Wednesday, March 18, 2026
22.3 C
Odisha

    ଡାକ୍ତରଖାନା ନର୍ସମାନଙ୍କ ବିନା ଅଧୁରା: ସୋଆ ଉପସଭାପତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ନର୍ସମାନଙ୍କର ସେବା ଯତ୍ନ ଦ୍ୱାରା ହିଁ ରୋଗୀମାନେ ସୁସ୍ଥ ହୋଇଥାନ୍ତି । ନର୍ସମାନଙ୍କୁ ମା’ମାନଙ୍କ ସହିତ ମଧ୍ୟ ତୁଳନା କରାଯାଏ । ତେଣୁ ଡାକ୍ତରଖାନା ନର୍ସମାନଙ୍କ ବିନା ଅଧୁରା ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ । ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ ପକ୍ଷରୁ ମେ ୧୨ରେ ଆନ୍ତର୍ଜାତିକ ସେବିକା ଦିବସ ଅବ୍ୟବହିତ ପୂର୍ବରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଦାସ କହିଛନ୍ତି ଯେ ବିଗତ କିଛି ବର୍ଷରେ ମହାମାରୀ କୋଭିଡ ପ୍ରଳୟରୁ ସମାଜକୁ ବଂଚାଇବାରେ ନର୍ସମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନର୍ସମାନଙ୍କର ତ୍ୟାଗ ଓ ନିଷ୍ଠାପର ସେବା ଦ୍ୱାରା ସୋଆ ଅନେକ ସୁନାମ ଅର୍ଜନ କରିଛି । ତେଣୁ ସେ ସେମାନଙ୍କୁ ନିଜର ହୃଦୟର କୃତଜ୍ଞତା ଜ୍ଞାପନ କରୁଛନ୍ତି ବୋଲି ଶ୍ରୀମତି ଦାସ କହିଛନ୍ତି । ସ୍ୱାସ୍ଥ୍ୟ ସେବାର ପ୍ରତ୍ୟେକ ସୋପାନରେ ନର୍ସମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭବିଷ୍ୟତରେ କୌଣସି ପ୍ରକାରର ବିପଦ ଆସିଲେ ନର୍ସମାନେ ଦୃଢ଼ଭାବେ ଏହାକୁ ପ୍ରତିହିତ କରିପାରିବେ ବୋଲି ତାଙ୍କର ଆଶା ଓ ବିଶ୍ୱାସ ରହିଛି ଶ୍ରୀମତି ଦାସ କହିଛନ୍ତି । ଆନ୍ତର୍ଜାତିକ ନର୍ସେସ ଦିବସ ଅବସରରେ ସେ ହସ୍ପିଟାଲ୍‌ର ସମସ୍ତ ନର୍ସମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ ।
    ଏହି ଅବସରରେ ବ୍ରହ୍ମପୁର ସ୍ଥିତ କଲେଜ ଅଫ୍ ନର୍ସିଂର ଅଧ୍ୟକ୍ଷା ପ୍ରଫେସର (ଡାକ୍ତର) ରାଜଲକ୍ଷ୍ମୀ ମିଶ୍ର ମୁଖ୍ୟ ବକ୍ତାଭାବେ ଯୋଗ ଦେଇ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନର୍ସମାନଙ୍କର କାର୍ଯ୍ୟଧାରାକୁ ଅଧିକ ସଫଳ କରିବା ନିମନ୍ତେ କ୍ଲିନିକାଲ ଗବେଷଣା କ୍ଷେତ୍ରରେ ସେମାନଙ୍କୁ ଅଧିକ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ପ୍ରସୂତିମାନଙ୍କର ଚିକିତ୍ସା କରୁଥିବା ନର୍ସମାନେ ଅଧିକ ପ୍ରଶିକ୍ଷିତ ହେବାର ଆବଶ୍ୟକତା ଥିବା ସେ କହିଥିଲେ । କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର ଯୋଗ ଦେଇ ନର୍ସମାନଙ୍କୁ ହସ୍ପିଟାଲ୍‌ର ମେରୁଦଣ୍ଡ ବୋଲି ସମ୍ବର୍ଦ୍ଧନ କରି