Thursday, September 19, 2024
25.2 C
Odisha

    ତୁଳସୀ ଗଛର ମାହାତ୍ମ୍ୟ

    ଆଗକୁ ପଢନ୍ତୁ

    ହିନ୍ଦୁ ଧର୍ମରେ ତୁଳସୀ ବୃକ୍ଷକୁ ଏକ ପବିତ୍ର ବୃକ୍ଷ ଭାବରେ ବିବେଚନା କରାଯାଏ । ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ଏହି ବୃକ୍ଷ ରେ ବାସ କରନ୍ତି । ତୁଳସୀ ପତ୍ର ବିନା ଭଗବାନ ବିଷ୍ଣୁ କୌଣସି ପ୍ରସାଦ ଗ୍ରହଣ କରନ୍ତି ନାହିଁ । ଏମିତିକି ତୁଳସୀଙ୍କୁ ବିଷ୍ଣୁପ୍ରିୟା ମଧ୍ୟ କୁହାଯାଏ । ସେଥିପାଇଁ ତୁଳସୀ ଗଛକୁ ପୂଜା କରୁଥିବା ବ୍ୟକ୍ତି କଦାପି ଗରିବ ରୁହେ ନାହିଁ ଏବଂ କୌଣସି ଦୁଃଖର ସମ୍ମୁଖୀନ ହୁଏ ନାହିଁ । କେବଳ ତୁଳସୀଙ୍କୁ ପାଣି ଦେବାରେ କଣ ଫଳ ମିଳେ ଏହି କାହାଣୀ ମାଧ୍ୟମରେ ଜାଣିବା ।

    ଏକଦା ଅବନ୍ତୀପୁରିରେ ଧନେଶ୍ଵର ନାମରେ ଜଣେ ବ୍ରାହ୍ମଣ  ରହୁଥିଲା । ସେ ଜନ୍ମରେ ଜଣେ ବ୍ରାହ୍ମଣ ଥିଲା କିନ୍ତୁ ତାର କର୍ମରେ ସେ ଜଣେ ଦୁଷ୍ଟ ବୁଦ୍ଧିର ମନୁଷ୍ୟ ତଥା କମ୍ବଳ , ଚମଡା ଇତ୍ୟାଦି ବିକ୍ରି କରି ଅଧିକ ଟଙ୍କା ରୋଜଗାର କରିବାର ଇଚ୍ଛା ରଖୁଥିବା ଜଣେ ମିଛୁଆ ବ୍ୟକ୍ତି ଥିଲା । ତାର ମନ ସବୁ ବେଳେ ଦୁଷ୍କର୍ମ ରେ ନିୟୋଜିତ ଥିଲା । ସେ ଚୋରି, ଜୁଆଖେଳ ଏବଂ ବେଶ୍ୟା ଗମନରେ ଅଭ୍ୟସ୍ତ ଥିଲା । ସେ ତାର ଜୀବନରେ କୌଣସି ଭଲକର୍ମ କରିନଥିଲା । ସେ କେବେବି ଶାସ୍ତ୍ର ଅଧୟନ କି ପୂଜା ପାଠ କରିନଥିଲା । ସର୍ବଦା ଅନ୍ୟର ଧନ ଉପରେ ନଜର ରଖୁ ଥିଲା । ଦିନରେ ଟଙ୍କା ରୋଜଗାର କରୁଥିଲା ଏବଂ ରାତିରେ ବେଶ୍ୟା ମାନଙ୍କ ସହ ରାତି କାଟୁଥିଲା । ଏହି ପରି ଭାବରେ ବ୍ରାହ୍ମଣ ଧନେଶ୍ବର ସର୍ବଦା ପାପ କର୍ମରେ ଲିପ୍ତ ରହୁଥିଲା । କୌଣସି ଦେବୀ ଦେବତା ଙ୍କୁ ସେ ପୂଜା କରୁ ନଥିଲା ଏପରିକି କେବେ ଭଗବାନଙ୍କ ନାମ ମଧ୍ୟ ମୁହଁରେ ଧରି ନଥିଲା । ଏପରି ଅନେକ ବର୍ଷ ବିତିଗଲା । ଥରେ ବ୍ରାହ୍ମଣ ଧନେଶ୍ବର କିଛି କିଣାବିକା କରିବା ନିମନ୍ତେ ମହେଶ୍ବତିକୁ ଯାଇଥିଲା । ସେହି ନଗର ନିକଟରେ ନର୍ମଦା ନଦୀ ପ୍ରବାହିତ ହେଉଥିଲା । ଲୋକ ମାନେ ସହି ନଦୀରେ ଗାଧୋଇବା ପାଇଁ ବହୁ ଦୂର ଦୂରାନ୍ତରୁ ଆସୁଥିଲେ । ଧନେଶ୍ୱର ସେହି ନଦୀ କୂଳରେ ଥିବା ଆଶ୍ରମ ରେ ଆଶ୍ରୟ ନେଲା । ସେହି ଆଶ୍ରମରେ ଥିବା ବିଦ୍ଵାନ ବ୍ରାହ୍ମଣମାନେ ପୁରାଣ ଶାସ୍ତ୍ର ଅଧ୍ୟୟନ ଏବଂ ଭଗବାନ ବିଷ୍ଣୁଙ୍କ ଭଜନ କୀର୍ତ୍ତନ ରେ ବ୍ୟସ୍ତ ଥିଲେ । କପଟୀ ଧନେଶ୍ବର ସେଠାରେ ଧାର୍ମିକ ହେବାର ଅଭିନୟ କଲା । ସେଠାରେ ସେ ଏକ ମାସ ଯାଏଁ ରହିବାର ଥିଲା । ସେହି ସମୟ ମଧ୍ୟରେ ଅନ୍ୟ ବ୍ରାହ୍ମଣ ମାନଙ୍କ ସହ ମିଶି ସେ ହରିନାମ ଜପ କରୁଥିଲା । ବିଭିନ୍ନ ବ୍ରାହ୍ମଣ ଭୋଜନରେ ସାମିଲ ହେଉଥିଲା । ଆଶ୍ରମରେ ଥିବା ଏକ ତୁଳସୀ ବୃକ୍ଷରେ ପ୍ରତିଦିନ ସକାଳେ ଯାଇ ଜଳଦାନ କରୁଥିଲା ।

