିଲୋ ସାଇ’ ଉନ୍ମୋଚିତ ହୋଇଥିଲା। ଓଡ଼ିଶାର କଳା, ଜଗନ୍ନାଥ ସଂସ୍କୃତି ଓ ଶ୍ରୀଗୁରୁ ଭାଗବତ ଉପରେ ପ୍ରବାସୀ ଓଡ଼ିଆ ଓ ଭାରତୀୟ ପରିବାରର ପିଲାମାନଙ୍କ ଦ୍ୱାରା ଅନେକ ମନୋରମ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ୨୫ଟି ଭାଷାରେ ରଚିତ ଶ୍ରୀଗୁରୁ ଭାଗବତକୁ ଅତି ସୁନ୍ଦର ଭାବେ ଛାତ୍ରଛାତ୍ରୀମାନେ ପରିବେଷଣ କରିଥିଲେ।

    ଏହି ଅବସରରେ ସିବିଏସ କମ୍ୟୁନିଟି ଡେଭଲପମେଣ୍ଟ ଫାଉଣ୍ଡେସନ୍‍ ପକ୍ଷରୁ ଗୁରୁଜୀଙ୍କ ନାମରେ ବାର୍ଷିକ ୫୦ ହଜାର ଡଲାରର ଏକ ଛାତ୍ରବୃତ୍ତି ଘୋଷଣା କରାଯାଇଥିଲା। ଟେକ୍ସାସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ଛାତ୍ର ବୃତ୍ତି ପ୍ରଦାନ କରାଯିବ। ପ୍ରାଣୀ ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏକ ସଂଗଠନକୁ ମଧ୍ୟ ଗୁରୁଜୀ ସହାୟତା ପ୍ରଦାନ କରିଥିଲେ। ଆମେରିକା, କାନଡ଼ା, ଇଂଲଣ୍ଡ ଓ ଭାରତରୁ ବହୁ ବ୍ୟକ୍ତି ବିଭିନ୍ନ ସ୍ଥାନରେ ଆୟୋଜିତ ସାଂସ୍କୃତିକ ସନ୍ଧ୍ୟାରେ ଯୋଗ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    23.3 ° C
    23.3 °
    23.3 °
    98 %
    2.1kmh
    84 %
    Sat
    23 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