ରାଜ୍ୟ ସରକାରଙ୍କ ଦ୍ୱାରା ସମ୍ ହସ୍ପିଟାଲ୍ ବିଏସ୍‌କେୱାଇ ଯୋଜନାକୁ ପରିଚାଳନାରେ ଏବଂ ସୋଆ ପରିଚାଳିତ କୋଭିଡ ହସ୍ପିଟାଲଗୁଡ଼ିକର ଉତମ ସ୍ୱାସ୍ଥ୍ୟସେବାକୁ ନେଇ ଶ୍ରେଷ୍ଠ ହସ୍ପିଟାଲ୍ ଭାବେ ସମ୍ବର୍ଦ୍ଧିତ କରିବାରେ ନର୍ସମାନଙ୍କ ଭୂମିକା ସବୁଠାରୁ ଅଧିକ ବୋଲି କହିଥିଲେ । ହସ୍ପିଟାଲ୍‌ର ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ମିନତୀ ମିଶ୍ର ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆଧୁନିକ ନର୍ସିଂର ପଥଦର୍ଶକ ଫ୍ଲୋରେନ୍ସ ନାଇଟିଙ୍ଗଲ୍‌ଙ୍କର ୨୦୪ ତମ ଜନ୍ମ ଦିବସ ଚଳିତ ବର୍ଷ ପାଳନ କରାଯାଉଥିବା ବେଳେ ଏଥରର ପ୍ରସଙ୍ଗ “ଆୱାର ନର୍ସେସ୍‌, ଆୱାର ଫ୍ୟୁଚର୍‌, ଦ ଇକୋନୋମିକ ପାୱାର ଅଫ୍ କେୟାର” ରହିଥିବା ଶ୍ରୀମତି ମିଶ୍ର କହିଥିଲେ ।
    ଏହି ଅବସରରେ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ ଲେଙ୍କା, ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଭୁବନେଶ୍ୱରର ମେଡିକାଲ୍ ସୁପରିଟେଣ୍ଡେଂଟ ଇନ୍‌ଚାର୍ଜ ପ୍ରଫେସର (ଡାକ୍ତର) ରଚିତା ଷଢ଼ଙ୍ଗୀ ଓ ଆଡିସ୍‌ନାଲ୍ ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ଶୋଭାମଞ୍ଜରୀ ସାମଲ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଶ୍ରୀମତି ସାମଲ ନର୍ସମାନଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗଲ୍ ଶପଥପାଠ କରାଇଥିଲେ । ସେହିପରି ଅତିଥିମାନଙ୍କ ଦ୍ୱାରା ଏକ ସ୍ମରଣିକା ଉନ୍ମୋଚନ କରାଯାଇଥିବା ବେଳେ କେକ୍ କଟାଯାଇ ଏହି ସ୍ୱତନ୍ତ୍ର ଦିବସ ପାଳନ କରାଯାଇଥିଲା । ନର୍ସିଂ ସପ୍ତାହ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ସୋଆ ଉପସଭାପତି ଓ ଅନ୍ୟ ଅତିଥିମାନେ ପୁରସ୍କୃତ କରିଥିଲେ । ସମ୍ ହସ୍ପିଟାଲ୍‌ର ସିନିୟର ନର୍ସିଂ ଏଜୁକେଟର ତଥା ସମ୍ ନର୍ସିଂ କଲେଜର ଆସିଷ୍ଟାଂଟ ପ୍ରଫେସର ସୁଶ୍ରୀ ନିବେଦିତା ରାଉତ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଡେପୁଟି ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି କାବେରୀ ରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.3 ° C
    22.3 °
    22.3 °
    69 %
    8.9kmh
    99 %
    Wed
    30 °
    Thu
    34 °
    Fri
    35 °
    Sat
    34 °
    Sun
    35 °

    ସମ୍ବନ୍ଧିତ