    ଦିନେ ସେ ଆଶ୍ରମରେ ଶୋଇଥିବା ସମୟରେ ଦୁର୍ଭାଗ୍ୟ ବଶତଃ ଏକ ବିଷକ୍ତ ସାପ ଆସି ତାକୁ ଦଂଶନ କଲା । ଏହା ଫଳରେ ସେ ଶୋଇଥିବା ଅବସ୍ଥାରେ ହିଁ ମୃତ୍ୟୁବରଣ କଲା । ମୃତ୍ୟୁ ପରେ ଯମଦୂତ ମାନେ ଆସି ତାକୁ ଯମପୁର କୁ ନେଇଗଲେ । ସେଠାରେ ଚିତ୍ରଗୁପ୍ତ ସେହି ବ୍ରାହ୍ମଣର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ କାର୍ଯ୍ୟର ହିସାବ ଦେଖି କହିଲେ, “ହେ ଯମରାଜ ! ଏହି ବ୍ରାହ୍ମଣ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ କେବଳ ପାପ ହିଁ କରିଛି । ତା ଛଡା କୌଣସି ଭଲ କାମ କରିନାହିଁ । ଏହି ବ୍ଯକ୍ତିର ପୁରା ଜୀବନ ପାପର ଏକ ଗନ୍ତାଘର । ତାର ସ୍ଥାନ କେବଳ କୁମ୍ବିପାକ ନର୍କରେ । ଏହା ଶୁଣି ଯମରାଜ ଧନେଶ୍ଵରକୁ କୁମ୍ଭିପାକ ନରକରେ ପକାଇବାକୁ ଆଦେଶ ଦେଲେ । ଯମ ରାଜାଙ୍କ ଆଦେଶ ଅନୁଯାୟୀ , ଦୂତମାନେ ବିକଟାଳ ହସ ହସି ସେହି ପାପୀ ବ୍ରାହ୍ମଣକୁ ଚାବୁକରେ ପିଟି ପିଟି କୁମ୍ବିପାକ ନର୍କକୁ ନେଇଗଲେ । ସେହି ଭୟଙ୍କର ନର୍କ ରେ ଫୁଟୁଥିବା ତେଲର ବିଶାଳ ହାଣ୍ଡି ଥିଲା ଯାହାର ତଳ ଭାଗରେ ଭୟଙ୍କର ନିଆ ଜଳୁଥିଲା । ସେହି ଫୁଟୁଥିବା ତେଲ ଭିତରକୁ ଧନେଶ୍ୱରକୁ ଯମଦୂତମାନେ ଫୋପାଡ଼ି ଦେଲେ । ମାତ୍ର ଆଶ୍ଚର୍ଯ୍ୟ, ସେହି ବ୍ରାହ୍ମଣ ତେଲର ହାଣ୍ଡିରେ ପଡ଼ିବା ମାତ୍ରେ ଭୟଙ୍କର ଭାବରେ ଫୁଟୁଥିବା ତେଲ ହଠାତ ଶୀତଳ ହେବାକୁ ଲାଗିଲା ।

