ତ୍ୟାଗ । ଦୁଇଟି ଅକ୍ଷର, ଗୋଟିଏ ଫଳା ଓ କାରର ସମଷ୍ଟିରେ ଏକ ମହନୀୟ ଶବ୍ଦ । ମାନବବାଦର ଏକ ଦୈବିକ ଗୁଣ । ତ୍ୟାଗର ମହତ୍ତ୍ଵ କଳନା କରିବା ଦୁଃସାଧ୍ୟ । କେବଳ ତ୍ୟାଗୀ ହିଁ ତ୍ୟାଗର ମହାନତା ବୁଝିପାରେ । ତ୍ୟାଗର ପ୍ରକୃତ ମୂଲ୍ୟ କେହି ଦେଇପାରିବେ ନାହିଁ କି ତ୍ୟାଗର ଋଣ କେହି ଶୁଝିପାରିବେ ନାହିଁ । ପିତା, ମାତା, ଗୁରୁ, ଗୁରୁଜନ ଜୀବନସାରା ନିଜ ପୁତ୍ରକନ୍ୟା, ଶିଷ୍ୟ, କନିଷ୍ଠମାନଙ୍କ ପାଇଁ ଆଜୀବନ ସଂଗ୍ରାମ ଜାରି ରଖିଥାନ୍ତି । ନିଃସ୍ୱାର୍ଥପର ତ୍ୟାଗର ବିକଳ୍ପ ନାହିଁ। ରାମାୟଣ, ମହାଭାରତ,ଇତିହାସ,ରାଜନୀତି ବିଜ୍ଞାନ,କଳା, କାରିଗରୀ, ଶିଳ୍ପକ୍ଷେତ୍ର, କ୍ରିଡା, ସମାଜ ସମସ୍ତ କ୍ଷେତ୍ରରେ ତ୍ୟାଗର ଅକଳନ୍ତି ଉଦାହରଣ ବା ନମୂନା ପରିଦୃଷ୍ଟ ହୁଏ । ପିତୃଭକ୍ତ ରାମଚନ୍ଦ୍ର ପିତାଙ୍କ ସତ୍ୟତା ପାଳନ କରିବାକୁ ଯାଇ ରାଜ୍ୟ,ରାଜଭୋଗ ତ୍ୟାଗ କରିଥିଲେ । ଭାତୃଭକ୍ତ ଲକ୍ଷ୍ମଣ ଭ୍ରାତା ରାମଚନ୍ଦ୍ରଙ୍କ ସେବା କରିବାକୁ ଯାଇ ଯଥେଷ୍ଟ ତ୍ୟାଗ ସହ୍ୟ ବନବାସ କଷ୍ଟ ସହି ନେଇଥିଲେ । ଦୀର୍ଘ ବାରବର୍ଷ କାଳ ଆହାର ନିଦ୍ରା ତ୍ୟାଗ କରିଥିଲେ ମଧ୍ୟ । ଲକ୍ଷ୍ମଣଙ୍କ ପତ୍ନୀ ସତୀ ଉର୍ମିଳା, ପତି ସ୍ନେହ ତ୍ୟାଗ କରି ପତି,ଦେଢଶୁର ଓ ଯାଆଙ୍କ ମଙ୍ଗଳ କାମନା କରି ବ୍ରହ୍ମଚାରିଣୀ ବ୍ରତ ଆଦରି ଅଖଣ୍ଡ ଦୀପ ପ୍ରଜ୍ଵଳନ କରି ଆସୁଥିଲେ । ରାମୟନରେ ତଥାକଥିତ ଖଳନାୟକ ରାବଣ ନିଜର ଶ୍ରଦ୍ଧେୟା, ଆଦରଣୀୟା ଭଗ୍ନୀ ସୂର୍ପଣଖା ପ୍ରତି ହୋଇଥିବା ଅନ୍ୟାୟର ବିରୁଦ୍ଧାଚରଣ କରି ନିଜର ରାଜତ୍ବ,ସ୍ଵର୍ଣ୍ଣଲଙ୍କା ଓ ଶେଷରେ ନିଜର ଜୀବନକୁ ମଧ୍ୟ ବାଜି ଲଗେଇ ଦେଇଥିଲେ ।
ମହାଭାରତର ଯୁଧିଷ୍ଠିର ସତ୍ୟର ଜୟ,ଭ୍ରାତା ମାନଙ୍କର ସମ୍ମାନ ଓ ପ୍ରାପ୍ୟ ପାଇଁ ଅନେକ ତ୍ୟାଗ ସହିଥିଲେ । ମହାମାନବ ମହାତ୍ମା ଗାନ୍ଧୀଜୀ ଦେଶବାସୀଙ୍କୁ ବିଦେଶୀ
ବିଦେଶୀ ହାତରୁ ମୁକ୍ତ କରିବା ପାଇଁ ଅହିଂସା ବ୍ରତ ଆଚରଣ କରି ନିଜର ସୁଖ, ସ୍ଵାଚ୍ଛନ୍ଦ୍ୟ ଓ ଭୋଗବିଳାସ ତ୍ୟାଗ କରିଥିଲେ । ଯେପରି ଭଗବାନ ବୁଦ୍ଧ ଭକ୍ତମାନଙ୍କର ନିର୍ବାଣ ପ୍ରାପ୍ତି ପାଇଁ କାମନା ବାସନା, ରାଜଭୋଗ, ସଂସାର ସୁଖ ଆଦି ତ୍ୟାଗ କରି ଜଗତର ମଙ୍ଗଳ ସାଧିଥିଲେ । ଅନେକ ରାଜନୈତିକ ନେତା ଜନତା ଜନାର୍ଦ୍ଦନଙ୍କ ସେବା ନିମିତ୍ତ କିଏ ସଂସାର ତ୍ୟାଗୀ ତ କିଏ ଧନଲିପ୍ସା ମୋହ ମାୟା ତ୍ୟାଗ କରିଆସୁଛନ୍ତି ଏବଂ କରୁଛନ୍ତି ମଧ୍ୟ । ବୈଦିକ ଯୁଗର ମୁନିଋଷିମାନେ ନିଜର ସବୁକିଛି ତ୍ୟାଗ କରି ଆଶ୍ରମରେ ଅବସ୍ଥାନ କରି ସମଗ୍ର ମାନବ ସମାଜର ହିତରେ ଜୀବନ ନିର୍ବାହ କରୁଥିଲେ ।
ଏ କ୍ଷେତ୍ରରେ ନିଜର ଅସ୍ଥିଦାନ କରିଥିବା ଦଧିଚି ଋଷିଜ୍ଞ ନାମ ଉଲ୍ଲେଖଯୋଗ୍ୟ । ଅନେକ ଯଶସ୍ଵୀ ବୈଜ୍ଞାନିକ ନିଜ ଜୀବନକୁ ବାଜି ଲଗେଇ ଦେଇ ମାନବ ସମାଜର ଉନ୍ନତି କଳ୍ପେ ଅନେକ ଉଦ୍ଭାବନ ଓ ଆବିଷ୍କାର କରି ଚାଲିଛନ୍ତି ।
କାହାଣୀ- ନିରଞ୍ଜନ ପତି