ଯେତେବେଳେ ପୁରୀର ନାମ ପୁରସ୍ତମପୁର ଥିଲା,ସେତେବେଳର କଥା । ପୁରସ୍ତମପୁର ଠାରୁ ଦୁଇ କିଲୋମିଟର ଦୂରରେ ବାଲିଗ୍ରାମ ନାମରେ ଗୋଟିଏ ଗାଁ ଥିଲା । ସେଠାରେ ଦାସିଆ ବାଉରୀ ନାମକ ଏକ ନିଚ୍ଚ ଜାତିର ଲୋକ ନିଜ ସ୍ତ୍ରୀ ସହିତ ରହୁଥିଲା । ସେ ଲୁଗା ବୁଣି ନିଜ ପରିବାରର ଭରଣ ପୋଷଣ କରୁଥିଲା । ସେ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ ଥିଲା । କାଳିଆ ପ୍ରତି ତା’ର ଭାରି ଲୋଭ । ସେ କୌଣସି ପୁରାଣ କି ଭାଗବତ ପଢି ନଥିଲା ସତ, ହେଲେ ଜଗନ୍ନାଥଙ୍କ ନାମ ନେବା ମାତ୍ରେ ସେ ସବୁକିଛି ଭୁଲି ଯାଉଥିଲା । ଭକ୍ତିଭାବରେ ଅତ୍ୟନ୍ତ ବିଭୋର ହୋଇ ଯାଉଥିଲା ।
ଦିନେ ସେହି ଗାଁର ନିଧି ସାଆନ୍ତ ଦାସିଆ ପାଖକୁ ଏକ ଲୁଗା ବୁଣିବାର ବରାଦ ଦେବାକୁ ଆସିଥିଲେ । ସେ ରଥଯାତ୍ରା ଦେଖିବାକୁ ପୁରସ୍ତମପୁର ଯିବାପାଇଁ ସ୍ଥିର କରି ନୂଆ ଲୁଗା ବୁଣିବାକୁ ଦାସିଆକୁ ବରାଦ ଦେଲେ । ନିଧି ସାଆନ୍ତ ଜଗନ୍ନାଥଙ୍କ ପାଖକୁ ଯିବାର ଶୁଣି ଦାସିଆ ଅତ୍ୟନ୍ତ ଭାବ ବିହ୍ଵଳ ହୋଇପଡ଼ିଲା । ଦାସିଆର ଜଗନ୍ନାଥଙ୍କ ପ୍ରତି ଏତେ ଭକ୍ତି ଦେଖି ନିଧି ସାଆନ୍ତେ କହିଲେ, “ତୁ ବି ମୋ ସାଙ୍ଗରେ ପୁରସ୍ତମପୁର ଚାଲ୍ । କାଳିଆକୁ ଦେଖି ଆସିବୁ ।“ ଏକଥା ଶୁଣି ଦାସିଆ କହିଲା,”ସାଆନ୍ତେ, ମୁଁ ପରା ନିଚ୍ଚ ଜାତିର ମଣିଷ । ମୋତେ ତ ମନ୍ଦିର ମନା । ଜଗାର ଦର୍ଶନ କରି ନପାରିଲେ ସେଠିକି ଯାଇ ଲାଭ କଣ ?” ନିଧି ସାଆନ୍ତ ହସିଦେଇ କହିଲେ,” ଆର ଏବେ ପରା ରଥଯାତର ସମୟ । ମହାପ୍ରଭୁ ନିଜେ ଆସନ୍ତି ବଡ଼ଦାଣ୍ଡକୁ ଭକ୍ତଙ୍କୁ ଦେଖିବା ପାଇଁ ।“
କାଳିଆକୁ ନିଜ ଆଖିରେ ଦେଖିପାରିବ ବୋଲି ଜାଣି ଦାସିଆ ଖୁସିରେ ଗଦଗଦ ହୋଇପଡ଼ିଲା । ନିଧି ସାଆନ୍ତଙ୍କ ସହିତ ପୁରସ୍ତମପୁର ଯାଇ ନନ୍ଦିଘୋଷ ଉପରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କଲା । ତା’ ପ୍ରିୟ କାଳିଆକୁ ସ୍ଵଚକ୍ଷୁରେ ଦେଖି ସେ ମନ୍ତ୍ରମୁଗ୍ଧ ହୋଇଗଲା । ଆଖିରେ ପଲକ ପଡ଼ିଲା ନାହିଁ । ଖାଲି ଧାର ଧାର ଲୁହ ବହି ଚାଲିଲା । କଳିଆର ସେଇ କଳା ମୁହଁ ଆଉ ଆଖିକୁ ନିଜ ମନରେ ଛାପି ଘରକୁ ଫେରିଲା ସେ ।