    ଏହି ଅଜବ ଘଟଣା ଦେଖି ଯମଦୂତମାନେ ଆଶ୍ଚର୍ଯ୍ୟ ହୋଇଗଲେ । ଆଗରୁ କେବେ ଏମିତି ହୋଇ ନଥିଲା । ସେମାନେ ସେହି ତେଲ ପାତ୍ରରେ କେତେ ପାପିକୁ ଫୋପାଡ଼ି ଥିଲେ । ସମସ୍ତେ ତେଲ ରେ ପଡ଼ିବା ପରେ ଛଟ ପଟ ହୋଇଥିଲେ । କିନ୍ତୁ ବ୍ରାହ୍ମଣ ପଡ଼ିବା ମାତ୍ରେ ତେଲ ଶାନ୍ତ ଓ ଶୀତଳ ହୋଇଗଲା ଏହି ଆଶ୍ଚର୍ଯ୍ୟ ଘଟଣା ବିଷୟରେ ଦୂତ ଯାଇ ଯମରାଜଙ୍କ ନିକଟରେ ଜଣାଇଲା । ଏହା ଶୁଣି ସେ ମଧ୍ୟ ଚକିତ ହୋଇପଡ଼ିଲେ ।  ଠିକ ସେତିକିବେଳେ ଦେବର୍ଷି ନାରଦ ସେହି ସ୍ଥାନରେ ପହଞ୍ଚିଲେ । ଯମରାଜ ତାଙ୍କୁ ସ୍ଵାଗତ ଜଣାଇ କହିଲେ, “ଦେବର୍ଷି ! ଆପଣ ଠିକ୍ ସମୟ ରେ ଆସିଛନ୍ତି । ଦୟାକରି ଏହି ଘଟଣାଟି ର ରହସ୍ୟ ଆମକୁ ବୁଝାନ୍ତୁ ।“ ଏହାପରେ ସେ ପୁରା ଘଟଣା ଦେବର୍ଷି ନାରଦଙ୍କ ସମ୍ମୁଖରେ ଉପସ୍ଥାପନ କଲେ । ଦେବର୍ଷି ନାରଦ କହିଲେ, “ମହାରାଜ ! ଆପଣ ଯେଉଁ ବ୍ରାହ୍ମଣକୁ କୁମ୍ବିପାକ ନର୍କ ରେ ପକାଇଲେ, ସେ ସେହି ନର୍କ ରେ ପଡିବାର ଯୋଗ୍ୟ ନୁହଁ । ସେ ତା ଜୀବନସାରା ଜାଣି ଜାଣି ଅନେକ ପାପକର୍ମ କରିଛି ସତ, ମାତ୍ର ଅଜାଣତରେ ସେ  ଯେଉଁ କର୍ମ କରିଛି ସେ କର୍ମ ସବୁ ତାର ନର୍କର ରାସ୍ତାକୁ ଅବରୋଧ କରୁଛି । ଯେଉଁ ବ୍ୟକ୍ତି ଧାର୍ମିକ ଲୋକ ମାନଙ୍କ ସହିତ ରୁହେ । ସେ ନିଶ୍ଚିତ ଭାବରେ ତାଙ୍କ ଗୁଣ ବା ଧର୍ମର କିଛି ଅଂଶ ପାଇଥାଏ । ଆଉ ଏହି ବ୍ରାହ୍ମଣ ତା ବହୁ ବିଷ୍ଣୁ ଭକ୍ତ ମାନଙ୍କ ସହିତ ପୁରା