ସୁବର୍ଣ୍ଣପୁର : ତେଲେଙ୍ଗାନା ରାଜ୍ୟରୁ ଉଦ୍ଧାର ହେଲେ ଓଡିଆ ଶ୍ରମିକ । ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର ହେଉଥିବା ଦାଦନ ଶ୍ରମିକମାନେ ପୋଲିସ ପ୍ରଶାସନ ସହାୟତାରେ ଉଦ୍ଧାର ହୋଇ ଘରକୁ ଫେରିଛନ୍ତି । ତେଲେଙ୍ଗାନା ରାଜ୍ୟର ମଂଚେରିଆଲ ଅଂଚଳରେ ଏକ ଇଟାଭାଟିରେ କାମ କରି ନିର୍ଯାତିତ ହେଉଥିଲେ ଶ୍ରମିକମାନେ । ପରେ ଜିଲ୍ଲା ପ୍ରଶାସନ ସହାୟତାରେ ସୋନପୁର ପୋଲିସ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରାଯାଇ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା ନାଗପାଲି ଗାଁର ଦେବାର୍ଚ୍ଚନ ମେଘାନୀଙ୍କ ସମେତ ତାଙ୍କ ଗାଁର ଅନ୍ୟ ୬ ଜଣ ଏବଂ ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ଗାଁର ସୁଦାମ ଦାସଙ୍କ ସମେତ ୭ଜଣ ମିଶି ନିଜ ପିଲାଛୁଆଙ୍କୁ ଧରି ମୋଟ ୧୫ ଜଣ ରାଜ୍ୟ ବାହାରେ ଫସିଥିଲେ । ଇଟାଭାଟିରେ କାମ କରିବା ପାଇଁ ଗତ ଡିସେମ୍ୱର ମାସରେ ତେଲେଙ୍ଗାନା ରାଜ୍ୟର ମଂଚେରିଆଲକୁ ଯାଇଥିଲେ ସମସ୍ତେ । ତେବେ ଇଟାଭାଟି ମାଲିକ ପୂର୍ବ ସର୍ତ୍ତ ଅନୁସାରେ ଠିକ ଭାବରେ ମଜୁରୀ ଦେଉ ନଥିଲା । ଏପରିକି ଜୋର ଜବରଦସ୍ତ ବିନା ପାରିଶ୍ରମିକରେ ଶ୍ରମିକମାନଙ୍କୁ ଖଟାଉଥିଲା । ବାହାରକୁ ଛାଡିବା ତ ଦୂରର କଥା ଏପରିକି ପାଟି କଲେ ନିସ୍ତୁକ ପ୍ରହାର କରୁଥିଲା ଭାଟି ମାଲିକ । ମୋବାଇଲ ଫୋନ ସବୁ ନେଇ ଯାଇଥିବା ବେଳେ କେବଳ ବଞ୍ଚିବା ପାଇଁ ଡାଲି ଚାଉଳ ଗଣ୍ଡେ ଯୋଗାଇ ଦେଉଥିଲା । କୌଣସି ଉପାୟ ନପାଇ ବାଧ୍ୟ ହୋଇ ଇଟା ଭାଟି ମାଲିକ ପାଖରେ ଖଟୁଥିଲେ ଶ୍ରମିକ । କୌଶଳ କ୍ରମେ ଜଣେ ଦାଦନ ନିଜ ପରିବାରଙ୍କୁ ଯୋଗାଯୋଗ କରି ସମସ୍ତ କଥା ଜଣାଇଥିଲେ । ଉଦ୍ଧାର କରିବା ପାଇଁ ଗୁହାରି କରିଥିଲେ ସମସ୍ତେ । ଘଟଣା ବିଷୟରେ ଜାଣିବା ପରେ ପରିବାର ଲୋକେ ଜିଲ୍ଲା ପ୍ରଶାସନର ଦ୍ଵାରସ୍ତ ହୋଇଥିଲେ । ପରେ ସମସ୍ତ ଶ୍ରମିକମାନଙ୍କୁ ସୁବର୍ଣ୍ଣପୁର ପୋଲିସ, ତେଲେଙ୍ଗାନା ପୋଲିସ ସହାୟତାରେ ଉଦ୍ଧାର କରି ପରିବାରଙ୍କୁ ହସ୍ତାନ୍ତର କରିଛି ।
ତେବେ ନିର୍ଯାତନାର ଶିକାର ହୋଇଥିବା ଦାଦନ ଶ୍ରମିକ ନିଜ ମାଟିରେ ପହଞ୍ଚି ବେଶ ଖୁସି ହେବା ସହ ଜିଲ୍ଲା ପ୍ରଶାସନର ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଟଙ୍କାର ପ୍ରଲୋଭନ ଦେଖାଇ ବାହାର ରାଜ୍ୟରେ ଓଡିଆ ଶ୍ରମିକଙ୍କୁ ଦଲାଲ ହାତରେ ଟେକି ଦେଉଥିବା ଦାଦନ ସର୍ଦ୍ଦାରଙ୍କୁ କେବେ ପୋଲିସ ଠାବ କରି ଜେଲ ହାଜତକୁ ପଠାଇବ ତାକୁ ହିଁ ଅପେକ୍ଷା ।