ଘରକୁ ଫେରିଲା ପରେ ବି ସେ କାଳିଆ ପାଖରୁ ଫେରି ନଥିଲା । ସବୁବେଳେ ତାର ମନ ଯାଇ ସେଇ କଳା ଚେହେରା ପାଖରେ ଲାଖି ରାହୁଥିଲା । ଏମିତି ଦିନେ ତା’ର ସ୍ତ୍ରୀ ତା’ପାଇଁ ଜାଉ ଓ ଶାଗ ଥାଳିରେ ବାଢି ଖାଇବାକୁ ଦେଇଥାଏ । ଧଳା ଜାଉ ଉପରେ କଳା ଶାଗ ତାକୁ କାଳିଆର ଚକା ଆଖି ପରି ଦିଶିଲା । ସେ ପାଗଳପ୍ରାୟ ହୋଇ “ମୋ ଘରକୁ କାଳିଆ ଆସିଛି, ମୋ ଘରକୁ କାଳିଆ ଆସିଛି” କହି ଖୁସିରେ ନାଚିବାକୁ ଲାଗିଲା । ତାକୁ ଏମିତି ଅବସ୍ଥାରେ ଦେଖି ତା’ର ସ୍ତ୍ରୀ ଚିନ୍ତିତ ହୋଇ ପଡ଼ିଲା । ପୁରସ୍ତମପୁର ରୁ ଫେରିବା ପରଠାରୁ ଦାସିଆର ଅବସ୍ଥା କେମିତି ବଦଳି ଯାଇଛି ! ସେ ଦୌଡିଯାଇ ନିଧି ସାଆନ୍ତଙ୍କୁ ଡାକି ଆଣିଲା । ନିଧି ସାଆନ୍ତ ଆସି ଦେଖିବାରୁ ସବୁକଥା ବୁଝିପାରିଲେ ଓ ଦାସିଆର ସ୍ତ୍ରୀ କୁ ଜାଉ ଆଉ ଶାଗ ଅଲଗା ଅଲଗା କରି ଦେବାକୁ କହିଲେ । ଏହାପରେ ବୁଝାସୁଝା କରିବାରୁ ଦାସିଆ ଖାଦ୍ୟ ଗ୍ରହଣ କଲା ।
ସେଦିନ ରାତିରେ ଦାସିଆର ସ୍ୱପ୍ନରେ ମହାପ୍ରଭୁ ତାକୁ ଦେଖାଦେଲେ ଓ ତାର ଭକ୍ତିରେ ସନ୍ତୁଷ୍ଟ ହୋଇ କିଛି ବର ଦେବେ ବୋଲି କହିଲେ । ବାଉରୀ କହିଲା,”ପ୍ରଭୁ! ମୋର କିଛି ଲୋଡା ନାହିଁ । ତୁମେ ମୋତେ ସବୁ ଦେଇଛ । ଖାଲି ଏତିକି ଗୁହାରୀ, ମୁଁ ଯେତେବେଳେ ଯାହା ଖାଇବାକୁ ଯାଚିଦେବି ତୁମେ ଗ୍ରହଣ କରିବ । ମୁଁ ଅଛୁଆଁ ବୋଲି ଭାବି ଘୃଣା କରିବନି ।“ ଜଗନ୍ନାଥ ତଥାସ୍ତୁ ବୋଲି କହି ଚାଲିଗଲେ ।
ଦିନେ ସେହି ଗାଁର ଜଣେ ବ୍ରାହ୍ମଣଙ୍କ ପାଇଁ ବୁଣିଥିବା ଲୁଗା ଦେବା ପାଇଁ ଦାସିଆ ବ୍ରାହ୍ମଣଙ୍କ ଘରକୁ ଯାଇଥାଏ । ବ୍ରାହ୍ମଣଙ୍କ ଘରେ ନଡିଆ ଗଛରେ ଅନେକ ସୁନ୍ଦର ସୁନ୍ଦର ନଡିଆ ଦେଖି ତାର ମନକୁ ପାଇଲା । ବ୍ରାହ୍ମଣ ଯେତେବେଳେ ଲୁଗା ପାଇଁ କେତେ କଉଡ଼ି ନେବ ବୋଲି ପଚାରିଲେ, ଦାସିଆ କହିଲା,”ମୁଁ କଉଡି ନେବି ନାହିଁ । କଉଡି ବଦଳରେ ମୋତେ ଆପଣଙ୍କ ଗଛର ଏକ ନଡିଆ ଦିଅନ୍ତୁ ।“ ବ୍ରାହ୍ମଣ କହିଲେ,”କଉଡି ନେଲେ ତୋର କାମରେ ଲାଗିବ । ନଡିଆ ନେଇ ତୁ କଣ କରିବୁ ?”
