ତାଳଚେର: ନିଲାମ ଡାକିଲେ ୧୨ ଲକ୍ଷ ହେଲେ ବିକ୍ରି ହେଲା ୪ ଲକ୍ଷରେ । ଆମେ କହୁଛୁ ତାଳଚେର ଗଣେଶ ପୂଜାର ଆଜ୍ଞା ଲଡୁ ବିଷୟରେ । ଚଳିତ ବର୍ଷ ପୂଜା ୨୭ ତାରିଖରୁ ଆରମ୍ଭ ହୋଇ ଆଜି ଇନ୍ଦୁ ପୂର୍ଣ୍ଣିମା ଅବସରରେ ହେବ ଭସାଣି କାର୍ଯ୍ୟକ୍ରମ । ତେଣୁ ଚଳିତ ବର୍ଷ ଦୀର୍ଘ ୧୧ ଦିନ ପର୍ଯ୍ୟନ୍ତ ସମସ୍ତ ପୂଜା ମଣ୍ଡପରେ ପୂଜା ପାଇଛନ୍ତି ପ୍ରଭୁ ଗଜାନନ । ନିୟମ ଅନୁସାରେ ଭସାଣିର ଗୋଟିଏ ଦିନ ପୂର୍ବରୁ ଲଡୁ ନିଲାମ ହୁଏ । ଆଉ ଗତକାଲି ତାଳଚେର ଗଣେଶ ପୂଜାର ଆଜ୍ଞା ଲଡୁ ନିଲାମ ହୋଇଛି ।
୪୦ କ୍ୱିଣ୍ଟାଲ ଓଜନ ବିଶିଷ୍ଟ ଏହି ବିଶାଳକାୟ ଲଡୁକୁ ୪ ଲକ୍ଷ ୫୧ ହଜାର ଟଙ୍କାରେ ନିଲାମରେ ନେଇଛନ୍ତି ତାଳଚେରର ପଟନାୟକ ବ୍ରଦର୍ଶ । ଭଷାଣିର ଗୋଟିଏ ଦିନ ପୂର୍ବରୁ ତାଳଚେର ଗଣପର୍ବ ଗଣେଶ ପୂଜାରେ ଏହି ଲଡୁ ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏକ ଟ୍ରକରେ ଏହି ବିଶାଳକାୟ ଲଡୁକୁ ନିଲାମ ସ୍ଥଳକୁ ଅଣାଯାଇଥିଲା । ପରେ ପରେ ପ୍ରଶାସନ ଓ କେନ୍ଦ୍ରୀୟ ପୂଜା କମିଟି କର୍ମକର୍ତ୍ତାଙ୍କ ଗହଣରେ ନିଲାମ ଡକାଯାଇଥିଲା । ପ୍ରଥମେ ନିଲାମ ଡ଼ାକରାରେ ୧୨ ଲକ୍ଷ ଟଙ୍କାରେ ସୌଭାଗ୍ୟ ମହାରଣା ନିଲାମ ନେଇଥିଲେ ।
କିନ୍ତୁ ସେ ପଇସା ପୈଠ ନକରି ସେଠାରୁ ପଳାୟନ କରିଥିଲେ ପରେ ଆଉ ଥରେ ନିଲାମ ଡାକରା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ପଟ୍ଟନାୟକ ବ୍ରଦର୍ଶ ୪ ଲକ୍ଷ ୫୧ ହଜାର ଟଙ୍କାରେ ନିଲାମୀ ଧରିଥିଲେ । ନିଲାମ ଡାକରାରେ ମୋଟ ୧୦ ଟି ଦଳ ଭାଗ ନେଇଥିଲେ । ପ୍ରଥମ ଥର ପାଇଁ ଓଡ଼ିଶାରେ ଏତେ ବଡ଼ ଲଡୁ ପ୍ରସ୍ତୁତ କରି ଏହାକୁ ନିଲାମ କରାଯାଇଛି । ପ୍ରାୟ ୨୫ ଜଣ କାରିଗର ଏହି ଲଡୁ ତିଆରି କରୁଥିବା ବେଳେ କାଜୁ, କିସମିସ, ପିସ୍ତା ବାଦାମ, କେଶର, ଗୁଲାପ ଜଳ ଆଦି ବ୍ୟବହାର କରାଯାଇଛି ।
ତେବେ ତାଳଚେର ଗଣେଶ ପୂଜା ଯେତିକି ପ୍ରସିଦ୍ଧ ତାଠାରୁ ଅଧିକ ପ୍ରସିଦ୍ଧି ଲାଭ କରିଛି ତାଳଚେର ଗଣେଶ ପୂଜାର ଆଜ୍ଞାଲଡୁ । ଗତ ବର୍ଷ ତାଳଚେର ଗଣେଶ ପୂଜାରେ ୩୫ କ୍ୱିଣ୍ଟାଲ ଓଜନର ଲଡୁ ନିଲାମ କରା ଯାଇଥିଲା । ଯାହାକି ରେକର୍ଡ ମୂଲ୍ୟ ୧୯ ଲକ୍ଷ ୫୦ ହଜାର ଟଙ୍କାରେ ନିଲାମ ହୋଇଥିଲା । ତାଳଚେର ଟି.ଏସ.ଏସ ଗ୍ରୁପ ଅନୁଷ୍ଠାନ ନିଲାମ ନେଇଥିବା ବେଳେ ଏତେ ବଡ଼ ଲଡୁ ଆଉ ଏତେ ଟଙ୍କାରେ ନିଲାମ ହୋଇ ସାରା ଦେଶରେ ରେକର୍ଡ଼ ସୃଷ୍ଟି କରିଥିଲା । ତେବେ ଆଜି ତାଳଚେରରେ ଧୂମଧାମରେ ଅନୁଷ୍ଠିତ ହେବ ପ୍ରଭୁ ଗଜାନନଙ୍କ ଭସାଣି ଉତ୍ସବ ।