ଏକ ମାସ ରହିଛି । ସେ ଆଶ୍ରମରେ ରହୁଥିବା ବେଳେ ପ୍ରତିଦିନ ତୁଳସୀଙ୍କୁ ଜଳ ଅର୍ପଣ କରୁଥିଲା । ସେଥିପାଇଁ ସେ ଧାର୍ମିକ ହୋଇଗଲା ଓ ତାର ସମସ୍ତ ପାପ ନଷ୍ଟ ହୋଇଗଲା । ଏହି ବ୍ରାହ୍ମଣ ବର୍ତ୍ତମାନ ବିଷ୍ଣୁ ଲୋକ ଯିବାପାଇଁ ଯୋଗ୍ୟ ହୋଇଯାଇଛି । ଏହି ବ୍ରାହ୍ମଣ ଅଜାଣତରେ ଏତେ ପୁଣ୍ୟ ଅର୍ଜନ କରିଛି ଯାହା ଏକ ସାଧାରଣ ମନୁଷ୍ୟ ଅନେକ ଜନ୍ମ କଷ୍ଟ କଲେ ମଧ୍ୟ ଅର୍ଜନ କରିପାରିବ ନାହିଁ । ସେଥିପାଇଁ ତାଙ୍କୁ ନର୍କରେ ପକାନ୍ତୁ ନାହିଁ । କେବଳ ଦଣ୍ଡ ସ୍ଵରୂପ ତାକୁ ଥରେ ପୁରା ଯମପୁର ବୁଲାଇ ଦେଖାଇ ଦିଆଯାଉ ।“ ଏସବୁ ଶୁଣି ଯମରାଜ ଦୂତମାନଙ୍କୁ ସେହିପରି କରିବାକୁ ଆଦେଶ ଦେଲେ ।  ଦୂତମାନେ ସେହି ବ୍ରାହ୍ମଣଟି କୁ ନର୍କର ପରିକ୍ରମା କରାଇ ତାକୁ ବିଷ୍ଣୁ ଲୋକକୁ ପଠାଇ ଦେଲେ ।

    ଏହିପରି ଅଟେ ତୁଳସୀ ଗଛର ମାହାତ୍ମ୍ୟ । ଯେଉଁ ଘରେ ତୁଳସୀ ଗଛ ସର୍ବଦା ସତେଜ ହୋଇ ରହିଥାଏ, ସେହି ଘରେ ସୁଖ ଶାନ୍ତି ସମୃଦ୍ଧତା ଭରି ହୋଇ ରହି ଥାଏ  । ଭଗବାନ ବିଷ୍ଣୁ ଙ୍କ ପୂଜାରେ ଦିଆ ଯାଉଥିବା ପ୍ରାସାଦରେ ତୁଳସୀ ପତ୍ର ରହିବା ନିହାତି ଆବଶ୍ୟକ କାରଣ ତୁଳସୀ ପତ୍ର ବିନା ଭଗବାନ ବିଷ୍ଣୁ କୌଣସି ପ୍ରକାରର ଭୋଗ ଗ୍ରହଣ କରନ୍ତି ନାହିଁ । ସେଥିପାଇଁ ପ୍ରତ୍ୟେକ ଘରେ ଚଉରା ରହିବା ଜରୁରୀ ।

    Story By- Bijaylaxmi

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