“ନଡିଆ ମୋ କାଳିଆର ଭାରି ପ୍ରିୟ । ମୁଁ ଏଇ ନଡିଆ ତା ପାଇଁ ନେବାକୁ ଚାହୁଁଛି ।“ ଦାସିଆ କହିଲା । ବ୍ରାହ୍ମଣ ଦାସିଆକୁ ନଡିଆଟିଏ ଦେଲେ । ଦାସିଆ ସେହି ନଡିଆକୁ ପୁଣିଥରେ ବ୍ରାହ୍ମଣଙ୍କୁ ଦେଇ କହିଲା,”ଆପଣ ପୁରସ୍ତମପୁର ଯାଉଛନ୍ତି । ଏହି ନଡିଆ କୁ କାଳିଆକୁ ଦେଇଦେବେ । ହେଲେ ଏହାକୁ ଭୋଗ ନକରି ଜଗନ୍ନାଥଙ୍କୁ କହିବ- ଦାସିଆ ବାଉରୀ ତୁମ ପାଇଁ ନଡିଆ ପଠେଇଛି, ଗ୍ରହଣ କର । ଜଗନ୍ନାଥ ମୋ ନଡିଆ ନେଇଯିବେ । ଯଦି ନ ନେଲେ ତାହେଲେ ମୋ ନଡିଆ ଫେରାଇ ଆଣିବ ।“
ବ୍ରାହ୍ମଣ କହିଲେ,”ତୁ ପାଗଳ ହୋଇଗଲୁଣି? ଏମିତି କଣ କେବେ ହୁଏ?”
ଦାସିଆ ଅନୁରୋଧ କରିବାରୁ ସେ ରାଜି ହୋଇଗଲେ ।
ବ୍ରାହ୍ମଣ ମନ୍ଦିର ମଧ୍ୟରେ ପୂଜା ସାରି ବାହାରକୁ ଆସିଲେ । ତାଙ୍କର ମନେ ପଡ଼ିଲା ଦାସିଆର ନଡିଆ କଥା । ସେ ମନ୍ଦିର ବାହାରୁ ହିଁ ହାତ ଟେକି ଜଗନ୍ନାଥଙ୍କୁ କହିଲେ,“ହେ ପ୍ରଭୁ! ଦାସିଆ ବାଉରୀ ତୁମ ପାଇଁ ନଡ଼ିଆ ପଠାଇଛି । ଗ୍ରହଣ କର ।“
ଏହା କହିବା ମାତ୍ରେ ନାଡ଼ିଆଟି ଶୂନ୍ୟରେ ଶୂନ୍ୟରେ ଉଡିଗଲା । ସତେ ଯେମିତି ମହାବାହୁ ଆସି ସେହି ନଡ଼ିଆ ଟିକୁ ନେଇଗଲେ । ବ୍ରାହ୍ମଣ ଜଣକ ନିଜ ଆଖିକୁ ବିଶ୍ଵାସ କରି ପାରିଲେ ନାହିଁ । ତେଣୁ ସେ ପୁଣି କହିଲେ,“ପ୍ରଭୁ ତୁମେ ନଡ଼ିଆ ଖାଇ ସଢେ଼ଇ ଟିକୁ ଫେରାଇ ଦିଅ ।“ ସଙ୍ଗେ ସଙ୍ଗେ ଶୂନ୍ୟରୁ ଖାଲି ସଢେଇ ଆସି ପହଞ୍ଚିଗଲା ।
ବ୍ରାହ୍ମଣ ଜଣଙ୍କ ଅନୁଭବ କରିପାରିଲେ ଦାସିଆ ବାଉରୀ ଜଗନ୍ନାଥଙ୍କ ର କେତେବଡ ଭକ୍ତ । ଏହିକଥା ଧୀରେ ଧୀରେ ଚାରିଆଡେ ବ୍ୟାପିଗଲା । ସମସ୍ତେ ଭକ୍ତ ଭାବରେ ଦାସିଆ ବାଉରୀର ଉଦାହରଣ ଦେବାକୁ ଲାଗିଲେ । ଏବେ ଦାସିଆ ବାଉରୀର ଗାଁ ବାଲିଗ୍ରାମରେ ତାର ସ୍ମୃତି ସ୍ଵରୂପ ଏକ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି ।